ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ପଞ୍ଜାବ ଗସ୍ତରେ ଯାଇଥିବା ସମୟରେ ତାଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଫିରୋଜପୁର ଏସ୍ପିଙ୍କ ସହିତ ଦୁଇ ଜଣ ଡିଏସ୍ପି ପାହ୍ୟା ଅଧିକାରୀଙ୍କୁ ମିଶାଇ ମୋଟ ୭ ଜଣ ପୁଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ପଞ୍ଜାବ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ନିର୍ବାଚନୀ ରାଲିରେ ଯୋଗଦେବାକୁ ଗତବର୍ଷ ଜାନୁଆରି ୫ରେ ସେଠାକୁ ଯାଇଥିଲେ। ସେଠାରେ ଏକ ଫ୍ଲାଏଓଭର ଉପରେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ପ୍ରାୟ ୨୦ ମିନିଟ ଧରି ଅଟକି ରହିଥିଲା। କୃଷକଙ୍କ ଆନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଆଗକୁ ଯାଇ ପାରି ନଥିଲା।
ଏଥିପାଇଁ ବିଜେପି ନେତାମାନେ ସେତେବେଳର କଂଗ୍ରେସ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନି ସରକାରଙ୍କୁ ଟାର୍ଗେଟ କରିଥିଲେ। ତେବେ କଂଗ୍ରେସ କହିଥିଲା ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଯୋଜନା ଶେଷ ମୁହୂର୍ତ୍ତରେ ବଦଳା ଯାଇଥିଲା। ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଏକ କମିଟି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲର ତଦନ୍ତ କରିଥିଲା। ଏଥିପାଇଁ କମିଟି ରାଜ୍ୟର ଏକାଧିକ ଅଧିକାରୀଙ୍କୁ ଦାୟୀ କରିଥିଲା। ତେବେ ବର୍ତ୍ତମାନର ଭଗୱନ୍ତ ମାନ ସରକାର ୭ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଫିରୋଜପୁରର ତତ୍କାଳୀନ ଏସ୍ପି ଗୁରବିନ୍ଦର ସିଂହ ରହିଛନ୍ତି। ତାଙ୍କ ସହିତ ଦୁଇ ଡିଏସ୍ପି ପାର୍ସନ ସିଂହ ଓ ଜଗଦୀଶ କୁମାର, ଇନ୍ସିପେକ୍ଟର ଯତୀନ୍ଦର ସିଂହ ଏବଂ ବଲବିନ୍ଦର ସିଂହ, ଏସଆଇ ଯଶୱନ୍ତ ସିଂହ ଏବଂ ଏଏସଆଇ ରମେଶ କୁମାର ରହିଛନ୍ତି।