ବେଙ୍ଗାଲୁରୁ: ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି) ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମହାକାଶ ବାୟୋଟେକ୍ନୋଲୋଜି ଗବେଷଣାରେ ସହଯୋଗ ପାଇଁ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ୫ଟି ପରୀକ୍ଷଣ ଚାଲିଛି- ସେଥିମଧ୍ୟରୁ ୨-୩ଟି ବାୟୋଟେକ୍ ସମ୍ବନ୍ଧୀୟ ପ୍ରକଳ୍ପକୁ ଆସନ୍ତା ବର୍ଷ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)କୁ ଇସ୍ରୋ-ନାସାର ମିଳିତ ପ୍ରୟାସରେ ଅନ୍ତର୍ଭୁକ୍ତ କରାଯାଇପାରେ। 

Advertisment

ଏଥିମଧ୍ୟରୁ ଦୁଇଟି ପରୀକ୍ଷଣ ଆକ୍ସମ୍ ୪ (ଇସ୍ରୋ ଆଇଏସ୍ଏସ୍ ମିସନ)ରେ ହେବ। ତା’ପରେ ଏହା ଗଗନଯାନର କ୍ରୁ-ବିହୀନ ମିସନରେ ରହିବ ଏବଂ ପରେ ଏହାକୁ କ୍ରୁ-ଯୁକ୍ତ ଗଗନଯାନ ମିସନରେ ମଧ୍ୟ ବ୍ୟବହାର କରିବାକୁ ଚିନ୍ତା କରାଯାଉଛି। ଏସବୁ ପଛକୁ ପଛ ଧାଡ଼ିରେ ରହିଛି ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି। ମାଇକ୍ରୋଗ୍ରାଭିଟି ରିସର୍ଚ୍ଚ, ସ୍ପେସ୍ ବାୟୋଟେକ୍ନୋଲୋଜି, ସ୍ପେସ୍ ବାୟୋମ୍ୟାନୁଫ୍ୟାକ୍ଚରିଂ, ବାୟୋଆଷ୍ଟ୍ରୋନଟିକ୍ସ ଓ ସ୍ପେସ୍ ବାୟୋଲୋଜି ଉପରେ ଫୋକସ୍ କରାଯିବ।

ଡିବିଟିର ବୈଜ୍ଞାନିକ ଏ ବଂଶୀ କ୍ରିଷ୍ଣାଙ୍କ କହିବା ଅନୁଯାୟୀ ମହାକାଶ ଅଭିଯାନରେ ମୁଖ୍ୟ ଆହ୍ୱାନ ହେଉଛି ପୋଷକ ତତ୍ତ୍ୱର ନିରନ୍ତର ଉପଲବ୍ଧତା, ଖାଦ୍ୟ ସଂରକ୍ଷଣ, ମାଇକ୍ରୋଗ୍ରାଭିଟି ଓ ବିକିରଣ, କର୍କଟ, ମୋତିଆବିନ୍ଦୁ, ହାଡ଼ ଓ ମାଂସପେଶୀ କ୍ଷୟ ଭଳି ସ୍ୱାସ୍ଥ୍ୟ ବିପଦ। ଉକ୍ତ ଚୁକ୍ତିନାମା ବାୟୋଟେକ୍ନୋଲୋଜି ବ୍ୟବହାର କରି ଏହି ସମସ୍ୟାର ସମାଧାନ କରିବାରେ ସହାୟକ ହେବ। ଗଗନଯାନ ଇସ୍ରୋର ଏକ ଜାତୀୟ ପ୍ରୟାସ ଯାହା ମାଇକ୍ରୋଗ୍ରାଭିଟି ଗବେଷଣା, ମହାକାଶ ଜୈବପ୍ରଯୁକ୍ତି, ମହାକାଶ ଜୈବ ଉତ୍ପାଦନ, ବାୟୋଆଷ୍ଟ୍ରୋନଟିକ୍ସ ଏବଂ ମହାକାଶ ଜୀବବିଜ୍ଞାନ କ୍ଷେତ୍ରରେ ବିଭିନ୍ନ ଜାତୀୟ ଏଜେନ୍ସି, ଶିକ୍ଷାବିତ୍, ଶିଳ୍ପକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି।