ନୂଆଦିଲ୍ଲୀ : ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ଲୋଡ଼ିଛନ୍ତି ସୁପ୍ରିମକୋର୍ଟ। ଏ ପ୍ରସଙ୍ଗରେ ଆଠ ସପ୍ତାହ ମଧ୍ୟରେ ଉତ୍ତର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ସମେତ ଅନ୍ୟ ପକ୍ଷଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ନୋଟିସ ଗ୍ରହଣ କରିଥିଲେ ଆଡଭୋକେଟ୍ ଅନ୍ ରେକର୍ଡ ଶିବ ଶଙ୍କର ମିଶ୍ର। ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲକୁ ଉଚ୍ଛେଦ କରାଯିବା ନିଷ୍ପତ୍ତିକୁ ବିରୋଧ କରାଯାଇ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ୍ ବାର ଆସୋସିଏସନ୍ ଦ୍ବାରା ସୁପ୍ରିମକୋର୍ଟରେ ଏସ୍ଏଲ୍ପି ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟ ବିଚାରପତି ଏଲ୍. ନାଗେଶ୍ବର ରାଓ, ବିଚାରପତି ସଂଜୀବ ଖାନ୍ନା ଓ ବିଚାରପତି ବି.ଆର୍. ଗାଭାଇଙ୍କ ଖଣ୍ଡପୀଠରେ ଆଜି ଏହାର ଶୁଣାଣି ହୋଇଥିଲା।
ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ବାର ଆସୋସିଏସନ୍ ଦ୍ବାରା ଯୁକ୍ତି ଦର୍ଶାଯାଇଥିଲା ଯେ ଜେନେରାଲ୍ କ୍ଲଜେସ୍ ଆକ୍ଟ ୧୮୯୭ ଅନ୍ତର୍ଗତ ନୋଟିଫିକେଶନ ଜାରି କରାଯାଇ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲକୁ ଉଚ୍ଛେଦ କରାଯାଇଛି। ଅପରପକ୍ଷେ, ପ୍ରଶାସନିକ ଟ୍ରିବ୍ୟୁନାଲ ଆଇନ ୧୯୮୫ରେ ଏଭଳି କ୍ଷମତା ପ୍ରୟୋଗର ବ୍ୟବସ୍ଥା ନାହିଁ। ଖଣ୍ଡପୀଠ କହିଥିଲେ ଆଇନର ପ୍ରଶ୍ନକୁ ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଆତ୍ମାରାମ ନାଦକର୍ଣ୍ଣୀ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷର କରି କହିଲେ, ଏ ଭଳି ଏକ ଗୁରୁତର ପ୍ରସଙ୍ଗର ବିଚାର କରିବାର ଆବଶ୍ୟକତା ରହିଛି। ଜେନେରାଲ୍ କ୍ଲଜେସ୍ ଆକ୍ଟ ଅନୁସାରେ ଟ୍ରିବ୍ୟୁନାଲ୍ ଉଚ୍ଛେଦର ବିଜ୍ଞପ୍ତି କିଭଳି ଜାରି କରାଯାଇପାରିବ ବୋଲି ସେ ପ୍ରଶ୍ନ କରିଥିଲୋ। ମାମଲା ଶୁଣାଣି ବେଳେ ଖଣ୍ଡପୀଠଙ୍କୁ ଅବଗତ କରି ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା କହିଲେ, ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ୍ ଉଚ୍ଛେଦ ହେବା ପରେ ଟ୍ରିବ୍ୟୁନାଲ୍ର ସମସ୍ତ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲର ଉଚ୍ଛେଦକୁ ବିରୋଧ କରାଯାଇ ପ୍ରଥମେ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। ହେଲେ ମାମଲାକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ହାଇକୋର୍ଟ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦକୁ ନେଇ ଡିଓପିଟି ଦ୍ବାରା ଅଗଷ୍ଟ ୨, ୨୦୧୯ର ବିଜ୍ଞପ୍ତିକୁ କାଏମ ରଖିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆଠ ସପ୍ତାହ ପରେ ହେବ।