ଜୁଲାଇ ୧୫ରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରାୟନ-୨; ଇସ୍ରୋ ପ୍ରକାଶ କଲା ବିରଳ ଫଟୋଚିତ୍ର

ବେଙ୍ଗାଲୁରୁ/ ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ନିଜର ବହୁଚର୍ଚ୍ଚିତ ଓ ପ୍ରତୀକ୍ଷିତ ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୨ ଆରମ୍ଭ କରିବା ପୂର୍ବରୁ ଆଜି ବେଙ୍ଗାଲୁରୁ ଠାରେ ଚନ୍ଦ୍ରାୟନ-୨ର ଅନେକ ଗୁରୁତ୍ୱପୂର୍ଣ୍ଣ ଓ ବିରଳ ଫଟୋକୁ ସର୍ବପ୍ରଥମ ଥର ପାଇଁ ପ୍ରଦର୍ଶିତ କରିଛି।

Zee News India

ଚନ୍ଦ୍ରାୟନ-୨କୁ ଆସନ୍ତା ଜୁଲାଇ ୧୫ ତାରିଖରେ ଚନ୍ଦ୍ରକୁ ପ୍ରେରଣ କରିବା ସହ ୬ ସେପ୍ଟେମ୍ବର ୨୦୧୯ରେ ଏହାକୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଇବା ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ। ଜୁଲାଇରେ ହେବାକୁ ଥିବା ଚନ୍ଦ୍ରାୟନ-୨ କାର୍ଯ୍ୟକ୍ରମ ପାଇଁ ଏବେ ଚଳଚଞ୍ଚଳ ହୋଇଉଠିଛି ଇସ୍ରୋ। ଏବଂ ଏହି ଅବସରରେ ଆଜି (ବୁଧବାର) ବେଙ୍ଗାଲୁରୁ ଠାରେ ସର୍ବପ୍ରଥମ ଥର ପାଇଁ ଚନ୍ଦ୍ରାୟନ-୨ର ଫଟୋକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରିଛି ଇସ୍ରୋ।

Zee News India

ଜୁଲାଇ ୧୫ ତାରଖରେ ଚନ୍ଦ୍ରପୃଷ୍ଠକୁ ଯାତ୍ରା ଆରମ୍ଭ କରିବାକୁ ଥିବା ଚନ୍ଦ୍ରାୟନ-୨ ଯାନରେ ତିନିଟି ଗୁରୁତ୍ୱପୂର୍ଣ୍ଣ ଯାନ ରହିଛି। ପ୍ରଥମଟି ‘ଅବ୍ରିଟର’ ହୋଇଥିବା ବେଳେ ଦ୍ୱିତୀୟଟି ହେଉଛି ‘ଲାଣ୍ଡର’ (ବିକ୍ରମ) ଏବଂ ତୃତୀୟଟି ହେଉଛି ‘ରୋଭର୍‌’ (ପ୍ରଜ୍ଞାନ)। ‘ରୋଭର’କୁ ରଖାଯାଇଛି ‘ଲାଣ୍ଡର’ ମଧ୍ୟରେ।

Zee News India

ଏହି ତିନିଟି ଯାନକୁ ଗୋଟିଏ ଜିଏସ୍‌ଏଲ୍‌ଭି ଏମ୍‌କେ- ।।। ରକେଟ ମଧ୍ୟରେ ରଖାଯାଇ ଏହାକୁ ଅନ୍ତରୀକ୍ଷକୁ ଛଡ଼ାଯିବ। ଅନ୍ତରୀକ୍ଷର କକ୍ଷ ପଥରେ ପହଞ୍ଚିବା ପରେ ଏହି ତିନିଟି ଯାନ ରକେଟ ଠାରୁ ଅଲଗା ହୋଇଯିବ। ପରେ ଅରବିଟର, ଲାଣ୍ଡର ଓ ରୋଭରକୁ ଧରି ପୃଥିବୀ କକ୍ଷ ପଥରେ ଘୂରି ବୁଲିବ। ପରବର୍ତ୍ତୀ ସମୟରେ ଲାଣ୍ଡର ଓ ରୋଭର ଅରବିଟର ଠାରୁ ଅଲଗା ହୋଇଯିବେ ଏବଂ ରୋଭରକୁ ଧରି ଲାଣ୍ଡର ଯାଇ ଚନ୍ଦ୍ରପୃଷ୍ଠରେ ଅବତାରଣ କରିବ।

Zee News India

ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ରୋଭର ଲାଣ୍ଠର ଠାରୁ ଅଲଗା ହୋଇଯିବ ଏବଂ ଚନ୍ଦ୍ରପୃଷ୍ଠରେ ଘୂରି ବୁଲିବା ସହ ଚନ୍ଦ୍ରପୃଷ୍ଠର ଅଜ୍ଞାତ ତଥ୍ୟ ଓ ଫଟୋଚିତ୍ର ସବୁକୁ ସଂଗ୍ରହ କରିବା ସହ ସେସବୁକୁ ଇସ୍ରୋକୁ ପ୍ରେରଣ କରିବ। ଏଥିପାଇଁ ଇସ୍ରୋ ପକ୍ଷରୁ ବ୍ୟାପକ ଉପକରଣ ଓ ଉଚ୍ଚ କ୍ଷମତା ସଂପନ୍ନ କ୍ୟାମେରା ରୋଭରରେ ଖଞ୍ଜା ଯାଇଛି।

Zee News India

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୧ ନାମରେ ପ୍ରଥମ ଚନ୍ଦ୍ର ଅଭିଯାନ କାର୍ଯ୍ୟକ୍ରମ ହୋଇଥିଲା। ତେବେ, ଚନ୍ଦ୍ରାୟନ-୧ରେ ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ ପାଇଁ ରୋଭର ପରି କୌଣସି ଯାନ ନଥିଲା। ଚନ୍ଦ୍ରାୟନ-୧ କେବଳ ଚନ୍ଦ୍ରର କକ୍ଷ ପଥରେ ଘୂରିବୁଲି ଚନ୍ଦ୍ରର ତଥ୍ୟ ସଂଗ୍ରହ କରିଥିଲା। ଚନ୍ଦ୍ରାୟନ-୧ର ୯ ବର୍ଷ ପରେ ଏବେ ଦ୍ୱିତୀୟ ଚନ୍ଦ୍ର ଅଭିଯାନରେ ଚନ୍ଦ୍ରାୟ୍ରନ-୨ରେ ରୋଭର ଯାନ ରହିଛି। ଯାହାକି ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ସହ ସିଧାସଳଖ ତଥ୍ୟ ସଂଗ୍ରହ କରିବ। ଚନ୍ଦ୍ରାୟନ-୨ ସଫଳତା ପାଇଲେ ଇସ୍ରୋ ନିଜର ମଙ୍ଗଳାୟନ କାର୍ଯ୍ୟକ୍ରମ ପୂର୍ବରୁ ବିଶ୍ୱ ମହାକାଶ ଗବେଷଣା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରିବ।

ସମ୍ବନ୍ଧିତ ଖବର