ମୁମ୍ବାଇ : ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିବାର ଦିନକ ପରେ ଆଜି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରରେ ସଦ୍ୟ ନିର୍ବାଚନ ପାଇଁ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଏକନାଥ ସିନ୍ଦେ ଓ ବିଜେପିକୁ ଧମକ ଦେଇଛନ୍ତି। ସେ କହିଛନ୍ତି, ସମସ୍ତେ ସଦ୍ୟ ନିର୍ବାଚନ ସାମ୍ନା କରିବା ଏବଂ ଲୋକମାନଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଛାଡ଼ିଦେବା। ଠାକରେ କହିଛନ୍ତି, ବିଧାନସଭା ବାଚସ୍ପତି ଯଦି ଶିବସେନା ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗରେ କିଛି ନିଷ୍ପତ୍ତି ନ ନିଅନ୍ତି ତେବେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ। ଠାକ୍ରେ କହିଛନ୍ତି, ଯଦି ବାଚସ୍ପତି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିଷ୍ପତ୍ତି ନ ନିଅନ୍ତି ତେବେ ଆମେ ପୁଣିଥରେ ସୁପ୍ରିମକୋର୍ଟ ଯିବୁ। ବାଚସ୍ପତି ଏବେ ବିଦେଶରେ ଅଛନ୍ତି। ବାଚସ୍ପତି ବିଦେଶରୁ ଫେରିବା ପରେ ତୁରନ୍ତ ନିଷ୍ପତ୍ତି ନେବା ଉଚିତ ବୋଲି ଠାକରେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଗତକାଲି ମହାରାଷ୍ଟ୍ର ରାଜନୈତିକ ସଙ୍ଗଟ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ମହାରାଷ୍ଟ୍ରରେ ସିନ୍ଦେ ସରକାର ରହିବ ବୋଲି କହିଥିଲେ। ଉଦ୍ଧବ ଠାକ୍ରେ ଆସ୍ଥା ଭୋଟ୍ ସାମ୍ନା ନକରି ଇସ୍ତଫା ଦେଇଥିବାରୁ ତାଙ୍କୁ କୌଣସି ଆଶ୍ବସ୍ତି ପ୍ରଦାନ କରିହେବନାହିଁ ବୋଲି କୋର୍ଟ କହିଥିଲେ।