ଚନ୍ଦ୍ରଯାନ-୨: ଏବେ ରୋଭର୍‌ ‘ପ୍ରଜ୍ଞା’ଠାରୁ ଉତ୍ତର ଅପେକ୍ଷାରେ ଇସ୍ରୋ

ଇସ୍ରୋ ଖୋଜୁଛି ନାସାର ନୂତନ ଫଟୋ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏହାର ଚନ୍ଦ୍ରଯାନ-୨ ଅଭିଯାନରେ ପଠାଇଥିବା ମହାକାଶଯାନ ବିକ୍ରମ ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ରୋଭରକୁ ଭୂମିଷ୍ଠ କରାଇବାରେ ବିଫଳ ହେବାର ୧୦ ମାସ ପରେ ଇସ୍ରୋର ଏହି ଅଭିଯାନ ପ୍ରତି ଆଗ୍ରହ ପୁଣି ଉଜ୍ଜୀବିତ ହୋଇଛି। ଗତ ମେ ମାସରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପଠାଇଥିବା ଫଟୋସମୂହରୁ ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ କିଛି ବାଟ ଗତି କରିଥିବା ଜଣାଯାଇଛି। ସୁତରାଂ ଗତବର୍ଷ ଅନୁରୂପ ନାସା ଫଟୋରୁ ଚନ୍ଦ୍ରପୃଷ୍ଠରେ ମହାକାଶଯାନ ବିକ୍ରମର ଧ୍ବଂସାବଶେଷକୁ ନିଶ୍ଚିତ କରିଥିବା ଚେନ୍ନାଇର ବୈଷୟିକ ବିଶେଷଜ୍ଞ ସାନ୍‌ମୁଗା ସୁବ୍ରମଣ୍ୟନ୍‌ ନାସାର ସଦ୍ୟ ଫଠୋରୁ ପ୍ରଜ୍ଞାନ ଏବେ ସକ୍ରିୟ ଅଛି ବୋଲି ଦାବି କରିଛନ୍ତି।

ଏ ସମ୍ପର୍କରେ ସୁବ୍ରମଣ୍ୟନ୍‌ ଇମେଲ୍‌ରେ ନିଜର ଦାବି ସମ୍ବଳିତ ଫଟୋ ପଠାଇଛନ୍ତି ବୋଲି ଇସ୍ରୋ ଅଧ୍ୟକ୍ଷ କେ ଶିବମ୍‌ ସ୍ବୀକାର କରିଥିବା ବେଳେ ନାସା ପକ୍ଷରୁ ପରବର୍ତ୍ତୀ ଉତ୍ତରକୁ ଅପେକ୍ଷା କରିଥିବା କହିଛନ୍ତି। ସୁବ୍ରମଣ୍ୟନ୍‌ଙ୍କ ଅନୁଧ୍ୟାନ ଅନୁଯାୟୀ, ନାସା ପକ୍ଷରୁ ଚନ୍ଦ୍ରପୃଷ୍ଠର ଟିକିନିଖି ନିରୀକ୍ଷଣ କରୁଥିବା ଲୁନାର ରିକନାଇସାନ୍ସ ଅର୍ବିଟର(ଏଲ୍‌ଆର୍‌ଓ) ଗତବର୍ଷ ନଭେମ୍ବର ମାସରେ ଛାଡ଼ିଥିବା ଫଟୋଗୁଡ଼ିକରୁ ବିକ୍ରମର ଦୁର୍ଘଟଣାସ୍ଥଳ ଏବ ତାହାର ଧ୍ବଂସାବଶେଷ ସ୍ପଷ୍ଟ ଜଣାପଡୁଥିଲା। ସେହିପରି ଚନ୍ଦ୍ରର ମେରୁ ଅଞ୍ଚଳ ସବୁବେଳେ ଆଲୋକିତ ରହୁନଥିବାରୁ ଚନ୍ଦ୍ରପୃଷ୍ଠରୁ ୨ ମିଟର ଗଭୀରରେ ବିକ୍ରମ ପଶି ରହିଥିବା ଅନୁମାନ କରାଯାଉଥିଲା ଏବଂ ରୋଭର ପ୍ରଜ୍ଞାନ ସମ୍ପୂର୍ଣ୍ଣ ଅଦୃଶ୍ୟ ରହିଥିଲା। ତେବେ ନାସା ପକ୍ଷରୁ ଗତ ମେ’ରେ ସାର୍ବଜନୀନ ହୋଇଥିବା ଏଲ୍‌ଆର୍‌ଓର ଜାନୁଆରି ମାସର ଫଟୋସମୂହରୁ ପ୍ରଜ୍ଞାନ ଅକ୍ଷତ ଥିବା ଜଣାଯାଉଛି। ଏପରିକି ତାହା ବିକ୍ରମର ଧ୍ବଂସାବଶେଷଠାରୁ କିଛି ମିଟର ଆଗକୁ ଗତି କରିଥିବା ଜଣାପଡ଼ିଛି। ଭୂପୃଷ୍ଠରୁ ଇସ୍ରୋ ପଠାଉଥିବା କୌଣସି ଅଜ୍ଞାତ ନିର୍ଦ୍ଦେଶ ବିକ୍ରମ ଦ୍ବାରା ବିକିରିତ ହେବାରେ ପ୍ରଜ୍ଞାନ ତାହା ଗ୍ରହଣ କରି ଏପରି ଆଗକୁ ଗତି କରିଥିବା ସୁବ୍ରମଣ୍ୟନ୍‌ ଅନୁମାନ କରୁଛନ୍ତି।

ସମ୍ବନ୍ଧିତ ଖବର