ସିଏଏକୁ ନେଇ ଜେଡିୟୁ ବିବାଦ ବଢ଼ିଲା: ପୱନ ବର୍ମା, ପ୍ରଶାନ୍ତ କିଶୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସଙ୍କେତ

ଯିଏ ଦଳ ଛାଡ଼ିବା କଥା, ଛାଡ଼ି ଦିଅନ୍ତୁ: ନୀତୀଶ

ପାଟନା‌: ନାଗରିକତା ସଂଶୋଧନ ଆଇନକୁ ଜେଡିୟୁ ସମର୍ଥନ କରୁଥିବା ବେଳେ ଦଳର କେତେକ ବରିଷ୍ଠ ନେତା ଏହାକୁ ଜୋର୍‌ଦାର ବିରୋଧ କରୁଛନ୍ତି। ସେମାନେ ଏହି ମାମଲାରେ ଦଳ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ଘେରିବାକୁ ପଛାଇ ନାହାନ୍ତି। ସିଏଏକୁ ନେଇ ଦଳରେ ଫାଟ ବଢ଼ୁଥିବାରୁ ବିଦ୍ରୋହୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ସଙ୍କେତ ଦେଇଛି। ନୀତୀଶ ଆଜି ତାଙ୍କର ଘନିଷ୍ଠ ସହଯୋଗୀ ତଥା ଜେଡିୟୁର ବରିଷ୍ଠ ନେତା ପବନ ବର୍ମାଙ୍କୁ ଚ୍ୟାଲେଂଜ କରିଛନ୍ତି। ପୂର୍ବତନ ରାଜ୍ୟସଭା ସଦସ୍ୟ ଏବଂ ଜେଡିୟୁର ସାଧାରଣ ସଚିବ ପବନ ବର୍ମା ଯଦି ଚାହୁଛନ୍ତି ତେବେ ସେ ଦଳ ଛାଡ଼ିପାରିବେ ଏବଂ ନିଜ ଇଚ୍ଛା‌ରେ ଅନ୍ୟ ଦଳରେ ଯୋଗ ଦେଇପାରିବେ ବୋଲି ନୀତୀଶ କହିଛନ୍ତି। ଅନ୍ୟ ଅସନ୍ତୁଷ୍ଟ ନେତାଙ୍କ ପ୍ରସଙ୍ଗରେ ନୀତୀଶ କହିଛନ୍ତି ଯେ ସେମାନେ ଯେତେବେଳେ ଇଛା ଦଳ ଛାଡ଼ି ଯାଇପାରିବେ, ଏଥିରେ କୌଣସି ପ୍ରତିବନ୍ଧକ ନାହିଁ। ସିଏଏ ଏବଂ ଅନ୍ୟ ପ୍ରସଙ୍ଗରେ ଜେଡିୟୁରେ କିଛି ଦ୍ବନ୍ଦ୍ବ ନାହିଁ ବୋଲି ନୀତୀଶ ସ୍ପଷ୍ଟ କରିଛନ୍ତି।

ଦୁଇ ଦିନ ତଳେ ପବନ ବର୍ମା ନୀତୀଶ କୁମାରଙ୍କୁ ଏକ ‌ଖୋଲା ଚିଠି ଲେଖି କହିଥିଲେ, ଦିଲ୍ଲୀ ନିର୍ବାଚନ ପାଇଁ ଜେଡିୟୁ ବିଜେପି ସହ ମେଣ୍ଟ କରିବା ଦ୍ବାରା ସେ ଖୁବ୍‌ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି। ନୀତୀଶ କୁମାର ଅନେକ ଥର ବି‌ଜେପି ଏବଂ ଆରଏସଏସ୍‌ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଯଦି ଏହା ସତ ତେବେ ଅନ୍ୟ ରାଜ୍ୟରେ ବିଜେପି ସହ ମେଣ୍ଟ କରିବାର କାରଣ ସେ ବୁଝିପାରୁନାହାନ୍ତି। ନୀତୀଶଙ୍କଠାରୁ ସେ ଦଳର ବିଚାରଧାରା ସଂପର୍କରେ ସ୍ପଷ୍ଟୀକରଣ ଚାହିଥିଲେ। ଏ ସଂକ୍ରାନ୍ତରେ ନୀତୀଶ କୁମାର ଆଜି ଗଣମାଧ୍ୟମକୁ କହିଛନ୍ତି, ପବନ ବର୍ମା ଜଣେ ଶିକ୍ଷିତ ବ୍ୟକ୍ତି। ତାଙ୍କ ପ୍ରତି ସମ୍ମାନ ଅଛି। କିନ୍ତୁ ଯଦି ସେ ଚାହିବେ ଅନ୍ୟ କୌଣସି ଦଳରେ ଯୋଗ ଦେଇପାରିବେ ।

ସମ୍ବନ୍ଧିତ ଖବର