ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରସଂଗ: ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ/କଟକ : ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ୍‌ ଉଦୟ ଉମେଶ ଲଳିତ, ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟ ଓ ଜଷ୍ଟିସ୍‌ ସୁଧାଂଶୁ ଧଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ପତିତପାବନ ପଣ୍ଡାଙ୍କ ରିଟ୍ ପିଟିସନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୨୨, ଏପ୍ରିଲ ୨୭ରେ ହାଇକୋର୍ଟ ପକ୍ଷରୁ ୮ଜଣ ଆଇନଜୀବୀଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ସ୍ବୀକୃତି ପ୍ରଦାନ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରଦାନ କ୍ଷେତ୍ରରେ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଶ୍ରୀ ପଣ୍ଡା ରିଟ୍ ପିଟିସନ ଦାୟର କରିଥିଲେ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରାଯାଇ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଶ୍ରୀ ପଣ୍ଡା ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରି ଦର୍ଶାଇଛନ୍ତି ଯେ ବରିଷ୍ଠ ଆଇନଜୀବୀ ସଂପର୍କିତ ହାଇକୋର୍ଟ ସ୍ଥାୟୀ କମିଟିର ଦୁଇ ଜଣ ସଦସ୍ୟଙ୍କ ସଂପର୍କୀୟଙ୍କ ନାଁ ବରିଷ୍ଠ ଆଇନଜୀବୀ ମାନ୍ୟତା ପାଇଁ ସୁପାରିସ କରାଯାଇଥିଲା। ଏହି ଦୁଇ ସଦସ୍ୟଙ୍କ ନାଁ ମଧ୍ୟ ଶ୍ରୀ ପଣ୍ଡା ଉଲ୍ଲେଖ କରିବା ସହିତ ସେମାନଙ୍କୁ ମାମଲାରେ ପକ୍ଷଭୁକ୍ତ କରିଛନ୍ତି।

ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରସଙ୍ଗରେ ହାଇକୋର୍ଟ ଫୁଲ୍‌ କୋର୍ଟ ନିକଟକୁ ସ୍ଥାୟୀ କମିଟି ମାତ୍ର ୯ଜଣ ଆଇନଜୀବୀଙ୍କ ନାଁ ପଠାଇଥିଲା। ୨୦ ବର୍ଷରୁ କମ୍ ଅଭିଜ୍ଞତା ଥିବା ଆଇନଜୀବୀଙ୍କୁ ୬ରୁ ୧୨ ମାର୍କ ମିଳିଛି। କମ୍‌ ଅଭିଜ୍ଞତା ଥିବା ଆଇନଜୀବୀଙ୍କୁ ଉଚ୍ଚ ମାର୍କ ମିଳିଛି ବୋଲି ଶ୍ରୀ ପଣ୍ଡାଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏ ସଂପର୍କିତ ରେକର୍ଡ ତଲବ କରାଗଲେ ସବୁ କଥା ସ୍ପଷ୍ଟ ହେବ ବୋଲି ଶ୍ରୀ ପଣ୍ଡାଙ୍କ ତରଫରୁ ଦର୍ଶାଯାଇଛି। ମାମଲାରେ ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନେରାଲ୍‌, ସ୍ଥାୟୀ କମିଟି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ମୋହିତ କୁମାର ଗୁପ୍ତା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର