ଜେରୁଜେଲମ୍: ପାଲେଷ୍ଟାଇନର ଇସଲାମିକ୍ ଆତଙ୍କବାଦୀ ଗୋଷ୍ଠୀ ହମାସ ଶନିବାର ଇସ୍ରାଏଲ ଉପରେ ସବୁଠାରୁ ବଡ ଆକ୍ରମଣ କରି ଗାଜାରୁ ରକେଟ୍ ବର୍ଷା କରିବା ସହ ନିଜ ଯୋଦ୍ଧାଙ୍କୁ ସୀମାପାର କରି ଇସ୍ରାଏଲ ପଠାଇଥିଲା। ଇସ୍ରାଏଲ ଏହାକୁ ତାଙ୍କ ବିରୋଧରେ ଯୁଦ୍ଧ ଭାବେ ଗ୍ରହଣ କରି ଗାଜାରେ ଥିବା ହମାସ୍ ଟାର୍ଗେଟଗୁଡ଼ିକ ଉପରେ ପ୍ରତିଆକ୍ରମଣ ଆରମ୍ଭ କରିଛି। ଗାଜାପଟିରୁ ୨୦୦୫ରେ ଇସ୍ରାଏଲ ଓହରି ଆସିବାଠାରୁ ଅଦ୍ୟାବଧି ହୋଇଥିବା ସଂଘର୍ଷର ଘଟଣାକ୍ରମ ଓ ସଂକ୍ଷିପ୍ତ ବିବରଣୀ ଏଠାରେ ଦିଆଗଲା।
ଅଗଷ୍ଟ ୨୦୦୫
ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇଜିପ୍ଟରୁ ଗାଜାପଟି ଦଖଲ କରିବାର ୩୮ ବର୍ଷ ପରେ ଇସ୍ରାଏଲ ସୈନ୍ୟମାନେ ଏକପାଖିଆ ଭାବରେ ଓହରି ଆସିଥିଲେ। ଏହାକୁ ସେମାନେ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ଅଧୀନରେ ଛାଡ଼ି ଦେଇଥିଲେ।
ଜାନୁଆରି ୨୫, ୨୦୦୬
ପାଲେଷ୍ଟାଇନ ନିର୍ବାଚନରେ ଉଗ୍ରବାଦୀ ଇସଲାମିକ୍ ଗୋଷ୍ଠୀ ହମାସ ଅଧିକାଂଶ ଆସନ ଜିତିଲା। ଏହାପରେ ଇସ୍ରାଏଲ ଓ ଆମେରିକା ପାଲେଷ୍ଟିନୀୟମାନଙ୍କୁ ସହାୟତା ଦେବା ବନ୍ଦ କରିଦେଲେ କାରଣ ଏହା ହିଂସା ତ୍ୟାଗ କରିବାକୁ ଏବଂ ଇସ୍ରାଏଲକୁ ସ୍ୱୀକୃତି ଦେବାକୁ ମନା କରି ଦେଇଥିଲା।
ଜୁନ୍ ୨୫, ୨୦୦୬
ହମାସ ଆତଙ୍କବାଦୀମାନେ ଇସ୍ରାଏଲର ସୈନିକ ଗିଲାଦ ଶାଲିତଙ୍କୁ ଏକ ସୀମାପାର ଚଢ଼ଉରେ ଧରିନେଇଥିଲେ। ଫଳରେ ଇସ୍ରାଏଲ ଗାଜା ଉପରେ ବିମାନ ଆକ୍ରମଣ କରିଥିଲା। ଶେଷରେ ଏକ କଏଦୀ ବିନିମୟ ଚୁକ୍ତି ମାଧ୍ୟମରେ ଶାଲିତଙ୍କୁ ପାଞ୍ଚ ବର୍ଷ ପରେ ମୁକ୍ତ କରାଯାଇଥିଲା।
ଜୁନ୍ ୧୪, ୨୦୦୭
ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଅବ୍ବାସଙ୍କ ପ୍ରତି ବିଶ୍ୱସ୍ତ ଥିବା ଫତାହ ବାହିନୀକୁ ଏକ ସଂକ୍ଷିପ୍ତ ଗୃହଯୁଦ୍ଧରେ ପରାସ୍ତ କରି ହମାସ୍ ଗାଜା ଦଖଲ କଲା।
ଡିସେମ୍ବର ୨୭, ୨୦୦୮
ଦକ୍ଷିଣ ଇସ୍ରାଏଲର ସହର ସେଡେରୋଟ ଉପରକୁ ପାଲେଷ୍ଟିନୀୟମାନେ ରକେଟ ଫିଙ୍ଗିବା ପରେ ଇସ୍ରାଏଲ ଗାଜା ଉପରେ ୨୨ ଦିନିଆ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଅସ୍ତ୍ରବିରତି ରାଜିନାମା ହେବା ପୂର୍ବରୁ ପ୍ରାୟ ୧୪୦୦ ପାଲେଷ୍ଟିନୀୟ ଓ ୧୩ ଇସ୍ରାଏଲୀଙ୍କର ମୃତ୍ୟୁ ହୋଇଥିଲା।
ନଭେମ୍ବର ୧୪, ୨୦୧୨
ଇସ୍ରାଏଲ ହମାସର ସାମରିକ ମୁଖ୍ୟ ଅହମଦ ଜବାରୀଙ୍କୁ ହତ୍ୟା କଲା। ତା’ପରେ ୮ ଦିନ ଧରି ପାଲେଷ୍ଟିନୀୟ ସନ୍ତ୍ରାସବାଦୀଙ୍କ ରକେଟ ମାଡ଼ ଓ ଇସ୍ରାଏଲର ବିମାନ ଆକ୍ରମଣ ଜାରି ରହିଲା।
ଜୁଲାଇ-ଅଗଷ୍ଟ ୨୦୧୪
ହମାସ ଦ୍ୱାରା ଇସ୍ରାଏଲର ତିନି ଜଣ ନାବାଳକଙ୍କୁ ଅପହରଣ ଓ ହତ୍ୟା କରାଯିବା ପରେ ସାତ ସପ୍ତାହ ଧରି ଉଭୟ ପକ୍ଷ ଭିତରେ ଯୁଦ୍ଧ ଚାଲିଲା, ଯେଉଁଥିରେ ଗାଜାରେ ୨,୧୦୦ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୭୩ ଜଣ ଇସ୍ରାଏଲୀ ମଧ୍ୟ ପ୍ରାଣ ହରାଇଥିଲେ, ଯେଉଁମାନଙ୍କ ମଧ୍ୟରେ ୬୭ ଜଣ ସୈନିକ ଥିଲେ।
ମାର୍ଚ୍ଚ ୨୦୧୮
ଗାଜାର ବାଡଦିଆ ସୀମାରେ ପାଲେଷ୍ଟିନୀୟମାନେ ଇସ୍ରାଏଲ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କଲେ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଇସ୍ରାଏଲ୍ ସୈନ୍ୟମାନେ ଗୁଳି ଚଳାଇଥିଲେ। ଅନେକ ମାସର ପ୍ରତିବାଦରେ ୧୭୦ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି, ଯାହା ହମାସ ଓ ଇସ୍ରାଏଲ୍ ସୈନ୍ୟଙ୍କ ମଧ୍ୟରେ ଲଢ଼େଇକୁ ମଧ୍ୟ ତ୍ୱରାନ୍ୱିତ କରିଥିଲା।
ମେ ୨୦୨୧
ରମଜାନ ମାସରେ କିଛି ସପ୍ତାହ ଧରି ଉତ୍ତେଜନା ଲାଗି ରହିବା ପରେ ଇସଲାମର ତୃତୀୟ ପବିତ୍ର ସ୍ଥାନ ଜେରୁଜେଲମର ଅଲ୍ ଆକ୍ସା ପରିସରରେ ଇସ୍ରାଏଲର ସୁରକ୍ଷା ବାହିନୀ ସହ ସଂଘର୍ଷରେ ଶହ ଶହ ପାଲେଷ୍ଟିନୀୟ ଆହତ ହୋଇଥିଲେ। ଉକ୍ତ ପରିସରରୁ ସୁରକ୍ଷା ବାହିନୀ ପ୍ରତ୍ୟାହାର କରିବାକୁ ଦାବି କରି ହମାସ ଗାଜାରୁ ଇସ୍ରାଏଲକୁ ଏକ ବ୍ୟାରେଜ ରକେଟ୍ ଛାଡିଥିଲା। ଇସ୍ରାଏଲ୍ ମଧ୍ୟ ବିମାନ ଆକ୍ରମଣ କରି ସେମାନଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଥିଲା। ୧୧ ଦିନ ଧରି ଏହି ଯୁଦ୍ଧ ଚାଲିଥିଲା। ଏଥିରେ ଗାଜାରେ ଅତି କମ୍ରେ ୨୫୦ ଜଣ ଏବଂ ଇସ୍ରାଏଲରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା।
ଅଗଷ୍ଟ ୨୦୨୨
ଇସ୍ରାଏଲର ବିମାନ ଆକ୍ରମଣ ଦ୍ବାରା ଜଣେ ବରିଷ୍ଠ ଇସଲାମିକ୍ ଜିହାଦୀ କମାଣ୍ଡରଙ୍କ ମୃତ୍ୟୁ ହେବା ପରେ ତିନି ଦିନର ହିଂସାରେ ୧୫ ଶିଶୁ ସମେତ ଅତି କମ୍ରେ ୪୪ ଜଣଙ୍କର ମୃତ୍ୟୁ ଘଟିଥିଲା।
ଜାନୁଆରି ୨୦୨୩
ଇସ୍ରାଏଲ୍ ସୈନ୍ୟମାନେ ଏକ ଶରଣାର୍ଥୀ ଶିବିର ଉପରେ ଚଢ଼ଉ କରି ସାତଜଣ ପାଲେଷ୍ଟିନୀୟ ବନ୍ଧୁକଧାରୀ ଓ ଦୁଇ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ପରେ ଗାଜାରେ ଇସଲାମିକ୍ ଜିହାଦ୍ ଇସ୍ରାଏଲ ଆଡକୁ ଦୁଇଟି ରକେଟ୍ ଛାଡ଼ିଥିଲା। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଏହାର ଜବାବରେ ଇସ୍ରାଏଲ ଗାଜା ଉପରେ ବିମାନ ଆକ୍ରମଣ କରିଥିଲା।
ଅକ୍ଟୋବର ୨୦୨୩
ହମାସ ଗାଜାପଟିରୁ ଇସ୍ରାଏଲ ଉପରେ ରକେଟ୍ ବର୍ଷା ସହ ସବୁଠାରୁ ବଡ ଆକ୍ରମଣ କରିବା ପରେ ଇସ୍ରାଏଲ ମଧ୍ୟ ଏହାର ଜବାବରେ ପ୍ରତିଆକ୍ରମଣ ଆରମ୍ଭ କରିଛି।