ନୂଆଦିଲ୍ଲୀ: ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟର ସଂଖ୍ୟାଲଘୁ ମାନ୍ୟତା ଯଥାର୍ଥ କି ନୁହେଁ ସେନେଇ ଆଜି ଠାରୁ ସୁପ୍ରିମ୍କୋର୍ଟର ୭ଜଣିଆ ସମ୍ବିଧାନ ପୀଠ ଶୁଣାଣି ଆରମ୍ଭ କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଏହି ୭ ଜଣିଆ ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଲେ ସଞ୍ଜୀବ ଖାନ୍ନା, ସୂର୍ଯ୍ୟ କାନ୍ତ, ଜେବି ପର୍ଦ୍ଦିୱାଲା, ଦୀପଙ୍କର ଦତ୍ତା, ମନୋଜ ମିଶ୍ରା, କେ ଭି ବିଶ୍ବନାଥନ୍। ଏହି ଖଣ୍ଡପୀଠର ଅନ୍ୟତମ ସଦସ୍ୟ ଥିବା ବିଚାରପତି ସଞ୍ଜୟ କିଶନ କୌଲ ଡିସେମ୍ବର ୨୫ ତାରିଖରେ ଅବସର ଗ୍ରହଣ କରିଛନ୍ତି। ସମ୍ବିଧାନର ଧାରା ୩୦ ଅନୁସାରେ ଶିକ୍ଷାନୁଷ୍ଠାନକୁ ସଂଖ୍ୟାଲଘୁ ମାନ୍ୟତା ଦିଆଯିବା ନିୟମରେ ବିଶ୍ବବିଦ୍ୟାଳୟ ଆସୁଛି କି ନାହିଁ ସେନେଇ ବିଚାର କରିବେ।
କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଆଇନରେ ଗଠିତ ଶିକ୍ଷାନୁଷ୍ଠାନ ସଂଖ୍ୟାଲଘୁ ମାନ୍ୟତା ପାଇପାରିବ କି?
ସମ୍ବିଧାନର ଧାରା ୩୦ରେ ଗଠିତ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନର ନିୟମ କ’ଣ ହେବ
ଆଜି ଆବେଦନ ଉପରେ ବିଚାର କରି ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଧାରା ୩୦ ଅନୁସାରେ ଆମେ ଏହି ଧାରଣା ସୃଷ୍ଟି କରିପାରିବା ନାହିଁ ଯେ ସଂଖ୍ୟାଲଘୁଙ୍କ ଦ୍ବାରା ପରିଚାଳନା ହିଁ ନିରଙ୍କୁଶ ଅଟେ। ଏକ ନିୟନ୍ତ୍ରିତ ସମାଜରେ ଆମର ଜୀବନର ସମସ୍ତ ଅଂଶ କୌଣସି ନା କୌଣସି ପ୍ରକାରେ ନିୟନ୍ତ୍ରିତ ହେଉଛି। ଏଣୁ କୌଣସି ନିୟମ ଦ୍ବାରା ପରିଚାଳିତ ହେବା ଫଳରେ ଏହାକୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନରୁ ବଞ୍ଚିତ ମଧ୍ୟ କରାଯାଇପାରିବ ନାହିଁ। ଯଦି ପରିଚାଳନାର ଅଧିକାର କୌଣସି ବିଧାନ ଦ୍ବାରା ନିୟନ୍ତ୍ରିତ ତେବେ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ଏହସହ ସେଠାରେ କେବଳ ଧାର୍ମିକ ପାଠ୍ୟକ୍ରମ ହେବ ସେଭଳି ମଧ୍ୟ ନୁହେଁ, ସେଠାରେ ସମସ୍ତ ସମ୍ପ୍ରଦାୟର ଛାତ୍ରଛାତ୍ରୀ ପଢ଼ିପାରିବେ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଛାତ୍ରଛାତ୍ରୀ ନୁହନ୍ତି।
ମାମଲାର ବିବରଣୀ ଅନୁସାରେ, ୨୦୦୫ରେ ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ ଭେଷଜ ସ୍ନାତକୋତ୍ତର ପାଠ୍ୟକ୍ରମରେ ୫୦ ପ୍ର୍ରତିଶତ ଆସନ ମୁସଲିମ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖିଥିଲା। ଏହା ଏକ ସଂଖ୍ୟାଲଘୁ ଅନୁଷ୍ଠାନ ଥିବାରୁ ଏଭଳି ସଂରକ୍ଷଣ ରହିପାରିବ ବୋଲି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଥିଲେ। ତେବେ ପରବର୍ତୀ ସମୟରେ ଏହି ସଂରକ୍ଷଣ ବ୍ୟବସ୍ଥାକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଥିଲେ। ହାଇକୋର୍ଟ ରାୟ ବିରୋଧରେ କେନ୍ଦ୍ର ସରକାର ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ୨୦୧୬ରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିଶ୍ବବିଦ୍ୟାଳୟକୁ ସଂଖ୍ୟାଲଘୁ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି ଦର୍ଶାଇ ସୁପ୍ରିମ୍କୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଥିଲେ। ୨୦୧୯ରେ ଏହି ମାମଲାକୁ ତତ୍କାଳୀନ ମୁଖ୍ୟବିଚାରପତି ରଞ୍ଜନ ଗୋଗଇ ସମ୍ବିଧାନ ପୀଠରେ ବିଚାର ପାଇଁ ଅନୁମୋଦନ କରିଥିଲେ।