ଇସ୍ରୋ ବିକାଶ କଲା ସ୍ମାର୍ଟ କୃତ୍ରିମ ଗୋଡ଼; ଚାଲିବାରେ ଆରାମ ଦେବ, ମୂଲ୍ୟ କମ୍‌ ରହିବ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ସ୍ମାର୍ଟ କୃତ୍ରିମ ଗୋଡ଼ର ବିକାଶ କରାଯାଇଛି। ମହାକାଶ ଅଭିଯାନରେ ବ୍ୟବହୃତ ମାଇକ୍ରୋ‌ପ୍ରସେସରକୁ ଏଥିରେ ବ୍ୟବହାର କରାଯାଇଛି। ଉକ୍ତ ସ୍ମାର୍ଟ କୃତ୍ରିମ ଗୋଡ଼ ଦ୍ବାରା ଗୋଡ଼ ନଥିବା ବ୍ୟକ୍ତିମାନେ ଅଧିକ ଆରାମରେ ଚାଲିପାରିବେ। ଖୁବ୍‌ଶୀଘ୍ର ଏହାର ବାଣିଜ୍ୟିକ ଉତ୍ପାଦନ ହେବ। ଉକ୍ତ ସ୍ମାର୍ଟ କୃତ୍ରିମ ଗୋଡ଼ର ମୂଲ୍ୟ ବର୍ତ୍ତମାନ ଉପଲବ୍ଧ ହେଉଥିବା ଗୋଡ଼ର ମୂଲ୍ୟ ତୁଳନାରେ ଯଥେଷ୍ଟ କମ୍‌ ରହିବ।

ନୂଆକରି ଘୋଷଣା ହୋଇଥିବା ଉକ୍ତ ସ୍ମାର୍ଟ ପ୍ରଯୁକ୍ତିକୁ ମାଇକ୍ରୋପ୍ରସେସର-କଣ୍ଟ୍ରୋଲଡ ନିଜ୍‌ ବା ଏମ୍‌ପିକେ କୁହାଯାଉଛି। ମାଇକ୍ରୋପ୍ରସେସର ବ୍ୟବହୃତ ହେଉ ନଥିବା ଗୋଡ଼ ତୁଳନାରେ ଏହା ଅଧିକ ସୁବିଧା ଲୋକଙ୍କୁ ପ୍ରଦାନ କରିବ। ଏହାର ଓଜନ ପାଖାପାଖି ୧.୬ କିଲୋଗ୍ରାମ ରହିବ। ବର୍ତ୍ତମାନ ବିକାଶ ପର୍ଯ୍ୟାୟରେ ଥିବା ଉକ୍ତ ସ୍ମାର୍ଟ କୃତ୍ରିମ ଗୋଡ଼ ସାହାଯ୍ୟରେ ଜଣେ ବ୍ୟକ୍ତି ଅତି ଅଳ୍ପ ଢିରାରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଚାଲିବାରେ ସମର୍ଥ ହୋଇଛନ୍ତି। ଇସ୍ରୋର ବିକ୍ରମ ସରାଭାଇ ମହାକାଶ ଗବେଷଣା କେନ୍ଦ୍ରରେ ଉକ୍ତ ସ୍ମାର୍ଟ କୃତ୍ରିମ ଗୋଡ଼ ବିକାଶ ହେଉଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଲୋକୋମୋଟର ଡିଜାବିଲିଟିଜ୍‌, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନ୍ୟାସନାଲ ଇନ‌ଷ୍ଟିଚ୍ୟୁଟ୍ ଫର୍‌ ପର୍ସନସ ଉଇଥ୍‌ ଫିଜିକାଲ ଡିଜାବିଲିଟିଜ୍‌ ଏବଂ ଆର୍ଟିଫିସିଆଲ ଲିମ୍ବ୍‌ ମାନୁଫାକ୍‌ଚରିଂ କର୍ପୋରେସନ ଅଫ୍ ଇଣ୍ଡିଆ ସହ ଏମଓୟୁ ଏଥିପାଇଁ ହୋଇଛି। ଉକ୍ତ ସ୍ମାର୍ଟ କୃତ୍ରିମ ଗୋଡ଼ରେ ମା‌ଇକ୍ରୋପ୍ରସେସର, ହାଇ‌ଡ୍ରଲିକ ଡ୍ୟାମ୍ପର, ଲୋଡ୍ ଆଣ୍ଡ୍ ନି ଆଙ୍ଗଲ ସେନସର, କମ୍ପୋଜିଟ୍ ନି-କେସ, ଲି-ଆୟନ ବ୍ୟାଟେରି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ରହିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ସଫ୍ଟୱେର ଜରିଆରେ ଚାଲିବା ସ୍ଥିତିକୁ ଅଧିକ ଆରାମଦାୟକ କରାଯାଇ ପାରିବ। ନୂଆ ପ୍ରଯୁକ୍ତିରେ ପ୍ରସ୍ତୁତ ‌ସ୍ମାର୍ଟ କୃତ୍ରିମ ଗୋଡ଼ର ମୂଲ୍ୟ ୪ ଲକ୍ଷରୁ ୫ ଲକ୍ଷ ଟଙ୍କା ମଧ୍ୟରେ ରହିବ ବୋଲି ଇସ୍ରୋ ଆକଳନ କରିଛି। ତେବେ ବର୍ତ୍ତମାନ ଉପଲବ୍ଧ ହେଉଥିବା କୃତ୍ରିମ ଗୋଡ଼ର ମୂଲ୍ୟ ୧୦ ଲକ୍ଷରୁ ୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର