ବେଙ୍ଗାଲୁରୁ: ଚନ୍ଦ୍ରର ଦକ୍ଷିଣ ପାର୍ଶ୍ବରେ ଅବତରଣ କରି ଚନ୍ଦ୍ରଯାନ ୩ ଇତିହାସ ସୃଷ୍ଟି କରିଥିବା ବେଳେ ଏହାର ରୋଭର୍ ପ୍ରଜ୍ଞାନ ଏବେ ଚନ୍ଦ୍ରରେ ବୁଲି ତଥ୍ୟ ସଂଗ୍ରହ କରୁଛି। ପ୍ରଜ୍ଞାନ ଚନ୍ଦ୍ର ଗର୍ଭରେ ଲୁଚିଥିବା ରହସ୍ୟ ବିଶ୍ବ ସମ୍ମୁଖକୁ ଆଣିବା କାମରେ ନିୟୋଜିତ ରହିଛି। ୨୬ କିଲୋଗ୍ରାମ ଓଜନର ଏହି ରୋଭର୍ ପ୍ରାୟ ୫ ଶହ ମିଟର (୧୬୦୦ ଫୁଟ) ପର୍ଯ୍ୟନ୍ତ ହିଁ ଯାଇପାରିବ।
ଗତକାଲି ଏହା ଲ୍ୟାଣ୍ଡରଠାରୁ ୮ ମିଟର ଦୂରତା ପର୍ଯ୍ୟନ୍ତ ଯାଇଥିଲା। ଏହାର ଗତି ସେକେଣ୍ଡ ପ୍ରତି ୧ ସେଣ୍ଟିମିଟର ରହିଛି। ଆଗାମୀ ୧୩ ଦିନ ପର୍ଯ୍ୟନ୍ତ ଏହା କାମ କରିବାକୁ ସକ୍ଷମ ହେବ ବୋଲି ଆଶା କରାଯାଉଛି। ଲ୍ୟାଣ୍ଡର୍ର ଅନ୍ୟ ୩ଟି ପେଲୋଡ ଇଲ୍ସା, ରମ୍ଭା ଏବଂ ଚାଷ୍ଟେକୁ ମଧ୍ୟ ସକ୍ରିୟ କରାଯାଇଛି। ରୋଭର୍ ଏବେ ଚନ୍ଦ୍ରରେ ପାଣି ସମେତ ବିଭିନ୍ନ ଖଣିଜତତ୍ତ୍ବର ସନ୍ଧାନ କରୁଛି। ଚନ୍ଦ୍ରରେ ସିଲିକନ, ଆଇରନ୍, ମାଙ୍ଗାନିଜ, ଲିଥିୟମ, ଟିଟାନିୟମ, ମ୍ୟାଗ୍ନେସିୟମ ଆଦି ମହଜୁଦ ରହିଥିବା ସମ୍ଭବନା ଥିବାରୁ ଏ ନେଇ ରୋଭର ତଥ୍ୟ ସଂଗ୍ରହ ଜାରି ରଖିବ।