ସାଟେଲାଇଟ୍ ଉତ୍କ୍ଷେପଣ ଦୁଇଗୁଣ କରିବାକୁ ଠିକାରେ କାମ କରାଇବ ଇସ୍ରୋ
ନୂଆଦିଲ୍ଲୀ: ତିନି ମାସର ବିରତି ପରେ ମଧ୍ୟ-ଡିସେମ୍ବରରୁ ପୁନଶ୍ଚ କୃତ୍ରିମ ଉପଗ୍ରହ ପ୍ରେରଣ କରିବାକୁ ଦ୍ରୁତ ପ୍ରସ୍ତୁତି ଆରମ୍ଭ କରିଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଆସନ୍ତା ବର୍ଷ ଠାରୁ କେବଳ ଉପଗ୍ରହ ପ୍ରେରଣ ସଂଖ୍ୟା ଦୁଇଗୁଣ କରିବ ନାହିଁ, ଘରୋଇ ସେକ୍ଟର୍ ଦ୍ୱାରା ଠିକାରେ ମଧ୍ୟ କାମ କରାଇବ।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ପ୍ରତି ଇସ୍ରୋ ବର୍ଷକୁ ନିଜ ଦ୍ୱାରା ନିର୍ମିତ ୯ରୁ ୧୦ଟି କୃତ୍ରିମ ଉପଗ୍ରହ ପ୍ରେରଣ କରୁଛି। ତିରୁବନନ୍ତପୁରମ ଠାରେ ଅବସ୍ଥିତ ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟର୍ର ନିର୍ଦେଶକ ଡକ୍ଟର୍ କେ ସିବନ୍ କହନ୍ତି: ପ୍ରତି ବର୍ଷ ୯-୧୦ ପରିବର୍ତ୍ତେ ୧୮-୧୯ଟି କୃତ୍ରିମ ଉପଗ୍ରହ ଉତ୍କ୍ଷେପଣ କରି ଇସ୍ରୋ ନିଜର ଲକ୍ଷ୍ୟ ଦୁଇଗୁଣ କରିବାକୁ ଯାଉଛି।
ଘରୋଇ ଶିଳ୍ପରୁ କାର୍ଯ୍ୟ କରାଇବା ସଙ୍କ୍ରାନ୍ତରେ ଇସ୍ରୋ ଚେଆର୍ମ୍ୟାନ୍ ଏ ଏସ୍ ଅଶ୍ୱିନୀ କୁମାର କହିଛନ୍ତି ଯେ ଇସ୍ରୋ ଶିଳ୍ପ ସଂସ୍ଥା ସହ ଜଡ଼ିତ ଯେତେ ସମ୍ଭବ ଅଧିକ କାର୍ଯ୍ୟକଳାପ କରୁଛି। ଶିଳ୍ପ ଦ୍ୱାରା ଯାହା କିଛି କରାଇ ହେବ ତାହା କରାଯାଉଛି। ଆମେ ଅଧିକ ସଂଖ୍ୟକ ଉତ୍କ୍ଷେପଣ ଲକ୍ଷ୍ୟ ରଖି ଥିବାରୁ ଆଗାମୀ ଦିନମାନଙ୍କରେ ଏ ଭଳି କାର୍ଯ୍ୟ କଳାପ ବୃଦ୍ଧି ପାଇବ।
ଲଞ୍ଚ୍ ଭେଇକିଲ୍ ସଂକ୍ରାନ୍ତ ୮୦% ରୁ ୯୦% କାର୍ଯ୍ୟ ସଂପ୍ରତି ଉଭୟ ପ୍ରାଇଭେଟ୍ ଏବଂ ପବ୍ଲିକ୍ ସେକ୍ଟର୍ ଦ୍ୱାରା କରାଯାଉଛି। କେବଳ ଜଟିଳ ଯନ୍ତ୍ରାଂଶଗୁଡ଼ିକ ଇସ୍ରୋ ନିର୍ମାଣ କରୁଛି।
୨୦୨୦-୨୧ରେ ଶିଳ୍ପ ଅଂଶୀଦାରଙ୍କ ସହ ମିଳିତ ଉଦ୍ୟୋଗରେ ପିଏସ୍ଏଲ୍ଭି ନିର୍ମାଣ କରାଇବାକୁ ଇସ୍ରୋ ବିଚାର କରୁଛି ବୋଲି ଚେୟାର୍ମ୍ୟାନ୍ କହିଛନ୍ତି।