ନୂଆଦିଲ୍ଲୀ: ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ପ୍ରମୁଖ ରାଷ୍ଟ୍ରଗୁଡ଼ିକ ଦୃଢ଼ ସମର୍ଥନ କରିଛନ୍ତି।  ଜାତିସଂଘ ସାଧାରଣ ପରିଷଦର ୭୯ତମ ଅଧିବେଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମର୍  ୟୁଏନ୍‌ଏସ୍‌ସିର ସ୍ଥାୟୀ ସଦସ୍ୟ ଭାବେ ଭାରତର ପ୍ରତିନିଧିତ୍ୱକୁ ସମର୍ଥନ ଜଣାଇଛନ୍ତି।  ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ମଧ୍ୟ ଭାରତକୁ ସାମିଲ କରିବା ପାଇଁ ଦାବି କରିଥିଲେ। ସାଧାରଣ ସଭାକୁ ସମ୍ବୋଧିତ କରି ବ୍ରିଟେନ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁରକ୍ଷା ପରିଷଦକୁ ପରିବର୍ତ୍ତନ କରି ଏକ ଅଧିକ ପ୍ରତିନିଧିତ୍ବକାରୀ ସଂସ୍ଥାରେ ପରିଣତ ହେବାକୁ ପଡ଼ିବ ଏବଂ ରାଜନୀତିଦ୍ୱାରା ପକ୍ଷାଘାତ ଚଳିବନାହିଁ। ଆମେ ପରିଷଦରେ ଆଫ୍ରିକା, ବ୍ରାଜିଲ, ଭାରତ, ଜାପାନ ଓ ଜର୍ମାନୀକୁ ସ୍ଥାୟୀ ସଦସ୍ୟ ଭାବରେ ଦେଖିବାକୁ ଚାହୁଛୁ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ୟୁଏନ୍‌ଏସ୍‌ସିର ସ୍ଥାୟୀ ସଦସ୍ୟ ଭାବେ ଭାରତକୁ ସାମିଲ କରିବାକୁ ଦାବି କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି।

Advertisment

ବର୍ତ୍ତମାନ ଜାତିସଂଘ ନିରାପତ୍ତା ପରିଷଦରେ ୫ଜଣ ସ୍ଥାୟୀ ଓ ୧୦ଜଣ ଅସ୍ଥାୟୀ ସଦସ୍ୟ ଅଛନ୍ତି। ଅସ୍ଥାୟୀ ସଦସ୍ୟମାନଙ୍କୁ ଜାତିସଂଘ ସାଧାରଣ ସଭା ଦ୍ୱାରା ଦୁଇ ବର୍ଷ ପାଇଁ ନିର୍ବାଚିତ କରାଯାଏ। ଏହି ପାଞ୍ଚଟି ସ୍ଥାୟୀ ସଦସ୍ୟ ରୁଷ୍, ବ୍ରିଟେନ, ଚୀନ୍, ଫ୍ରାନ୍ସ ଓ ଆମେରିକା ଯେ କୌଣସି ମୂଳ ପ୍ରସ୍ତାବ ଉପରେ ଭିଟୋ ଜାରି କରିବାର କ୍ଷମତା ରଖିଛନ୍ତି। ବୁଧବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଜାତିସଂଘ ସାଧାରଣ ସଭାରେ ତାଙ୍କ ଅଭିଭାଷଣରେ ଭାରତକୁ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ର ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ପାଇଁ ସମର୍ଥନ କରିଥିଲେ। ସେ ବ୍ରାଜିଲ, ଜାପାନ, ଜର୍ମାନୀ ଓ ଦୁଇଟି ଆଫ୍ରିକୀୟ ରାଷ୍ଟ୍ରର ସଦସ୍ୟତାକୁ ସମର୍ଥନ କରିବା ସହ ୟୁଏନ୍‌ଏସ୍‌ସିକୁ ଅଧିକ ସମାବେଶୀ ଓ  ପ୍ରତିନିଧିତ୍ୱପୂର୍ଣ୍ଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ମାକ୍ରନ୍ କହିଛନ୍ତି,  ଜାତିସଂଘକୁ ଅଧିକ  ପ୍ରତିନିଧିଯୁକ୍ତ କରିବାର ଆବଶ୍ୟକତା ରହିଛି ଏବଂ ସେଥିପାଇଁ ଫ୍ରାନ୍ସ ନିରାପତ୍ତା ପରିଷଦର ସମ୍ପ୍ରସାରଣ ସପକ୍ଷରେ ରହିଛି।

ଜର୍ମାନୀ, ଜାପାନ, ଭାରତ ଓ ବ୍ରାଜିଲ ସ୍ଥାୟୀ ସଦସ୍ୟ ହେବା ଦରକାର ବୋଲି ସେ କହିଥିଲେ। ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ହୋଇଥିବା ଦାବିକୁ ସମର୍ଥନ ଜଣାଇଥିଲେ। କ୍ୱାଡ୍ ଲିଡର୍ସ ଶିଖର ସମ୍ମିଳନୀରେ କ୍ୱାଡ୍ (ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ)ର ନେତାମାନେ ଏକ ମିଳିତ ବିବୃତିରେ ଜାତିସଂଘ ସଂସ୍ଥାର ବ୍ୟାପକ ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ବାଇଡେନ  ସୁରକ୍ଷା ପରିଷଦରେ ଭାରତର ଅନ୍ତର୍ଭୁକ୍ତି ପାଇଁ ଆମେରିକାର ସମର୍ଥନକୁ ଦୋହରାଇଥିଲେ।