ନଡ୍ଡାଙ୍କ ଗାଡ଼ିକୁ ପଥରମାଡ଼ ପ୍ରସଙ୍ଗ ତେଜିଲା : କେନ୍ଦ୍ର-ବଙ୍ଗ ମୁହାଁମୁହିଁ

ମୁଖ୍ୟ ସଚିବ, ପୁଲିସ ଡିଜିଙ୍କୁ କେନ୍ଦ୍ରର ସମନ୍
ପଠାଇ ହେବନି ବୋଲି କହିଲେ ମମତା
ନିଆଁ ସହ ଖେଳନାହିଁ: ରାଜ୍ୟପାଳ

କୋଲକାତା : ଗୁରୁବାର କୋଲକାତା ନିକଟରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଗାଡ଼ି ଉପରେ ଆକ୍ରମଣକୁ ନେଇ କେନ୍ଦ୍ର ସରକାର ଏବଂ ପଶ୍ଚିମ ବଙ୍ଗର ମମତା ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି ବୋଲି ଦର୍ଶାଇ ରାଜ୍ୟପାଳ ଧଙ୍କଡ଼ ଦେଇଥିବା ରିପୋର୍ଟକୁ ଭିତ୍ତି କରି ସ୍ବରାଷ୍ଟ୍ର ବିଭାଗ ଆସନ୍ତାକାଲି ନୂଆଦିଲ୍ଳୀରେ ଏକ ‌ବୈଠକ ଡାକିଛନ୍ତି। ଏଥି‌ରେ ଉପସ୍ଥିତ ରହିବା ଲାଗି ପଶ୍ଚିମ ବଙ୍ଗର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦେଶକଙ୍କୁ କୁହାଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏହି ଦୁଇ ଉଚ୍ଚ ଅଧିକାରୀଙ୍କୁ ଦିଲ୍ଳୀ ପଠାଇବାକୁ ମନା କରିଦେଇଛନ୍ତି। ମମତା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆଇନ ଶୃଙ୍ଖଳା ହେଉଛି ରାଜ୍ୟ ବିଷୟ ଏବଂ ସରକାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ମୁଖ୍ୟ ସଚିବ ଅଳ୍ପାନ ଉପାଧ୍ୟାୟ ଭାରତ ସରକାରଙ୍କର ସ୍ବରାଷ୍ଟ୍ର ବିଭାଗ ସଚିବ ଅଜୟ ଭାଲ୍ଲାଙ୍କୁ ଆଜି ପତ୍ର ଲେଖି ଦିଲ୍ଲୀ ଆସିବ‌ା ନେଇ ଅସହାୟତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଗତକାଲିର ଅଘଟଣକୁ ସରକାର ଗୁରୁତ୍ବର ସହ ନେଇଛନ୍ତି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଗିରଫ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ବର୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଗଲାଣି।

ସୂଚନାଯୋଗ୍ୟ ଯେ ଗତକାଲି ନଡ୍ଡାଙ୍କ କାର ଉପରେ ଆକ୍ରମଣ ଘଟଣାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍‌ବେଗ ପ୍ରକାଶ କରିଥିଲେ। ଏସଂପର୍କରେ ରଜ୍ୟପାଳ ଏବଂ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଥିଲେ। ରାଜ୍ୟପାଳ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ‌ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏହାର ମୁକାବିଲାରେ ମମତା ସରକାରଙ୍କର ଉଦାସୀନତା ନେଇ ମଧ୍ୟ ସେ ଉଲ୍ଳେଖ କରିଥିଲେ। କିନ୍ତୁ ରାଜ୍ୟ ସରକାର କେନ୍ଦ୍ରକୁ କୌଣସି ରିପୋର୍ଟ ଦେଇ ନଥିଲେ। ତେଣୁ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ସେହି ଅନୁସାରେ ରାଜ୍ୟର ମୁଖ୍ୟ ସଚିବ ଏବଂ ପୋଲିସ ଡିଜିଙ୍କୁ ସମନ୍ କରାଯାଇଥିଲା। କିନ୍ତୁ ଏହି ଦୁଇ ଅଫିସରଙ୍କୁ ପଠାଇବା ଲାଗି ମମତା ସରକାର ମନା କରିଦେଇଥିବାରୁ ପରିସ୍ଥିତି ବିଗିଡ଼ି ଯାଇଛି।

ଆଉ କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଗତକାଲିର ଘଟଣାକୁ ନେଇ ରାଜନୀତି ଉଗ୍ର ରୂପ ଧାରଣ କଲାଣି। ରାଜ୍ୟପାଳ ଧଙ୍କଡ଼ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ିଥିବା ଦର୍ଶାଇ ମମତା ସରକାରଙ୍କୁ ସମାଲୋଚନା କରିଛନ୍ତି। ଆଇନ ଶୃଙ୍ଖଳା ପ୍ରତି ଉଦାସୀନତା ଏବଂ ବିଜେପି ନେତାଙ୍କ ପ୍ରତି ମମତାଙ୍କ ମନ୍ତବ୍ୟ ନେଇ ସେ ବିରକ୍ତି ପ୍ରକାଶ କରିଛନ୍ତି। ନିଆଁ ସହ ନଖେଳିବା ଲାଗି ସେ ମମତାଙ୍କୁ ‌ଚେତାବନୀ ‌ଦେଇଛନ୍ତି। ସେହିଭଳି ଅମିତ ଶାହ ମଧ୍ୟ ଆସନ୍ତା ସପ୍ତାହ ଦୁଇ ଦିନିଆ ପଶ୍ଚିମ ବଙ୍ଗ ଗସ୍ତରେ ଆସିବା ଲାଗି ଯୋଜନା କରିଛନ୍ତି। ଗତକାଲିର ଆକ୍ରମଣ ପଛରେ ମମତାଙ୍କ ସମର୍ଥକମାନଙ୍କ ହାତ ରହିଛି ବୋଲି ବିଜେପି ଦାବି କରିଥିବା ବେଳେ ମମତା ଅଭିଯୋଗ କରିଛନ୍ତି ଯେ ବିଜେପି ଜାଣିଶୁଣି ଏଭଳି ପରିସ୍ଥିତି ସୃଷ୍ଟି କରୁଛି। ବିଜେପି ନେତାଙ୍କ ସଭାରେ ଲୋକ ଭିଡ଼ ହେଉନଥିବାରୁ ସେମାନେ ଏଭଳି ନାଟକବାଜି କରୁଛନ୍ତି।

ସମ୍ବନ୍ଧିତ ଖବର