ଶ୍ରୀହରିକୋଟାରୁ ହେଲା ଜିଏସ୍‌ଏଟି-୬ଏ ଉପଗ୍ରହର ସଫଳ ଉତ୍‌କ୍ଷେପଣ

ଇସ୍ରୋର ସଫଳତାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ

ଚେନ୍ନାଇ: ମହାକାଶ ଗବେଷଣା କ୍ଷେତ୍ରରେ, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ସଫଳତାରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ଗୁରୁବାର ଭାରତୀୟ ସମୟ ସମୟ ଅପରାହ୍ନ ୪ଟା ୫୬ ମିନିଟରେ ଚେନ୍ନାଇର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ସ୍ପେସ୍‌ ସେଣ୍ଟରରୁ ଇସ୍ରୋ ଏକ ନୂତନ ଅତ୍ୟାଧୁନିକ ଉପଗ୍ରହକୁ ସଫଳତାର ସହ ମହାକାଶକୁ ପ୍ରେରଣ କରିଛି।


ଜିଏସ୍‌ଏଲ୍‌ଭି ଏମ୍‌କେ-II (ଜିଏସ୍‌ଏଲ୍‌ଭି-ଏଫ୍‌୦୮) ଉତ୍‌କ୍ଷେପଣ ରକେଟ ସାହାଯ୍ୟରେ ୨,୧୪୦ କିଲୋ ଓଜନ ବିଶିଷ୍ଟ ଜିଏସ୍‌ଏଟି-୬ଏ ନାମକ ଏହି ଉପଗ୍ରହକୁ ସଫଳତାର ସହ ଅନ୍ତରୀକ୍ଷର କକ୍ଷପଥରେ ଅବସ୍ଥାପିତ କରାଇବାରେ ସମର୍ଥ ହୋଇଛି ଇସ୍ରୋ।


ଜିଏସ୍‌ଏଟି-୬ଏ ନାମକ ଏହି ଉପଗ୍ରହ ଅନ୍ତରୀକ୍ଷର କକ୍ଷପଥରେ ସ୍ଥାପିତ ହେବାପରେ ଯୋଗାଯୋଗ କ୍ଷେତ୍ରରେ ଏକ ଏକ ଯୁଗାନ୍ତକାରୀ ବିକାଶ ଘଟିବ। ଏଥିସହ ଜିଏସ୍‌ଏଟି-୬ଏ ନାମକ ଏକ ନୂତନ ଉପଗ୍ରହ କକ୍ଷପଥରେ ରହି କାର୍ଯ୍ୟକ୍ଷମ ହେଲେ ଏହା ଭାରତୀୟ ସଶସ୍ତ୍ର ସେନା ବାହିନୀର ଯୋଗାଯୋଗ ବ୍ୟବସ୍ଥା କ୍ଷେତ୍ରରେ ଅଦ୍ଭୁତପୂର୍ବ ବିକାଶ ଘଟାଇବା ସହ ଏକ ଅସ୍ତ୍ର ସଦୃଶ କାର୍ଯ୍ୟ କରିବ। ଏଥିସହ ଏହି ନୁତନ ଉପଗ୍ରହ ଭାରତ ଦ୍ୱିତୀୟ ଚନ୍ଦ୍ରାୟନ ମିଶନ ପାଇଁ ମଧ୍ୟ ଏକ ବାରଦାନ ସଦୃଶ କାର୍ଯ୍ୟ କରିବ। ଆସନ୍ତା ଅକ୍ଟୋବର ମାସରେ ପ୍ରସ୍ତାବିତ ଚନ୍ଦ୍ରାୟନ- ୨ ଅଭିଯନକୁ ଏହା ଆହୁରି ଫଳପ୍ରଦ ଓ ସଫଳ କରିବା ଦିଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର