ସାଟେଲାଇଟ୍‌ ଚିତ୍ର ଯୋଗେ ସାମୁଦ୍ରିକ ନିରାପତ୍ତା ଏଜେନ୍‌ସିକୁ ସାହାଯ୍ୟ କରିବ ଇସ୍ରୋ

ନୂଆଦିଲ୍ଲୀ: ଉପକୂଳବର୍ତ୍ତୀ ଏବଂ ସାମୁଦ୍ରିକ ନିରାପତ୍ତା ପାଇଁ ନିଯୁକ୍ତ ଏଜେନ୍‌ସିଙ୍କୁ ସାହାଯ୍ୟ କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)। ସାଟେଲାଇଟ୍‌ ଚିତ୍ର ଯୋଗେ ସନ୍ଦେହଜନକ ପୋତ ଏବଂ ଡଙ୍ଗାଗୁଡ଼ିର ଗତିବିଧି ଉପରେ ଦୃଷ୍ଟି ରଖିବା ପାଇଁ ଇସ୍ରୋ ନିରାପତ୍ତା ଏଜେନସିଙ୍କୁ ସହାୟତା କରିବ।

ଡଙ୍ଗାଗୁଡ଼ିକର ସାଟେଲାଇଟ୍‌ ମନିଟରିଙ୍ଗ୍‌ ପାଇଁ ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ଇସ୍ରୋ ୧୦୦୦ଟି ଟ୍ରାନ୍‌ସ୍ପୋଣ୍ଡର୍‌ ଯୋଗାଇ ଦେବ। ଆତଙ୍କବାଦୀମାନେ ସମୁଦ୍ର ପଥରେ ଆସି ୨୬/୧୧ ଭଳି କରିଥିବା ଆକ୍ରମଣକୁ ପ୍ରତିରୋଧ କରିବା ଏ ଭଳି ଉଦ୍ୟମର ଉଦ୍ଦେଶ୍ୟ।

ଅଟୋମେଟିକ୍‌ ଆଡେଣ୍ଟିଫିକେସନ୍‌ ସିଷ୍ଟମ୍‌ ୨୦ ମିଟର୍‌ରୁ ଅଧିକ ଆକାର ଡଙ୍ଗାକୁ ମନିଟର୍‌ କରିପାରେ। ସାଟେଲାଇଟ୍‌ ମନିଟରିଙ୍ଗ୍‌ ଯୋଗେ ୨୦ ମିଟର୍‌ରୁ କମ୍‌ ଆକାରଣ ଡଙ୍ଗାକୁ ମଧ୍ୟ ମନିଟରିଙ୍ଗ୍‌ କରିହେବ ବୋଲି ଶୁକ୍ରବାର ଦିନ ଗୃହମନ୍ତ୍ରାଳୟର ଅଧିକାରୀମାନେ କହିଛନ୍ତି।

ଭାରତୀୟ ଉପକୂଳରେ ପହଞ୍ଚୁଥିବା ସନ୍ଦେହଜନକ ପୋତଗୁଡ଼ିକର ଗତିବିଧି ଉପରେ କଡ଼ା ଦୃଷ୍ଟି ରଖିବାକୁ ଆବଶ୍ୟକ ଉପକରଣ ସବୁ ବିଭିନ୍ନ ଆଡ଼େ ଲଗା ଗଲାଣି। ଏଥିପାଇଁ ୪୬ ଉପକୂଳବର୍ତ୍ତୀ ରାଡାର୍‌ ଏବଂ ୭୪ଟି ସ୍ୱୟଂଚାଳିତ ଆଇଡି ସିଷ୍ଟମ୍‌ ବସା ଯାଇଛି। ଉପକୂଳବର୍ତ୍ତୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସବୁ ଡଙ୍ଗାର କଲର୍‌ କୋଡିଙ୍ଗ୍‌ କରୁଛନ୍ତି। ତାହା ଦ୍ୱାରା ଦୂର ସମୁଦ୍ର ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ସୀମାରେଖା ଉପରେ ସହଜରେ ଦୃଷ୍ଟି ଦେଇ ହେବ।

Image Courtesy of NBT

ନିରାପତ୍ତା ଅବ୍ୟବସ୍ଥା ଯୋଗୁଁ ୨୦୦୮ ମୁମ୍ବାଇ ଆକ୍ରମଣ ସମ୍ଭବ ହୋଇଥିଲା। ସେଥିପାଇଁ ଗୃହମନ୍ତ୍ରାଳୟ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଅବ୍ୟବସ୍ଥାର ସୁଯୋଗ ନେଇ ପାକିସ୍ତାନୀ ଆତଙ୍କବାଦୀମାନେ କରାଚି ଉପକୂଳରୁ ମୁମ୍ବାଇ ଉପକୂଳକୁ ଆସି ପାରିଥିଲେ। କରାଚିରୁ ସେମାନେ ଏକ ପାକିସ୍ତାନୀ ପୋତରେ ଆସିବା ପରେ ଏକ ଭାରତୀୟ ମାଛଧରା ଡଙ୍ଗା ଯୋଗେ ମୁମ୍ବାଇକୁ ଆସିଥିଲେ। ତାଜ୍‌ ହୋଟେଲ୍‌ରେ ଆକ୍ରମଣ କରି ସେମାନେ ୧୬୬ ଜଣ ବ୍ୟକ୍ତିଙ୍କୁ ମାରିଥିଲେ।

ନିରାପତ୍ତା ଦୃଷ୍ଟିରୁ ଅଧିକାଂଶ ମତ୍ସ୍ୟଜୀବୀଙ୍କୁ ବାୟୋମାଟ୍ରିକ୍‌ କାର୍ଡ ଦିଆଯାଇଛି ବୋଲି ଶୁକ୍ରବାର ଦିନ ଗୃହମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି। ୧୯. ୯ ଲକ୍ଷ ମତ୍ସ୍ୟଜୀବଙ୍କ ମଧ୍ୟରୁ ୧୯. ୭ ଲକ୍ଷ ମତ୍ସ୍ୟଜୀବୀଙ୍କୁ ତାଲିକାଭୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୮.୬ ଲକ୍ଷ ମତ୍ସ୍ୟଜୀବୀଙ୍କୁ କାର୍ଡ ଦିଆଯାଇଛି।

ଭାରତରେ ସମୁଦାୟ ୭, ୫୧୬ କିଲୋମିଟର୍‌ ଲମ୍ବ ସମୁଦ୍ରକୂଳ ରହିଛି। ଏହା ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଏବଂ ଦାମନ ଓ ଡିୟୁ, ଲାକ୍ଷାଦ୍ୱୀପ, ପୁଦ୍ଦୁଚେରୀ, ଆଣ୍ଡାମାନ ଓ ନିକୋବର ଆଦି କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ। ଅନେକ ଗୁଡ଼ିଏ ନୁଉକ୍ଲିୟର୍‌ ପ୍ଲାଣ୍ଟ୍‌, ବନ୍ଦର, ନୌସେନା ଘାଟି, ରକେଟ୍‌ ଉତ୍‌କ୍ଷେପଣ କେନ୍ଦ୍ର, ତୈଳ ବିଶୋଧନାଗାର ଆଦି ଉପକୂଳରେ ଅବସ୍ଥିତ। ତେଣୁ ଉପକୂଳବର୍ତ୍ତୀ ଏବଂ ସାମୁଦ୍ରିକ ନିରାପତ୍ତା ଅତି ଗୁରୁତ୍ୱପୂର୍ଣ୍ଣ।

୨୦୦୫ ରୁ ୨୦୧୧ ମଧ୍ୟରେ ୬୪୬ କୋଟି ଟଙ୍କାରେ ଇଣ୍ଟେଗ୍ରେଟେଡ୍‌ କୋଷ୍ଟାଲ୍‌ ସିକ୍ୟୁରିଟି ସ୍କିମ୍‌ର ପ୍ରଥମ ପର୍ଯ୍ୟାୟ ଲାଗୁ କରାଯାଇଥିଲା। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ସମୁଦାୟ ୧, ୫୮୦ କୋଟି ଟଙ୍କା ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର