ଇସ୍ରୋ ପାଖରେ ଆଉ ୧୬ ଦିନ, ଜୁଲାଇରେ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ଜରୁରୀ

ବୁଧବାର ଘୋଷଣା ହୋଇପାରେ ନୂଆ ତାରିଖ

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣକୁ ନେଇ ଇସ୍ରୋ ପକ୍ଷରୁ ନୂଆ ତାରିଖ ବିଷୟରେ ଆସନ୍ତା ବୁଧବାର ଦିନ ଘୋଷଣା ହୋଇପାରେ। ରକେଟ୍‌ରେ ରହିଥିବା ତ୍ରୁଟିକୁ ସୁଧାରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ପରେ ନୂଆ ତାରିଖ ବିଷୟରେ ନିଷ୍ପତ୍ତି ନିଆଯିବ। ଯଦି ସବୁକିଛି ଠିକ୍ ରହିବ ତେବେ‌ ଆସନ୍ତା ୨୨ ତାରିଖ (ସୋମବାର) ସୁଦ୍ଧା ଚନ୍ଦ୍ରଯାନକୁ ଉତ୍‌କ୍ଷେପଣ କରାଯାଇପାରେ ଏକ ସୂତ୍ରରୁ ଜଣାଯାଇଛି। ତେବେ ଇସ୍ରୋ ଏ ନେଇ କୌଣସି ଘୋଷଣା ଏପର୍ଯ୍ୟନ୍ତ କରିନାହିଁ। ପ୍ରତିଟି ଉତ୍‌କ୍ଷେପଣ ପାଇଁ କିଛି ମିନିଟ୍‌ର ସ୍ବତନ୍ତ୍ର ସମୟ ରହିଥାଏ। ସେହି ସମୟ ଉପରେ ଉତ୍‌କ୍ଷେପଣର ସଫଳତା ନିର୍ଭର କରେ। ସୋମବାର(୧୫ ଜୁଲାଇ) ପାଇଁ ଏହି ସମୟସୀମା ସର୍ବାଧିକ ୧୦ ମିନିଟ୍‌ର ଥିଲା, ଯାହାର ଅବଧି ହେଉଛି ରାତି ୨ଟା ୫୧ ମିନିଟରୁ ୩ଟା ୦୧ ମିନିଟ। ଚଳିତମାସର ଅବଶି‌ଷ୍ଟ ଦିନଗୁଡ଼ିକ ପାଇଁ ଇସ୍ରୋ ପାଖରେ ଦୈନିକ ମାତ୍ର ୧ ମିନିଟର ସମୟ ବା ଓିଣ୍ଡୋ ରହିବ। ବର୍ତ୍ତମାନର ସେହି ସମୟ ସୀମା ଚଳିତମାସ ଶେଷସୁଦ୍ଧା ସରିଯିବ। ଯଦି ଇସ୍ରୋ ଏହି ୧୬ଦିନକୁ ଉପଯୋଗ କରି ନପାରିବ ତେବେ ଚନ୍ଦ୍ରଯାନ-୨ର ଉତ୍‌କ୍ଷେପଣ ପାଇଁ ଅତିକମ୍‌ରେ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେଣୁ କେତେକ ବୈଜ୍ଞାନିକ ମତ ଦେଉଛନ୍ତି ଚଳିତବର୍ଷ ଏହି ଉତ୍‌‌କ୍ଷେପଣ ହେବାର ସମ୍ଭାବନା ଖୁବ୍ କମ୍ ରହିଛି।

ଇସ୍ରୋ ଟେଲିମେଟ୍ରିକ, ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ଇସ୍‌ଟ୍ରାକ୍‌) ପକ୍ଷରୁ ଉପଗ୍ରହର ଅନୁଧ୍ୟାନ କରାଯାଇଛି। ସେହି ଅନୁସାରେ ଯଦି ଜୁଲାଇ ୩୧ ତାରିଖର ସମୟସୀମା ଭିତରେ ଉତ୍‌କ୍ଷେପଣ ସମ୍ଭବ ନହେବ ତେବେ ଏହି ମିସନ୍‌ ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି। ଜୁଲାଇ ମାସ ଶେଷ ସୁଦ୍ଧା ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ କରା ନଗଲେ ପୁଣି ଥରେ ଆଉ ଏକ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ସେଥିପାଇଁ ଅଧିକ ଇନ୍ଧନ ଦରକାର ହେବ। ସମସ୍ୟା କେବଳ ଏତିକି ନୁହେଁ, ଏହା ଅର୍ବିଟରର ଜୀବନକାଳକୁ ମଧ୍ୟ କମାଇ ଦେବ। ଏବେ ଅର୍ବିଟରର ଜୀବନ କାଳ ୧ ବର୍ଷ ରହିଥିବାବେଳେ ନୂଆ ଯୋଜନା ପ୍ରସ୍ତୁତ ହେଲେ ତାହା ୬ ମାସକୁ କମିଯିବ। ତେଣୁ ଜୁଲାଇ ୩୧ ସୁଦ୍ଧା ଚନ୍ଦ୍ରଯାନକୁ ଉତ୍‌କ୍ଷେପଣ କରିବା ଇସ୍ରୋ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ପ୍ରତିଥର ଉତ୍‌କ୍ଷେପଣ ପାଇଁ ଏକ ନୋଟାମ୍ (ବୈମାନିକମାନଙ୍କୁ ନୋଟିସ୍‌) ଜାରିହୁଏ। ‌ଚନ୍ଦ୍ରଯାନ-୨ ଉତକ୍ଷେପଣ ବିଫଳ ହେବା ପରେ ସୋମବାର ସଂଧ୍ୟାରେ ନୂଆ ନୋଟାମ ଜାରି ହୋଇଛି। ଜୁଲାଇ ୧୭ ପାଇଁ ଏହାର ଅବଧି ରାତି ୨ଟା ୩୦ରୁ ୩ଟା ୩୦ ମିନିଟ ପର୍ଯ୍ୟନ୍ତ ରହିଥିବାବେଳେ ଜୁଲାଇ ୧୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ସମୟସୀମା ଅପରାହ୍ଣ ୨ଟାରୁ ୩ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ରହିଛି। ତେଣୁ ଜୁଲାଇ ମାସ ୩୧ ମଧ୍ୟରେ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ ହେବାର ଆଶା ଅଧିକ ରହିଛି।

ସମ୍ବନ୍ଧିତ ଖବର