ନୂଆଦିଲ୍ଲୀ : ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଭିତ୍ତିଭୂମି ଅଭାବ ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ସଚିବଙ୍କ ସହ ସୋସିଆଲ୍ ଜୁରିଷ୍ଟ୍ ସଂଗଠନର ଆଲୋଚନା ହୋଇଛି। ଉକ୍ତ ପ୍ରସଙ୍ଗରେ ସଚିବଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା ସଂଗଠନର ଉପଦେଷ୍ଟା ଅଶୋକ କୁମାର ଅଗ୍ରୱାଲ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।
ସଚିବଙ୍କ ସହ ଆଲୋଚନା କାଳରେ ସଂଗଠନ ପକ୍ଷରୁ ଓଡ଼ିଶାର ସରକାରୀ ବିଦ୍ୟାଳୟମାନଙ୍କରେ କୋଠା, ଶୌଚାଳୟ, ପାନୀୟ ଜଳ ଓ ବିଦ୍ୟୁତ୍ ସଂଯୋଗ ଭଳି ମୌଳିକ ସୁବିଧାର ଘୋର ଅଭାବ ଥିବା ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ ଓଡ଼ିଶାରେ ଅନେକ ସରକାରୀ ବିଦ୍ୟାଳୟରେ ୧୦ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଦ୍ବାଦଶ ଶ୍ରେଣୀ ବହୁ କମ ସ୍କୁଲରେ ରହିଛି। ଯାହା ଫଳରେ ୧୦ ଶ୍ରେଣୀ ପରେ ଅନେକ ଛାତ୍ରଛାତ୍ରୀ ଶିକ୍ଷାରୁ ବଂଚିତ ହେଉଛନ୍ତି। ଏହି ସବୁ ବିଦ୍ୟାଳୟରେ ଦ୍ବାଦଶ ଶ୍ରେଣୀ ଖୋଲାଯାଉ ବୋଲି ସଂଗଠନ ପ୍ରସ୍ତାବ ଦେଇଥିଲା।
ବାତ୍ୟା ଆଶ୍ରୟ ଗୃହରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ଏହି ଅବସରରେ ଦାବି କରାଯାଇଥିଲା। ସ୍କୁଲମାନଙ୍କ ପାଇଁ ସ୍ବତନ୍ତ୍ର ଏଜୁକେଟର୍ ପଦ ମଞ୍ଜୁରି, ପର୍ଯ୍ୟାପ୍ତ ଶିକ୍ଷା ସାମଗ୍ରୀ ଯୋଗାଣ, ପ୍ରବାସୀ ଶ୍ରମିକ ପିଲାମାନଙ୍କ ପାଇଁ ଡ୍ରପିଂ ସେଣ୍ଟର ବ୍ୟବସ୍ଥା ପାଇଁ ସଂଗଠନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଉପରୋକ୍ତ ପ୍ରସ୍ତାବ ଉପରେ ବିଚାର କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଓ ସପ୍ତାହକ ମଧ୍ୟରେ ଅବଗତ କରାଯିବ ବୋଲି ଗଣଶିକ୍ଷା ସଚିବ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି। ଗତକାଲି ଭର୍ଚୁଆଲ୍ ମୋଡ୍ରେ ଏହି ଆଲୋଚନା ହୋଇଥିଲା। ସଂଗଠନର ‘ଲେଟର୍ ପିଟିସନ୍’ର ଉତ୍ତର ଦେବାକୁ ଗଣଶିକ୍ଷା ସଚିବଙ୍କୁ ଓଡ଼ିଶା ହାଇକୋର୍ଟ ଆସନ୍ତା ୧୫ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।