ଜେରୁଜେଲମ୍: ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ୱେଷ୍ଟବ୍ୟାଙ୍କ ଦଖଲ କରିବାକୁ ଇସ୍ରାଏଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଇସ୍ରାଏଲ୍ ସରକାରରେ ଦକ୍ଷିଣପନ୍ଥୀ ଅର୍ଥମନ୍ତ୍ରୀ ବେଜଲେଲ ସ୍ମୋଟ୍ରିଚ୍ ଏହି ପ୍ରସଙ୍ଗରେ ଯୋଜନା ପ୍ରକାଶ କରିଛନ୍ତି।
ସ୍ମୋଟ୍ରିଚ୍ ଆଶା ପ୍ରକଟ କରିଛନ୍ତି ଯେ ୨୦୨୫ ମସିହାରେ ଇସ୍ରାଏଲ୍ ଅଧିକୃତ ୱେଷ୍ଟବ୍ୟାଙ୍କରେ ନିଜର ସାର୍ବଭୌମତ୍ୱ ବିସ୍ତାର କରିବ। ସେ କହିଛନ୍ତି ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ଇସ୍ରାଏଲ ପାଇଁ ବଡ଼ ସୁଯୋଗ ସୃଷ୍ଟି ହୋଇଛି।
ୱେଷ୍ଟବ୍ୟାଙ୍କରେ ଇହୁଦୀ ବସ୍ତିବାସିନ୍ଦାଙ୍କୁ ଇସ୍ରାଏଲରେ ସାମିଲ କରିବା ଲାଗି ଏହା ଏକ ନୂଆ ଅବସର। ୱାଶିଂଟନ୍ର ସମର୍ଥନ ହାସଲ କରିବାକୁ ଏବଂ ଟ୍ରମ୍ପ ପ୍ରଶାସନ ସହ କାର୍ଯ୍ୟ କରିବାକୁ ସରକାରଙ୍କ ଉପରେ ଚାପ ପକାଇବେ ବୋଲି ସ୍ମୋଟ୍ରିଚ୍ କହିଛନ୍ତି।
ସୋମବାର ତାଙ୍କ ଧାର୍ମିକ ଜିଓନିଜିମ୍ ଦଳର ସାପ୍ତାହିକ ବୈଠକ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ସେ ଟ୍ରମ୍ପଙ୍କ ବିଜୟକୁ ସ୍ୱାଗତ କରିଛନ୍ତି। ସ୍ମୋଟ୍ରିଚ୍ କହିଛନ୍ତି ଯେ ଟ୍ରମ୍ପ ରାଷ୍ଟ୍ରପତି ହେବା ଯୋଗୁ ଜୁଦେୟା ଏବଂ ସମିରିୟାରେ ବସତି ଉପରେ ଇସ୍ରାଏଲର ସାର୍ବଭୌମତ୍ୱକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ। ସୂଚନାଯୋଗ୍ୟ, ବାଇବଲରେ, ୱେଷ୍ଟବ୍ୟାଙ୍କର ଅଞ୍ଚଳକୁ ଜୁଦେୟା ଏବଂ ସମିରିୟା କୁହାଯାଇଥାଏ।
ସ୍ମୋଟ୍ରିଚ୍ କହିଛନ୍ତି, ଆମେ ଜୁଦେୟା ଏବଂ ସମିରିୟାରେ ବସତି ଉପରେ ସାର୍ବଭୌମତ୍ୱ ଜାରି କରିବା ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଥିଲୁ ଏବଂ ବର୍ତ୍ତମାନ ତାହା କରିବାର ସମୟ ଆସିଛି। ୨୦୨୫ ବର୍ଷ, ଈଶ୍ବରଙ୍କ ସାହାଯ୍ୟରେ, ଜୁଦେୟା ଏବଂ ସମିରିୟାରେ ସାର୍ବଭୌମତ୍ୱ ବର୍ଷ ହେବ। ସେ କହିଛନ୍ତି ପାଲେଷ୍ଟାଇନ ଆତଙ୍କବାଦୀ ରାଷ୍ଟ୍ରର ଧମକକୁ ଏଜେଣ୍ଡାରୁ ହଟାଇବା ପାଇଁ ଏକମାତ୍ର ଉପାୟ ହେଉଛି ସମଗ୍ର ଜୁଦେୟା ଏବଂ ସମିରିୟାରେ ଇହୁଦୀ ବସ୍ତି ଉପରେ ଇସ୍ରାଏଲର ସାର୍ବଭୌମତ୍ୱ ଜାରି କରିବା।
ଅଧିକ ପଢ଼ନ୍ତୁ: ଜୁଣ୍ଟା ଆର୍ମିର ଏମଆଇ-୧୭ ହେଲିକପ୍ଟର ଗୁଳି କରି ଖସାଇଲେ ବିଦ୍ରୋହୀ
ୱେଷ୍ଟବ୍ୟାଙ୍କ ପାଲେଷ୍ଟାଇନର ମୂଳ ଅଞ୍ଚଳ। ଏହା ଜାର୍ଡନ ନଦୀର ପଶ୍ଚିମ କୂଳରେ ଥିବାରୁ ଏହାର ନାମକରଣ ଏଭଳି ହୋଇଛି।୧୯୬୭ର ଛଅ ଦିନିଆ ଯୁଦ୍ଧରେ ଏହା ଇସ୍ରାଏଲ୍ ଦ୍ୱାରା ଦଖଲ କରାଯାଇଥିଲା। ଏହି ଅଞ୍ଚଳ ବର୍ତ୍ତମାନ ପାଲେଷ୍ଟାଇନ ପ୍ରଶାସନର ନିୟନ୍ତ୍ରଣରେ ଅଛି।
ଅଧିକ ପଢ଼ନ୍ତୁ: ସାଉଦିରେ ଆରବ ଏବଂ ମୁସଲମାନ ଦେଶଙ୍କ ବୈଠକ: ଗାଜା-ଲେବାନନ୍ ଯୁଦ୍ଧ ନେଇ ଆଲୋଚନା
ଇସ୍ରାଏଲ୍ ଏହି ଅଞ୍ଚଳରେ ଅନେକ ଇହୁଦୀ ବସତି ନିର୍ମାଣ କରିଛି। ଯାହାକୁ ମିଳିତ ଜାତିସଂଘ ବେଆଇନ ଦଖଲ ବୋଲି ବର୍ଣ୍ଣନା କରିଛି। ସାର୍ବଭୌମତ୍ୱ ପ୍ରୟୋଗ କରିବା ଅର୍ଥ ହେଉଛି ଏହି ଅଞ୍ଚଳରେ ଇସ୍ରାଏଲ୍ ବସ୍ତିବାସିନ୍ଦାଙ୍କୁ ଇସ୍ରାଏଲ ସହିତ ସାମିଲ କରିବା ଏବଂ ସେମାନଙ୍କ ଉପରେ ଇସ୍ରାଏଲ୍ ନାଗରିକ ଆଇନ ଲାଗୁ କରିବା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/11/12/BKIJEYIG5BRfh8GeQbjo.jpeg)