ଭାରତୀୟ ଉପଗ୍ରହ ସହିତ ୮ଟି ଦେଶର ୩୦ଟି ଉପଗ୍ରହକୁ ଅନ୍ତରୀକ୍ଷକୁ ପଠାଇଲା ଇସ୍ରୋ

ଶ୍ରୀହରିକୋଟା: ମହାକାଶକୁ ଉପଗ୍ରହ ଉତ୍‌କ୍ଷେପଣ କରିବାରେ ଆଜି ଭାରତ ଆଉ ଏକ ମାଇଲ ସ୍ତମ୍ଭ ଅତିକ୍ରମ କରିଛି। ପୂର୍ବରୁ ୧୦୪ଟି ଉପଗ୍ରହକୁ ଅନ୍ତରୀକ୍ଷରେ ଅବସ୍ଥାପିତ କରି ବିରଳ କୃତିତ୍ୱ ହାସଲ କରିଥିବା ଇସ୍ରୋ ଆଜି ସକାଳ ୯ଟା ୫୮ ମିନିଟ ସମୟରେ ପୃଥିବୀ ନୀରିକ୍ଷଣ ଉପଗ୍ରହ ଏଚଓ୍ଵାଇ ଏସଆଇଏସ ଉପଗ୍ରହ ସହିତ ୮ଟି ଦେଶରର ୩୦ଟି ମାଇକ୍ରୋ ଓ ନାନୋ ସାଟେଲାଇଟକୁ ସଫଳତାର ସହିତ ଅନ୍ତରୀକ୍ଷକୁ ଉତ୍‌୍‌କ୍ଷେପଣ କରିଛି। ପିଏସଏଲଭି ସି ୪୩ ମହାକାଶ ଯାନରେ ଏହି ସବୁ ଉପଗ୍ରହକୁ ଅନ୍ତରୀକ୍ଷକୁ ପଠାଇବାରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ଇସ୍ରୋ ସଫଳତା ଅର୍ଜନ କରିଛି।


ଭାରତୀୟ ଉପଗ୍ରହ ଏଚଓ୍ଵାଇ ଏସଆଇଏସ ପୃଥିବୀର ଉପରିଭାଗ ଉପରେ ନଜର ରଖିବା ସହିତ ମୂର୍ତ୍ତିକା, ଜଳ, ସବୁଜବନାନୀ ଉପରେ ତଥ୍ୟ ସଂଗ୍ରହ କରି ପଠାଇବ।ଏପରିକି ପ୍ରଦୂଷଣ ମନିଟରିଂ କରିବା କ୍ଷମତା ମଧ୍ୟ ଏହି ଉପଗ୍ରହର ରହିଥିବା ଜଣାଯାଇଛି।
ଏଚଓ୍ଵାଇ ଏସଆଇଏସ ଉପଗ୍ରହର ଓଜନ ୩୮୦ କେଜି ହୋଇଥିିବା ବେଳେ ଏହାକୁ ୬୩୬ କିଲୋମିଟର ପୋଲାର ସନ୍‌ସିଙ୍କ୍ରୋନସ୍‌ ଅର୍‌ବିଟ୍‌ରେ ଅବସ୍ଥାପିତ କରାଯିବ। ୫ ବର୍ଷର ଜୀବନ ଅବଧି ଥିବା ଏହି ସାଟେଲାଇଟ୍‌ ଜରିଆରେ ସମଗ୍ର ପୃଥିବୀ ଉପରେ ନଜର ରଖାଯାଇ ପାରିବ। ସେହିପରି ଏଚଓ୍ଵାଇ ଏସଆଇଏସ ଉପଗ୍ରହ ସହିତ ଅଷ୍ଟେଅଲିଆ, କାନାଡ଼ା, କଲମ୍ବିଆ, ଫିନ୍‌ଲ୍ୟାଣ୍ଡ, ମାଲେସିଆ, ନେଦରଲ୍ୟାଣ୍ଡ, ସ୍ପେନ ଓ ଆମେରିକାର ଗୋଟିଏ ମାଇକ୍ରୋ ଓ ୨୯ଟି ନାନୋ ଉପଗ୍ରହକୁ ପଠାଇଛି। ଉପଗ୍ରହ ଗୁଡ଼ିକ ମଧ୍ୟରେ କେବଳ ଆମେରିକାର ଗୋଟିଏ ମାଇକ୍ରୋ ଓ ୨୨ଟି ନାନୋ ଉପଗ୍ରହ ରହିଛି। ବର୍ତ୍ତମାନ ସୁଦ୍ଧା ପିଏଓଏଲଭି ୨୮ଟି ଦେଶର ୨୩୯ଟି ଉପଗ୍ରହ ସହିତ ଭାରତର ୫୨ଟି ଉପଗ୍ରହକୁ କକ୍ଷ ପଥରେ ଅବସ୍ଥାପିତ କରିବାରେ ସଫଳ ହୋଇଛି।

ସମ୍ବନ୍ଧିତ ଖବର