ଇସ୍ରୋର ଟେଲି ଯୋଗାଯୋଗ ଉପଗ୍ରହ ‘ଜିସାଟ୍‌-୩୦’ର ସଫଳ ଉତ୍‌‌କ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ୨୦୨୦ର ପ୍ରଥମ ମିସନ୍‌କୁ ସଫଳତାର ସହ ସଂପନ୍ନ କରିଛି। ଗୁରୁବାର ରାତି ୨ଟା ୩୫ (ଭାରତୀୟ ସମୟ)ରେ ଫ୍ରେଞ୍ଚ୍‌ ଗୁଏନା ସ୍ପେସ୍‌ପୋର୍ଟରୁ ଜିସାଟ୍‌-୩୦ର ଉତ୍‌କ୍ଷେପଣ ହୋଇଛି। ୟୁରୋପୀୟ ରକେଟ୍‌ ଏରିୟନ ୫ ଦ୍ବାରା ଉପଗ୍ରହର ସଫଳ ଉତ୍‌କ୍ଷେପଣ ହୋଇଥିଲା। ଉତ୍‌କ୍ଷେପଣର ୩୮ ମିନିଟ୍‌ ମଧ୍ୟରେ ଏହା କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ଏହି ଉପଗ୍ରହ ଭାରତୀୟ ମେନ୍‌ଲ୍ୟାଣ୍ଡ୍‌ ସହ ଆଇଲାଣ୍ଡ୍‌ରେ ମଧ୍ୟ ଉତ୍ତମ ଯୋଗଯୋଗ ସେବା ଯୋଗାଇଦେବ। ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି, ଜିସାଟ୍‌-୩୦ ଡିଟିଏଚ୍‌ ଟେଲିଭିଜନ୍‌ ସେବା, ଏଟିଏମ୍‌ ପାଇଁ ଭିସାଟ୍‌ ଯୋଗାଯୋଗ ସେବାକୁ ଅଧିକ ସୁଦୃଢ଼ କରିବ। ଇଣ୍ଟରନେଟ୍‌ ଏବଂ ମୋବାଇଲ୍‌ ନେଟ୍‌ୱର୍କର ସଂପ୍ରସାରଣ କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ। ଜିସାଟ୍‌ ୩୦ ଇନ୍‌ସାଟ-୪ଏ’ର ସ୍ଥାନ ନେବ। ଚଳିତ ବର୍ଷ ଆରମ୍ଭରୁ ଏହି ସଫଳ ଉତ୍‌କ୍ଷେପଣ ସହିତ ଭାରତ ଯୋଗାଯୋଗ କ୍ଷେତ୍ରରେ ନିଜର ସ୍ଥିତି ଯଥେଷ୍ଟ ସୁଦୃଢ଼ କରିପାରିଛି। ଦେଶରେ ଏବେ ୫ ଜି ବ୍ୟବସ୍ଥା ପାଇଁ ତତ୍ପରତାର ସହ କାମ ହେଉଥିବା ବେଳେ ଏଭଳି ଶକ୍ତିଶାଳୀ ଉପଗ୍ରହ ଏ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଇସ୍ରୋ ସ୍ୟାଟେଲାଇଟ୍‌ ସେଣ୍ଟରର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି।

ସମ୍ବନ୍ଧିତ ଖବର