ଗାଜା: ଇସ୍ରାଏଲ ସେନା ପୁଣି ଥରେ ଗାଜା ଉପରେ ଭୀଷଣ ଆକ୍ରମଣ କରି ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ ୭୨ ଘଣ୍ଟା ମଧ୍ୟରେ ୯୪ଟି ଏୟାର ଷ୍ଟ୍ରାଇକ୍ ଓ ଗୁଳିମାଡ଼ରେ ୧୮୪ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ହମାସ ଆତଙ୍କବାଦୀ ସଂଗଠନ ଦ୍ୱାରା ପରିଚାଳିତ ଗାଜା ମିଡିଆ ଅଫିସ ଏହି ସୂଚନା ଦେଇଛି। କାର୍ଯ୍ୟାଳୟ ଏହାର ବିବୃତିରେ ଏଭଳି ଆକ୍ରମଣକୁ ଅତ୍ୟନ୍ତ ବିପଜ୍ଜନକ ଏବଂ ନିଷ୍ଠୁର ବୋଲି ବର୍ଣ୍ଣନା କରିଛି। ସାଧାରଣ ନାଗରିକ, ଆବାସିକ ଅଞ୍ଚଳ, ବିଶେଷକରି ଗାଜା ସିଟିକୁ ଟାର୍ଗେଟ କରି ଇସ୍ରାଏଲ ଧ୍ବଂସଲୀଳା ଜାରି ରଖିଛି ବୋଲି ବିବୃତିରେ କୁହାଯାଇଛି। କେତେକ ଭଗ୍ନାବଶେଷ ତଳେ ୫୦ରୁ ଅଧିକ ଲୋକ ଫସି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଇଛି। ଗାଜାରେ ଥିବା ପାଲେଷ୍ଟାଇନ୍ ନାଗରିକ ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଗତ ତିନି ଦିନ ମଧ୍ୟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଭୟାନକ ହୋଇଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏହା ବହୁତ ବଡ଼ ବିଭୀଷିକା ଆଣିଛି।
ଇସ୍ରାଏଲକୁ ଆମେରିକା ଅସ୍ତ୍ରଶସ୍ତ୍ର ଓ ରାଜନୈତିକ ସମର୍ଥନ ଦେଇଥିବାରୁ ସେମାନେ ଆମେରିକାକୁ ମଧ୍ୟ ସମାଲୋଚନା କରିଛନ୍ତି। ଆନ୍ତର୍ଜାତିକ ସମୁଦାୟ ଏବଂ ଜାତିସଂଘ ନିରାପତ୍ତା ପରିଷଦ ଏଭଳି ଅପରାଧଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବାକୁ ପାଲେଷ୍ଟାଇନ ନାଗରିକ ସମାଜ ଆହ୍ୱାନ ଦେଇଛି। ଜାତିସଂଘ ସ୍ୱାଧୀନ ଅନୁସନ୍ଧାନକାରୀ ଦଳ ପଠାଇ ନିଜର ଆଇନଗତ ଏବଂ ନୈତିକ ଦାୟିତ୍ୱ ବଜାୟ ରଖିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ କହିଛନ୍ତି ଯେ ହମାସ୍ ଆତଙ୍କବାଦୀମାନେ ଲଗାତାର ଅସ୍ତ୍ରଶସ୍ତ୍ର ହାସଲ କରି ଇସ୍ରାଏଲ ପ୍ରତି ବିପଦ ବଢ଼ାଉଛନ୍ତି। ସେମାନଙ୍କୁ ଦମନ କରିବା ପାଇଁ ନୂଆବର୍ଷରେ ଆରମ୍ଭ ହୋଇଥିବା ଅଭିଯାନ ଆହୁରି ବ୍ୟାପକ ହେବ। ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ଆଧାରରେ ହିଁ ଆକ୍ରମଣ ହେଉଛି ବୋଲି ସେ କହିଛନ୍ତି। ଗତକାଲି ଅପରାହ୍ନରୁ ଆଜି ସନ୍ଧ୍ୟା ସୁଦ୍ଧା ଗାଜାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧକାଂଶ ହମାସ୍ ଆତଙ୍କବାଦୀ ବୋଲି ଇସ୍ରାଏଲ କହିଛି।
ସୂଚନାଯୋଗ୍ୟ, ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ-ହମାସ୍ ସଂଘର୍ଷ ଆରମ୍ଭ ହେବା ପରଠାରୁ ଇସ୍ରାଏଲ ଗାଜାରେ ହମାସ୍ ବିରୋଧରେ ବଡ଼ ଧରଣର ସାମରିକ ଅଭିଯାନ ଚଳାଇଛି। ଏହି ଆକ୍ରମଣରେ ୪୫,୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବା ଗାଜା ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ଦକ୍ଷିଣ ଇସ୍ରାଏଲ ଉପରେ ହମାସ୍ର ଆକ୍ରମଣ ପରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା। ଏଥିରେ ୧୨୦୦ରୁ ଅଧିକ ଇସ୍ରାଏଲୀ ନାଗରିକ ନିହତ ହୋଇଥିବା ବେଳେ ପ୍ରାୟ ୨୫୦ ଜଣଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/06/lAPCqknIIMpOp2tf66X5.jpg)