ନୂଆଦିଲ୍ଲୀ : ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ପିଏସଏଲ୍‌ଭି -ସି୪୭ ଉତ୍‌କ୍ଷେପଣ ଯାନ ଦ୍ବାରା ଆଜି କାର୍ଟୋସାଟ୍‌-୩ ଉପଗ୍ରହ ଏବଂ ଆମେରିକାର ୧୩ଟି ନାନୋ ଉପଗ୍ରହର ସଫଳ ଉତ୍‌କ୍ଷେପଣ କରିଛି। ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଜି ପୂର୍ବାହ୍ନ ୯.୨୮ ସମୟରେ କାର୍ଟୋସାଟ୍‌-୩ ଏବଂ ଅନ୍ୟ ନାନୋ ଉପଗ୍ରହଗୁଡ଼ିକର ଉତ୍‌କ୍ଷେପଣ କରାଯାଇଥିଲା। ଉତ୍‌କ୍ଷେପଣର ୧୭ ମିନିଟ୍‌ ପରେ କାର୍ଟୋସାଟ୍‌-୩ କକ୍ଷପଥରେ ଅବସ୍ଥାପିତ ହୋଇଥିଲା ଏବଂ ଏହାର ପରବର୍ତ୍ତୀ ୧୦ ମିନିଟ୍‌ରେ ନାନୋ ଉପଗ୍ରହଗୁଡ଼ିକ ଗୋଟିଏ ପରେ ‌ଗୋଟିଏ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଥିବା ଇସ୍ରୋ ସୂତ୍ରରୁ ଜଣାପଡ଼ିଛି। ଉତ୍‌କ୍ଷେପଣର ୨୭ ମିନିଟ୍‌ ମଧ୍ୟରେ ସମଗ୍ର ମିସନ୍‌ ଶେଷ ହୋଇଥିଲା। ଚଳିତ ବର୍ଷ ଇସ୍ରୋ ଦ୍ବାରା ଏହା ପଞ୍ଚମ ଉତ୍‌କ୍ଷେପଣ। ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି କାର୍ଟୋସାଟ୍‌-୩ର ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଥିଲା। ଇସ୍ରୋ ଦ୍ବାରା‌ ଏ ପର୍ଯ୍ୟନ୍ତ ବିକଶିତ ହୋଇଥିବା ଭୂ ଅଧ୍ୟୟନ ଉପଗ୍ରହ ମଧ୍ୟରୁ ଏହା ସବୁଠୁ ଅତ୍ୟାଧୁନିକ। ଇସ୍ରୋ ଦ୍ବାରା ଗତ ୨୦୦୫ରୁ ଏଯାବତ୍‌ ୮ଟି କାର୍ଟୋସାଟ୍‌ ଉପଗ୍ରହ ଉତ୍‌କ୍ଷେପଣ କରାଯାଇଛି ଏବଂ ଏଥିସହ ସମୁଦାୟ ୩୧୦ଟି ବିଦେଶୀ ଉପଗ୍ରହ ଉତ‌୍‌କ୍ଷେପଣ କରାଯାଇଛି।

Advertisment

କାର୍ଟୋସାଟ୍‌-୩ ହେଉଛି ଭାରତର ଭୂ ଅଧ୍ୟୟନ ଏବଂ ଗୁଇନ୍ଦା ଉପଗ୍ରହ। ଏହା ସହରୀ ଯୋଜନା, ଗ୍ରାମୀଣ ସମ୍ବଳ ଏବଂ ଭିତ୍ତିଭୂମି ବିକାଶ, ଜମିର ଆବରଣ ଏବଂ ଉପକୂଳ ଜମିର ଉପଯୋଗ ସଂକ୍ରାନ୍ତ ଅଧ୍ୟୟନ ଜାରି ରଖିବ। କା‌ର୍ଟୋସାଟ୍‌-୩ରୁ ୫ ବର୍ଷ ପର୍ଯ୍ୟନ୍ତ ଏହାର କାର୍ଯ୍ୟ ସଂପାଦନ କରିବ। ଶ୍ରୀହରିକୋଟ‌ା ଏସ୍‌ଡିଏସ୍‌ସିରୁ ଇସ୍ରୋର ଏହା ୭୪ ତମ ମିସନ୍‌ ଥିଲା। ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ କହିଛନ୍ତି, ମାର୍ଚ୍ଚ ସୁଦ୍ଧା ୧୩ଟି ମିସନ୍‌ ଯୋଜନା କରାଯାଇଥିଲା।