ନିଜର ଚନ୍ଦ୍ର ଅଭିଯାନ ବିଫଳ ହେବା ପରେ ଭାରତୀୟ ଚନ୍ଦ୍ର ଅଭିଯାନର ସଫଳତା କାମନା କଲା ଇସ୍ରାଏଲ

ନୂଆଦିଲ୍ଲୀ – ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ବିଫଳ ହୋଇଯାଇଛି ଇସ୍ରାଏଲର ଚନ୍ଦ୍ରଯାନ ବେରେସିଟ୍, ଏବେ ଭାରତର ଚନ୍ଦ୍ରଯାନ ଉପରେ ସମସ୍ତଙ୍କ ଆଖି । ତେବେ ଭାରତର ଏହି ଅଭିଯାନର ସଫଳତା କାମନା କରିଛି ଇସ୍ରାଏଲ । ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ରୋନ ମାଲକା କହିଛନ୍ତି ଯେ ଇସ୍ରାଏଲ ପରି ଏକ ଛୋଟିଆ ଦେଶ ପାଇଁ ଚନ୍ଦ୍ର ଅଭିଯାନ ଏକ ବଡ଼ ସଫଳତା । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ଯେ ସମାନ୍ୟ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବେରେସିଟ ଠିକ ଭାବରେ ଓହ୍ଲାଇବାରେ ବିଫଳ ହେଲା । କିନ୍ତୁ ଭାରତର ଯାନ ଯେପରି ଠିକ ଭାବରେ ଓହ୍ଲାଇପାରିବ ସେଥିପାଇଁ ଶୁଭକାମନା ।
ଆସନ୍ତା ମେ ମାସରେ ଭାରତ ନିଜର ୨ୟ ଚନ୍ଦ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏଥର ଭାରତୀୟ ଚନ୍ଦ୍ରଯାନ ଚନ୍ଦ୍ରରେ ଓହ୍ଲାଇବାକୁ ଯାଉଛି । ଏଥିରେ ସଫଳ ହେଲେ ଏପରି କରିବାରେ ଭାରତ ବିଶ୍ବର ୪ର୍ଥ ଦେଶ ହେବ । ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଏହି ସଫଳତା ହାସଲ କରିଛନ୍ତି । କିନ୍ତୁ ଇସ୍ରାଏଲର ଅଭିଯାନ ସଫଳ ହୋଇଥିଲେ ସେ ବିଶ୍ବର ୪ର୍ଥ ଦେଶ ହୋଇଥାନ୍ତା । ଭାରତର ଚନ୍ଦ୍ରଯାନ ପୂର୍ବରୁ ଗତ ଜାନୁୟାରୀମାସରେ ଆରମ୍ଭ ହେବାର ଥିଲା । କିନ୍ତୁ ପରେ ତାହାକୁ ଏପ୍ରିଲ ଓ ଏବେ ମେ ମାସକୁ ଘୁଞ୍ଚାଇଦିଆଯାଇଛି । କିନ୍ତୁ ଇସ୍ରାଏଲ ନିଜର ଚନ୍ଦ୍ରଯାନ ବେରେସିଟକୁ ଗତ ଫେବ୍ରୁଆରୀ ମାସରେ ଲଞ୍ଚ କରିଥିଲା ।

ସମ୍ବନ୍ଧିତ ଖବର