ଜିଏସ୍‌ଏଟି-୬ଏ ଉପଗ୍ରହକୁ ଅନ୍ତରୀକ୍ଷ ପ୍ରେରଣ ପାଇଁ ଇସ୍ରୋ ପକ୍ଷରୁ ‘କାଉଣ୍ଟଡାଉନ୍‌’ ଆରମ୍ଭ

ଭାରତୀୟ ସଶସ୍ତ୍ର ସେନା ବାହିନୀର ଯୋଗାଯୋଗ ବ୍ୟବସ୍ଥାରେ ଆଣିବ ଅଦ୍ଭୁତପୂର୍ବ ବିକାଶ

ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ସଫଳତାରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି। ଯୋଗାଯୋଗ କ୍ଷେତ୍ରରେ ଏକ ଏକ ଯୁଗାନ୍ତକାରୀ ବିକାଶ ଘଟାଇବା ଲକ୍ଷ୍ୟରେ ଜିଏସ୍‌ଏଟି-୬ଏ ନାମକ ଏକ ନୂତନ ଉପଗ୍ରହ (ସାଟେଲାଇଟ୍‌)କୁ ଇସ୍ରୋ ଗୁରୁବାର ଦିନ ଅନ୍ତରୀକ୍ଷର କକ୍ଷପଥରେ ଛାଡ଼ିବା ପାଇଁ ସମସ୍ତ ପ୍ରକାରର ପ୍ରାକ୍‌ ପ୍ରସ୍ତୁତିକୁ ଶେଷ କରିଛି।

ଜିଏସ୍‌ଏଟି-୬ଏ ନାମକ ଏକ ନୂତନ ଉପଗ୍ରହ ଅନ୍ତରୀକ୍ଷର କକ୍ଷପଥରେ ରହି କାର୍ଯ୍ୟକ୍ଷମ ହେଲେ ଏହା ଭାରତୀୟ ସଶସ୍ତ୍ର ସେନା ବାହିନୀର ଯୋଗାଯୋଗ ବ୍ୟବସ୍ଥା କ୍ଷେତ୍ରରେ ଅଦ୍ଭୁତପୂର୍ବ ବିକାଶ ଘଟାଇବା ସହ ଏକ ଅସ୍ତ୍ର ସଦୃଶ କାର୍ଯ୍ୟ କରିବ। ଏଥିସହ ଏହି ନୁତନ ଉପଗ୍ରହ ଭାରତ ଦ୍ୱିତୀୟ ଚନ୍ଦ୍ରାୟନ ମିଶନ ପାଇଁ ମଧ୍ୟ ଏକ ବାରଦାନ ସଦୃଶ କାର୍ଯ୍ୟ କରିବ। ଆସନ୍ତା ଅକ୍ଟୋବର ମାସରେ ପ୍ରସ୍ତାବିତ ଚନ୍ଦ୍ରାୟନ- ୨ ଅଭିଯନକୁ ଏହା ଆହୁରି ଫଳପ୍ରଦ ଓ ସଫଳ କରିବା ଦିଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଉଛି।

ଗୁରୁବାର ଭାରତୀୟ ସମୟ ସମୟ ଅପରାହ୍ନ ୪ଟା ୫୬ ମିନିଟରେ ଜିଏସ୍‌ଏଲ୍‌ଭି ଏମ୍‌କେ-II (ଜିଏସ୍‌ଏଲ୍‌ଭି-ଏଫ୍‌୦୮) ଉତ୍‌କ୍ଷେପଣ ରକେଟ ସାହାଯ୍ୟରେ ୨,୧୪୦ କିଲୋ ଓଜନ ବିଶିଷ୍ଟ ଜିଏସ୍‌ଏଟି-୬ଏ ଉପଗ୍ରହକୁ ଚେନ୍ନାଇର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ସ୍ପେସ୍‌ ସେଣ୍ଟରରୁ ଅନ୍ତରୀକ୍ଷକୁ ପ୍ରେରଣ କରିବା ପାଇଁ ଇସ୍ରୋ ପକ୍ଷରୁ ଏବେ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହେବା ସହ ‘କାଉଣ୍ଟଡାଉନ୍‌’ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର