ନୂଆଦିଲ୍ଲୀ: ଗତକାଲି ଅଗଷ୍ଟ ୨୩ ତାରିଖ ବୁଧବାର ସନ୍ଧ୍ୟା ୬.୦୪ରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତା ସହ ଅବତରଣ କରିଥିଲା। ଏହି ଅବସରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବତନ ମୁଖ୍ୟ ଜି ମାଧବନ କହିଛନ୍ତି, ‘ଭାରତର ଚନ୍ଦ୍ରଯାନ-୩ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଅନ୍ୟଦେଶର ମିସନ୍ ତୁଳନାରେ ବହୁତ କମ ରହିଛି। ସେଥିପାଇଁ ‘ଚନ୍ଦ୍ରଯାନ-୩’କୁ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପାଇଁ ୪୦ଦିନ ଲାଗିଥିଲା। କିନ୍ତୁ ଅନ୍ୟ ଦେଶର ସ୍ପେସକ୍ରାଫ୍ଟ ୪ରୁ୫ ଦିନ ମଧ୍ୟରେ ଚନ୍ଦ୍ରରେ ପହଞ୍ଚି ଯାଇଥିଲା।

Advertisment

ଇସ୍ରୋର ବୈଜ୍ଞାନିକ,ଟେକନିସିଆନ ଓ ଅନ୍ୟ କର୍ମଚାରୀଙ୍କ ପାରିଶ୍ରମିକ ଅନ୍ୟ ଦେଶର ବୈଜ୍ଞାନିକଙ୍କ ତୁଳନାରେ ୫ଗୁଣା କମ । ଇସ୍ରୋର କୌଣସି ବୈଜ୍ଞାନିକ କୋଟିପତି ନୁହନ୍ତି। ଆମ ବୈଜ୍ଞାନିକମାନେ କେତେ ପାରିଶ୍ରମିକ ପାଉଛନ୍ତି, ସେଥିପ୍ରତି କେବେ ଦୃଷ୍ଟି ଦିଅନ୍ତି ନାହିଁ। ସେମାନେ ସାଧାରଣ ଜୀବନଯାପନ କରିଥାଆନ୍ତି। ସେମାନଙ୍କୁ ସେମାନଙ୍କ ବେତନକୁ ନେଇ କୌଣସି ଫରକ ପଡ଼େ ନାହିଁ। ଇସ୍ରୋ ବୈଜ୍ଞାନିକମାନେ କାମ ହିଁ ସେମାନଙ୍କ ପ୍ରଥମ ଧର୍ମ ବୋଲି ମାନି ଥାଆନ୍ତି। କାମ ପାଇଁ ଇସ୍ରୋ ବୈଜ୍ଞାନିକମାନେ ଦିନରାତି ଏକ କରି ଦେଇଥାଆନ୍ତି, ଯାହାର ସଫଳତା ଗତକାଲି ଆମ ସମସ୍ତଙ୍କୁ ମିଳିଛି ବୋଲି ମାଧବନ୍ ପ୍ରକାଶ କରିଛନ୍ତି।

ଆମେ ପ୍ରତିଟି ମୁହୂର୍ତ୍ତରେ କିଛି ନୂଆ ଶିଖିଥାଉ, ଯାହା ଆମେ ଅତୀତରେ ଶିଖିଥାଉ, ତାହାକୁ ଆଗାମୀ ମିସନରେ ବ୍ୟବହାର କରିଥାଉ। ଭାରତ ମହାକାଶ ଅଭିଯାନରେ ପ୍ରାୟତଃ ଘରୋଇ ପ୍ରଯୁକ୍ତି ଓ ଯନ୍ତ୍ରାଂଶ ବ୍ୟବହାର କରିଥ‌ାଏ। ଏହାଦ୍ବାରା ଅନ୍ୟ ଦେଶତୁଳନାରେ ନିର୍ମାଣ ଖର୍ଚ୍ଚ ବି କମ ହୋଇଥ‌ାଏ। ଭାରତର ମହାକାଶ ମିସନରେ ଖର୍ଚ୍ଚ ହେଉଥିବା ଟଙ୍କା ଅନ୍ୟ ଦେଶ ତୁଳନାରେ ୫୦ରୁ ୬୦ ପ୍ରତିଶତ କମ ରହିଛି। ଆମେ ଭଲ ଆରମ୍ଭ କରିଥିଲୁ, ଆଉ ବଡ଼ ଉପଲବ୍ଧି ପାଇଛୁ। ‘ଚନ୍ଦ୍ରଯାନ-୩’ ପାଇଁ  ମାତ୍ର ୬୧୫କୋଟିଟଙ୍କା ଖର୍ଚ୍ଚ ହୋଇଛି, ଯାହାକି ଗୋଟିଏ ବଲିଉଡ ସିନେମାର ବଜେଟ ସହ ସମାନ।’