ବେଙ୍ଗାଲୁରୁ: ଚନ୍ଦ୍ରର ଦକ୍ଷିଣମେରୁରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ମହାକାଶ ଗବେଷଣା କ୍ଷେତ୍ରରେ ବିରାଟ ମାଇଲସ୍ତମ୍ଭ ଅତିକ୍ରମ କରିଛି ଭାରତ। ତା’ପରେ ସୌର ମିସନ ଓ ଗଗନଯାନ ମିସନ ପରେ ଏବେ ଚନ୍ଦ୍ରଯାନ-୪ ଅଭିଯାନ ଉପରେ କାମ କରୁଛି ଇସ୍ରୋ। ତେବେ ଏହା ଭାରତ ଓ ଜାପାନର ମିଳିତ ଲୁପେକ୍ସ ମିସନ ନୁହେଁ, ଯାହା ଇସ୍ରୋ ସମ୍ପୃକ୍ତ ଥିବା ପରବର୍ତ୍ତୀ ଚନ୍ଦ୍ର ଅଭିଯାନ। ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ସଫଳ ନିୟନ୍ତ୍ରିତ ଅବତରଣ ପରେ ଇସ୍ରୋର ଆଶା ଆକାଶଛୁଆଁ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକାଶ ଏଜେନ୍ସିକୁ ୨୦୪୦ ସୁଦ୍ଧା ସ୍ଥାନୀୟ ଉତ୍ପାଦିତ ହାର୍ଡୱେୟାର ବ୍ୟବହାର କରି ଜଣେ ଭାରତୀୟଙ୍କୁ ଚନ୍ଦ୍ରରେ ଅବତରଣ କରାଇବା, ୨୦୩୫ ସୁଦ୍ଧା ପୃଥିବୀ କକ୍ଷପଥରେ ଏକ ମହାକାଶ କେନ୍ଦ୍ର ସ୍ଥାପନ କରିବା ଏବଂ ଏହି ଅଭିଯାନ ପାଇଁ ନେକ୍ସଟ ଜେନେରେସନ ଲଞ୍ଚ ଭେଇକିଲ (ଏନ୍‌ଜିଏଲ୍‌ଭି) ବିକଶିତ କରିବା ପାଇଁ କହିଛନ୍ତି। ଏଣୁ ଇସ୍ରୋ ସମଗ୍ର ଚନ୍ଦ୍ର ଅନୁସନ୍ଧାନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛି। ଚନ୍ଦ୍ରଯାନ-୪ ପାଇଁ ଇସ୍ରୋକୁ ଚନ୍ଦ୍ର କକ୍ଷପଥରେ ମହାକାଶଯାନକୁ ଡକିଂ କରାଇବା, ଚନ୍ଦ୍ରପୃଷ୍ଠରୁ ଉଡ଼ାଣ କରିପାରୁଥିବା ଏକ ଆସେଣ୍ଡର ଏବଂ ଚନ୍ଦ୍ରରୁ ନମୁନା ସଂଗ୍ରହ ପାଇଁ ଏକ ରୋବୋଟିକ୍ ହାତ ସମେତ ବର୍ତ୍ତମାନ ଏହାର ଅଭାବ ଥିବା ନୂତନ ଜ୍ଞାନକୌଶଳ ଓ ସାମର୍ଥ୍ୟ ବିକଶିତ କରିବାକୁ ପଡ଼ିବ।

Advertisment

ଏହି ମହତ୍ତ୍ୱାକାଂକ୍ଷୀ ମିସନ ୨୦୨୮ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଇସ୍ରୋର ମହାକାଶ ଆପ୍ଲିକେସନ୍ ସେଣ୍ଟର (ଏସଏସି)ର ନିର୍ଦ୍ଦେଶକ ନୀଲେଶ ଏମ୍ ଦେଶାଇ ଗତ ୧୭ ତାରିଖରେ ଆଇଆଇଟିଏମ୍ ପ୍ରତିଷ୍ଠା ଦିବସ ବକ୍ତୃତାରେ ଭାରତର ଚନ୍ଦ୍ର ଅନୁସନ୍ଧାନ କାର୍ଯ୍ୟକ୍ରମ ବିଷୟରେ କହିଥିଲେ। ଦେଶାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଚାହୁଛନ୍ତି ଆମେ ଏବେ ବଡ଼ ଚ୍ୟାଲେଞ୍ଜ ଗ୍ରହଣ କରିବୁ। ତେଣୁ ଏବେ ଆମେ ଏହା ହିଁ ଯୋଜନା କରିଛୁ। ଏହାକୁ ଲୁନାର ନମୁନା ରିଟର୍ଣ୍ଣ ମିସନ କୁହାଯାଏ। ଚନ୍ଦ୍ରଯାନ-୪ ମିସନ୍ ଲୁପେକ୍ସକୁ ଅନୁସରଣ କରିବ ଏବଂ ଚନ୍ଦ୍ରଯାନ-୩ ଯେଉଁଠି ଅବତରଣ କରିଥିଲା ତା’ରି ପାଖରେ ଅବତରଣ କରିବ।