ବିଦ୍ୟାଳୟରେ ଭିତ୍ତିଭୂମି ଅଭାବ ପ୍ରସଙ୍ଗ: ଗଣଶିକ୍ଷା ସଚିବଙ୍କ ସହ ସୋସିଆଲ ଜୁରିଷ୍ଟ ସଂଗଠନର ଆଲୋଚନା ୭ରେ

ନୂଆଦିଲ୍ଲୀ : ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଭିତ୍ତିଭୂମି ଅଭାବ ଓ ଶିକ୍ଷାଦାନରେ ସମସ୍ୟାକୁ ନେଇ ଚଳିତ ମାସ ୭ ତ‌ାରିଖରେ ଦିଲ୍ଲୀର ସୋସିଆଲ ଜୁରିଷ୍ଟ ସଂଗଠନର ପ୍ରତିନିଧିମାନଙ୍କ ସହ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସଚିବ ଆଲୋଚନା କରିବେ। ଗତ ମାସ ୩ରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍. ମୁରଲୀଧର ସୋସିଆଲ ଜୁରିଷ୍ଟ୍‌ର ଲେଟର୍‌ ପିଟିସନ୍‌ ଉପରେ ଶୁଣାଣି କରିଥିଲେ। ପିଟିସନରେ ଉଲ୍ଲେଖ କରାଯାଇଥିବା ଅଭିଯୋଗଗୁଡ଼ିକର ଅନୁଧ୍ୟାନ କରି ଡିସେମ୍ବର ୧୨ ସୁଦ୍ଧା ଆବଶ୍ୟକ ପଦକ୍ଷେପ ‌ନେବା ପାଇଁ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଆଲୋଚନା ଭର୍ଚୁଆଲ୍‌ ମୋଡ୍‌ରେ ହେବ ବୋଲି ସଂଗଠନର ଉପଦେଷ୍ଟା ଅଶୋକ ଅଗ୍ରୱ‌ାଲଙ୍କୁ ପତ୍ର ଜରିଆରେ ସୂଚନା ଦିଆଯାଇଛି। ସଂଗଠନ ଚଳିତ ବର୍ଷ ଅଗଷ୍ଟରେ ବଲାଙ୍ଗୀର ଓ ପୁରୀ ଜିଲ୍ଲାର ମୋଟ ୧୧ଟି ସ୍କୁଲ ପରିଦର୍ଶନ କରିଥିଲା। ପରିଦର୍ଶନ ସମୟରେ ଓଡିଶା ସରକାରଙ୍କ ଦ୍ବାରା ପରିଚାଳିତ ସ୍କୁଲଗୁଡ଼ିକରେ ଶିକ୍ଷକ ଓ ଆବଶ୍ୟକ ଭିତ୍ତିଭୂମିର ଘୋର ଅଭାବ ରହିଥିବାର ନଜରକୁ ଆସିଥିଲା। ଏହି ପ୍ରସଙ୍ଗକୁ ନେଇ ସଂଗଠନ ପକ୍ଷରୁ ୧୬ ପୃଷ୍ଠାର ଲେଟର ପିଟିସନ୍‌ ଜରିଆରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଅବଗତ କରାଯିବା ସହିତ ତ୍ବରିତ ପଦକ୍ଷେପ ନେବା ତଥା ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର