ତାମିଲନାଡୁରେ ପ୍ରତିଷ୍ଠା ହେବ ଇସ୍ରୋର ୨ୟ ଉତକ୍ଷେପଣ କେନ୍ଦ୍ର, ଜମି ଅଧିଗ୍ରହଣ ଆରମ୍ଭ

ବାଙ୍ଗାଲୁରୁ : ତାମିଲନାଡୁର ଥୁତୁକୋଡ଼ି ଜିଲ୍ଲାର କୁଲାସେକରାପଟ୍ଟିନମରେ ନିଜର ୨ୟ ଉତକ୍ଷେପଣ କେନ୍ଦ୍ର ସ୍ଥାପନ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଏବେ ଇସ୍ରୋର ଏକମାତ୍ର ରକେଟ ଉତ୍‌କ୍ଷେପଣ ତଥା ମହାକାଶ କେନ୍ଦ୍ର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ରହିଛି । ଏହାର ନାମ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ର ।

ତାମିଲନାଡ଼ରେ ନିଜର ଏହି ୨ୟ ଉତକ୍ଷେପଣ କେନ୍ଦ୍ର ସ୍ଥାପନ ନିମନ୍ତେ ଇସ୍ରୋ ପକ୍ଷରୁ ୨୩୦୦ ଏକର ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ତେବେ ଏହି ୨ୟ ଉତକ୍ଷେପଣ କେନ୍ଦ୍ରର ନାଁ କ’ଣ ରଖାଯିବ ସେ ସଂପର୍କରେ ଏବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ପ୍ରାରମ୍ଭରେ ଛୋଟ ସାଟେଲାଇଟ ବହନ କରୁଥିବା ରକେଟ ଏଠାରୁ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍ କହିଛନ୍ତି । ଛୋଟ ସାଟେଲାଇଟଗୁଡ଼ିକୁ କକ୍ଷପଥରେ ସ୍ଥାପନ କରିବାକୁ ଏହି ଥୁତୁକୋଡ଼ି ଜିଲ୍ଲାରେ ଚିହ୍ନଟ ହୋଇଥିବା ସ୍ଥାନ ବେଶ ଅନୁକୂଳ ବୋଲି ଇସ୍ରୋର ବିଶେଷଜ୍ଞମାନେ କହିଛନ୍ତି । ଦକ୍ଷିଣଦିଗ ଅଭିମୁଖୀ ରକେଟଗୁଡ଼ିକ ଏହି ଉତକ୍ଷେପଣ କେନ୍ଦ୍ରରୁ ଉତକ୍ଷେପଣ କରାଯିବ । ଏବେ ଶ୍ରୀହରିକୋଟାଠାରେ ଥିବା ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ପୂର୍ବାମୁଖୀ ରକେଟ ଉତକ୍ଷେପଣ କରାଯାଉଛି । ମୁଖ୍ୟତଃ ବୃହତ ସାଟେଲାଇଟଗୁଡ଼ିକୁ ଏଠାରୁ ଉତକ୍ଷେପଣ କରାଯାଉଛି । ଏହି ୨ୟ ଉତକ୍ଷେପଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବାପରେ ଶ୍ରୀହରିକୋଟାକୁ କେବଳ ବୃହତ ମିଶନଗୁଡ଼ିକ ପାଇଁ ବ୍ୟବହାର କରାଯିବ ବୋଲି ଶିବନ୍ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ତାମିଲନାଡୁର କୁଲାସେକରାପଟ୍ଟିନମରେ ଦ୍ବିତୀୟ ଉତକ୍ଷେପଣ ପ୍ରତିଷ୍ଠା ନେଇ ବହୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ହେଁ ଏଥିଲାଗି ଜମି ଅଧିଗ୍ରହଣକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିବାରୁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହୋଇଥିଲା ବୋଲି କହିଛନ୍ତି ଇସ୍ରୋର ଜନୈକ ବରିଷ୍ଠ ଅଧିକାରୀ।

ସମ୍ବନ୍ଧିତ ଖବର