ଚନ୍ଦ୍ରୟାନ-୨, ନାସା ଅର୍ବିଟର ଧକ୍କାକୁ ଏଡାଇଲା ଇସ୍ରୋ

ବେଙ୍ଗାଲୁରୁ: ଚନ୍ଦ୍ରୟାନ-୨ ଅର୍ବିଟର ସଂପର୍କରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି। ଗତ ମାସ ୨୦ ତାରିଖରେ ନାସାର ଲୁନାର ରିକନାଇସାନ୍ସ ଅର୍ବିଟର (ଏଲ୍‌ଆର୍‌ଓ) ଏବଂ ଚନ୍ଦ୍ରଯାନ-୨ ଅର୍ବିଟର ମଧ୍ୟରେ ସଂଘାତ ହୋଇଥାନ୍ତା। କିନ୍ତୁ ଇସ୍ରୋର ବୈଜ୍ଞାନିକମାନେ ଏହାକୁ ଟାଳି ଦେଇଛନ୍ତି। ଚନ୍ଦ୍ରର ଉତ୍ତର ମେରୁ ନିକଟରେ ଅକ୍ଟୋବର ୨୦ ତାରିଖରେ ଏହି ସଂଘାତ ହେବାର ଆଶଙ୍କା ରହିଥିଲା।

କିନ୍ତୁ ‌ସେହି ସମ୍ଭାବ୍ୟ ସଂଘାତର ସପ୍ତାହକ ପୂର୍ବରୁ ଇସ୍ରୋ ଓ ନାସାର ନିରବଚ୍ଛିନ୍ନ ତଥ୍ୟ ବିଶ୍ଳେଷଣରୁ ଏହା ମଧ୍ୟ ଜଣାଯାଇଥିଲା ଦୁଇ ମହାକାଶ ଯାନ ମଧ୍ୟରେ ଦୂରତାର ପାର୍ଥକ୍ୟ ଖୁବ୍‌ କମ୍ ରହିପାରେ। ତେଣୁ ସଂଘର୍ଷ ବିପଦକୁ ଦୂର କରିବା ପାଇଁ ଉଭୟ ଇସ୍ରୋ ଓ ନାସା ଚିନ୍ତା କରିଥିଲେ। ଉଭୟ ସଂସ୍ଥା ଏହା ମଧ୍ୟ ନିଷ୍ପତ୍ତି ନେଇଥିଲେ ଯେ ଏଭଳି ସ୍ଥିତିକୁ ଏଡ଼ାଇବା ପାଇଁ ଚନ୍ଦ୍ରୟାନ-୨ ଅର୍ବିଟର ପାଇଁ ସିଏଏମ୍ ବା କଲ୍ୟୁଜନ୍ ଆଭଏଡାନ୍ସ ମେକାନିଜିମ୍ କାର୍ଯ୍ୟକାରୀ କରାଯିବ।

ଅକ୍ଟୋବର ୧୮ ତାରିଖରେ ଉକ୍ତ କାର୍ଯ୍ୟ ସଂପାଦନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ଚନ୍ଦ୍ରର ମେରୁ କକ୍ଷରେ ଉଭୟ ଚନ୍ଦ୍ରୟାନ-୨ ଏବଂ ନାସାର ଏଲଆରଓ ବୁଲୁଥିବାରୁ ଏମାନେ ଚନ୍ଦ୍ରର ମେରୁ ପାଖରେ ନିକଟତର ହୋଇଥିଲେ।

ସମ୍ବନ୍ଧିତ ଖବର