ଡିସେମ୍ବର ସୁଦ୍ଧା ମହାକାଶ ଯାତ୍ରା କରିବ ଭାରତୀୟ ରୋବୋର୍ଟ ‘ବ୍ୟୋମମିତ୍ର’

ନୂଆଦିଲ୍ଲୀ : ଆସନ୍ତା ୨୦୨୨ରେ ଭାରତ ମହାକାଶକୁ ମନୁଷ୍ୟ ପ୍ରେରଣ କରିବାକୁ ଲକ୍ଷ୍ୟ ରଖିଛି । ଏବେଠାରୁ ଇସ୍ରୋ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପ୍ରସ୍ତୁତିର ଏକ ଅଂଶସ୍ୱରୂପ ଆସନ୍ତା ଡିସେମ୍ବର ମାସରେ ଇସ୍ରୋ ପକ୍ଷରୁ ମହାକାଶକୁ ଏକ ଅର୍ଦ୍ଧ-ମାନବାକୃତି ରୋବୋର୍ଟ ପ୍ରେରଣ କରିବାକୁ ଯୋଜନା କରାଯାଉଛି ।

ବୁଧବାରଦିନ ଇସ୍ରୋ ପକ୍ଷରୁ ପ୍ରଦର୍ଶିତ ହୋଇଥିବା ଏହି ଅର୍ଦ୍ଧ-ମାନବାକୃତି ରୋବୋର୍ଟର ନାମ ରଖାଯାଇଛି ବ୍ୟୋମମିତ୍ର । ଏହା ଏକ ଅର୍ଦ୍ଧ-ମାନବାକୃତି ରୋବୋର୍ଟ କାରଣ ଏହା କେବଳ ମୁଣ୍ଡଠାରୁ ଅଣ୍ଟା ପର୍ଯ୍ୟନ୍ତ ରହିଛି । ଏହି ରୋବୋର୍ଟ ସାଧାରଣ ମନୁଷ୍ୟ ସହ କଥାବାର୍ତ୍ତା କରିପାରିବ, କଥାର ନକଲ କରିପାରିବ, ପ୍ରଶ୍ନର ଉତ୍ତର ଦେଇପାରିବ । ମହାକାଶକୁ ପ୍ରକୃତ ମନୁଷ୍ୟ ପ୍ରେରଣ କରିବା ପୂର୍ବରୁ ଏହି ରୋବୋର୍ଟ ଇସ୍ରୋକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ ବୋଲି ଇସ୍ରୋର ବୈଜ୍ଞାନିକ ସାମ ଦୟାଲ କହିଛନ୍ତି ।

 

ଆସନ୍ତା ୨୦୨୨ ରେ ଭାରତ ମହାକାଶକୁ ମଣିଷ ପଠାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ରେ ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । କେନ୍ଦ୍ର ସରକାର ମଧ୍ୟ ଏହି ପ୍ରକଳ୍ପକୁ ସବୁଜସଂକେତ ଦେଇ ପ୍ରାୟ ୧୦ ହଜାର କୋଟି ମଂଜୁର କରିଛନ୍ତି । ଏହି ମହାକାଶ ଯାତ୍ରା ପାଇଁ ଇସ୍ରୋ ପକ୍ଷରୁ ଇତିମଧ୍ୟରେ ସମ୍ଭାବ୍ୟ ମହାକାଶଚାରୀଙ୍କୁ ଚୟନ କରାଯାଇ ଋଷରେ ତାଲିମ ପ୍ରଦାନ କରାଯାଉଛି ।

ସମ୍ବନ୍ଧିତ ଖବର