ବେଙ୍ଗାଲୁରୁ: ମହାକାଶଯାନ ‘ଜିଏସ୍ଏଲ୍ଭି-ଏଫ୍୧୦’ରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହେବାରୁ ‘ଇସ୍ରୋ’ ‘ଜିଓ ଇମେଜିଙ୍ଗ୍ ସାଟେଲାଇଟ୍ ଜିସାଟ୍-୧’ର ଉତ୍କ୍ଷେପଣ ସମୟ ନିର୍ଘଣ୍ଟ ବା ତାରିଖ ପରିବର୍ତ୍ତନ କରିଛି।
ପାଗଯୋଗକୁ ଚାହିଁ ମାର୍ଚ ୨୮ ତାରିଖ ଦିନ ଏହି କୃତ୍ରିମ ଉପଗ୍ରହଟିକୁ ଉତ୍କ୍ଷେପଣ କରିବା ଲାଗି ପୂର୍ବରୁ ‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ’ (ଇସ୍ରୋ) ବନ୍ଦୋବସ୍ତ କରିଥିଲା।
/sambad/media/post_attachments/wp-content/uploads/2021/03/statelite1.jpg)
ସମ୍ପ୍ରତି ‘ଇସ୍ରୋ’ସୂତ୍ରରୁ ଜଣାପଡ଼ିଛି ଯେ, ଉପରୋକ୍ତ କୃତ୍ରିମ ଉପଗ୍ରହରେ ସାମାନ୍ୟ ସମସ୍ୟା ଉପୁଜିଛି। ଏପ୍ରିଲ୍ ୧୮ ତାରିଖରେ ତାହାକୁ ଉତ୍କ୍ଷେପଣ କରିବା ଲାଗି ଏବେ ଯୋଜନା କରାଯାଉଛି।
ମୂଳତଃ, ‘ଜିସାଟ୍-୧’କୁ ଚେନ୍ନାଇର ୧୦୦ କିଲୋମିଟର୍ ଉତ୍ତର ଦିଗରେ ଥିବା ଶ୍ରୀହରିକୋଟା ‘ସ୍ପେସ୍ପୋର୍ଟ’ରୁ ଗତବର୍ଷ ମାର୍ଚ ୫ ତାରିଖରେ ଉତ୍କ୍ଷେପଣ କରାଯିବାର ଯୋଜନା ଥିଲା। କିନ୍ତୁ, ବୈଷୟିକ ତ୍ରୁଟିବିଚ୍ୟୁତି ଯୋଗୁଁ ଦିନକ ପୂର୍ବରୁ ‘ଜିସାଟ୍-୧’ର ଉତ୍କ୍ଷେପଣ ସ୍ଥଗିତ ରଖାଯାଇଥିଲା।
କରୋନାଭାଇରସ୍ ପ୍ରାର୍ଦ୍ରୁଭାବଜନିତ ଲକ୍ଡାଉନ୍ କାରଣରୁ ସ୍ୱାଭାବିକ କାର୍ଯ୍ୟଧାରାରେ ବ୍ୟାଘାତ ସୃଷ୍ଟି ହେବାରୁ ୨,୨୬୮ କିଲୋ ଓଜନବିଶିଷ୍ଟ ‘ଜିସାଟ୍-୧’ ଉତ୍କ୍ଷେପଣ ବାଧାପ୍ରାପ୍ତ ହୋଇଥିବା କଥା ପୂର୍ବରୁ ‘ଇସ୍ରୋ’ କହିଥିଲା।