ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଛଅ ଦିନିଆ ଭାରତ ଗସ୍ତରେ ଆସି ରବିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସାଙ୍ଗରେ ପତ୍ନୀ ସାରାଙ୍କ ସମେତ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ଅଧିକାରୀମାନେ ମଧ୍ୟ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ପ୍ରୋଟୋକଲକୁ ଆଡ଼ କରି ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଇସ୍ରାଏଲୀ ପ୍ରତିପକ୍ଷଙ୍କୁ ସ୍ୱାଗତ କରିଛନ୍ତି। ବିମାନରୁ ଓହ୍ଲାଇବା ମାତ୍ରେ ଉଭୟ ନେତା ପରସ୍ପରକୁ ଆଲିଙ୍ଗନ ଓ କରମର୍ଦ୍ଦନ ପୂର୍ବକ ଦୁଇ ଦେଶ ମଧ୍ୟରେ ଥିବା ଚରମ ବନ୍ଧୁତାକୁ ସର୍ବସାଧାରଣରେ ପ୍ରଦର୍ଶନ କରିଛନ୍ତି। ପରେ ଭାରତବାସୀଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇବା ସହ ନେତାନ୍ୟାହୁ ତାଙ୍କର ଗସ୍ତ ଆରମ୍ଭ କରିଛନ୍ତି। ବିମାନବନ୍ଦରରୁ ଦୁଇ ରାଷ୍ଟ୍ରନେତା ଗୋଟିଏ ଗାଡ଼ିରେ ପ୍ରଥମେ କେନ୍ଦ୍ରୀୟ ଦିଲ୍ଲୀର ଶତବାର୍ଷିକୀ ପାଳନ କରୁଥିବା ତିନମୂର୍ତ୍ତି ଛକ ଠାରେ ପହଞ୍ଚିଥିଲେ। ସେଠାରେ ସେହି ଛକକୁ ଇସ୍ରାଏଲୀ ସହର ହାଇଫାକୁ ଯୋଡ଼ି ତିନମୂର୍ତ୍ତି-ହାଇଫା ଛକ ଭାବେ ନୂତନ ନାମକରଣ ପାଇଁ ଆୟୋଜିତ ଉତ୍ସବରେ ଉଭୟ ନେତା ଯୋଗଦେଇଥିଲେ। ସୂଚନାଯୋଗ୍ୟ, ଦୀର୍ଘ ପନ୍ଦର ବର୍ଷ ପରେ ମିତ୍ର ରାଷ୍ଟ୍ର ଇସ୍ରାଏଲ୍ର କୌଣସି ପ୍ରଧାନମନ୍ତ୍ରୀ ଭାରତ ମାଟିରେ ଆଜି ପାଦ ରଖିଛନ୍ତି। ପୂର୍ବରୁ ୨୦୦୩ରେ ପ୍ରଧାନମନ୍ତ୍ରୀ ଏରିଏନ୍ ସାରୋନ୍ ହିଁ ଭାରତ ଗସ୍ତ କରିଥିଲେ। ତେବେ ନେତାନ୍ୟାହୁଙ୍କର ଏହି ଗସ୍ତ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ଅନେକ ଗୁରୁତ୍ୱ ବହନ କରୁଛି। ବିଶେଷ କରି ସାମରିକ, କୃଷି, ପ୍ରଯୁକ୍ତ ବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ରୌପ୍ୟଜୟନ୍ତୀ ପାଳନ ଅବସରରେ ନେତାନ୍ୟାହୁ ତାଙ୍କର ସର୍ବାଧିକ ବାଣିଜ୍ୟ ପ୍ରତିନିଧି ମଣ୍ଡଳଙ୍କୁ ସାଙ୍ଗରେ ଧରି ଆସିଛନ୍ତିି। ସୁତରାଂ ବିଭିନ୍ନ ପ୍ରସଙ୍ଗରେ ଅନେକ ଚୁକ୍ତି ସ୍ୱାକ୍ଷର ହେବାର ଆଶା ରହିଛି।
ପ୍ରୋଟୋକଲ୍ ଭାଙ୍ଗି ନେତାନ୍ୟାହୁଙ୍କୁ ସ୍ୱାଗତ କଲେ ମୋଦି
କରମର୍ଦ୍ଦନ ଆଲିଙ୍ଗନରୁ ଆରମ୍ଭ ହେଲା ବେଞ୍ଜାମିନଙ୍କ ଗସ୍ତ
ଅପରାହ୍ଣରେ ଦୁଇ ନେତା ମଧ୍ୟ ପରସ୍ପର ମଧ୍ୟରେ ଥିବା ଆନ୍ତରିକତାକୁ ଟ୍ଵିଟର ମାଧ୍ୟମରେ ପ୍ରମାଣିତ କରିଛନ୍ତି। ମୋଦି ତାଙ୍କ ଟ୍ଵିଟରରେ ଲେଖିଛନ୍ତି, ‘ମୋ ପ୍ରିୟ ବନ୍ଧୁ ନେତାନ୍ୟାହୁଙ୍କୁ ଭାରତକୁ ସ୍ୱାଗତ କରୁଛି। ଆପଣଙ୍କ ଏହି ଗସ୍ତ ସ୍ୱତନ୍ତ୍ର ଏବଂ ଐତିହାସିକ ହୋଇ ରହିବ। ଆମ ଦୁଇ ଦେଶ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଏହା ଆହୁରି ଦୃଢ଼ କରିବ।’ ସେହିପରି ନେତାନ୍ୟାହୁ ମଧ୍ୟ ତାଙ୍କ ସୋସିଆଲ୍ ସାଇଟ୍ରେ ଲେଖିଛନ୍ତି, ‘ମୋର ଉତ୍ତମ ବନ୍ଧୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରରେ ମୋତେ ବ୍ୟକ୍ତିଗତ ଭାବେ ସ୍ୱାଗତ କରି ଚକିତ କରିଦେଇଥିବାରୁ ଏଥିପାଇଁ ବଧେଇ ଜଣାଉଛି। ଆମେ ଉଭୟ ମିଶି ଦୁଇ ଦେଶର ସମ୍ପର୍କକୁ ନୂତନ ଶୀର୍ଷରେ ପହଞ୍ଚାଇବା।’ ଦୁଇ ନେତାଙ୍କର ପରସ୍ପର ପ୍ରତି ରହିଥିବା ଏପରି ଆବେଗ ଓ ଗ୍ରହଣୀୟତା ବିରୋଧୀଙ୍କ ପାଇଁ ଈର୍ଷାର କାରଣ ସାଜିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/modinetan.jpg)