କୋଭାକ୍ସିନ ନେଇଥିଲେ କୋଭିସିଲ୍‌ଡ ନେବାକୁ ଅନୁମତି ପ୍ରସଙ୍ଗ: ‘ହୁ’ର ସ୍ୱୀକୃତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : କୋଭାକ୍ସିନ‌ର ଦୁଇଟି ଯାକ ଟିକା ନେଇଥିଲେ ମଧ୍ୟ ଯେଉଁମାନେ ନିଜ ଇଚ୍ଛାରେ କୋଭିସିଲ୍‌ଡ ଟିକା ନେବାକୁ ଆଗ୍ରହୀ ସେମାନଙ୍କୁ ତାହା ଅନୁମତି ଦିଆଯାଉ। ସୁପ୍ରିମ କୋର୍ଟର ଜଣେ ଆଇନଜୀବୀ ଏଥିପାଇଁ ଆବେଦନ କରିଛନ୍ତି। ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ କହିଛନ୍ତି କୋଭାକ୍ସିନ ଟିକାକୁ ‘ହୁ’ର ସ୍ବୀକୃତି ମିଳିବା ପର୍ଯ୍ୟନ୍ତ ଅପେକ୍ଷା କରଯାଉ।

ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି, ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କୋଭାକ୍ସିନର ନିର୍ମାତା ଭାରତ ବାୟୋଟେକ ‘ହୁ’ର ସ୍ବୀକୃତି ପାଇଁ ଆବେଦନ କରିଛି। ଏ ସଂପର୍କରେ ‘ହୁ’ ମଧ୍ୟ ନିଷ୍ପତ୍ତି ନେବ। ତେଣୁ ‘ହୁ’ର ନିଷ୍ପତ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବା ସହିତ ଦୀପାବଳି ପରେ ଉକ୍ତ ମାମଲାର ବିଚାର ପାଇଁ ଖଣ୍ଡପୀଠର ଅନ୍ୟତମ ସଦସ୍ୟ ବି ଭି ନାଗରତ୍ନା କହିଛନ୍ତି। ପିଟିସନକୁ ବିଚାର ପାଇଁ ଗ୍ରହଣ କରିବା ପୂର୍ବରୁ ସୁପ୍ରିମ କୋର୍ଟ ‘ହୁ’ର ସ୍ବୀକୃତିକୁ ଅପେ‌କ୍ଷା କରିବେ। ଫଳରେ ଉକ୍ତ ମାମଲାକୁ ଦୀପାବଳି ପରେ ଶୁଣାଣି କରିବା ଲାଗି ରଖାଯାଇଛି। ସୁପ୍ରିମ କୋର୍ଟର ବିଚାରପତି କାର୍ତ୍ତିକ ସେଠ ଦାଖଲ କରିଥିବା ଆବେଦନ ଅନୁଯାୟୀ, ହୁ ପକ୍ଷରୁ କୋଭାକ୍ସିନକୁ ଅନୁମତି ଦିଆଯାଇ ନାହିଁ। ତେଣୁ ଏହି ଟିକା ନେଇଥିବା ବ୍ୟକ୍ତିମାନେ ବିଶ୍ବର ଅନେକ ଦେଶକୁ ଯାତ୍ରା କରିବା ଲାଗି ଅନୁମତି ପାଇ ପାରୁନାହାନ୍ତି। ତେଣୁ କୋଭାକ୍ସିନ ଟିକା ନେଇଥିବା ଯେଉଁ ବ୍ୟକ୍ତିମାନେ ସ୍ବେଚ୍ଛାରେ ନିଜ ଖର୍ଚ୍ଚ ଓ ରିସ୍କରେ କୋଭିସିଲ୍‌ଡ ଟିକା ନେବା ପାଇଁ ଆଗ୍ରହୀ ସେମାନଙ୍କୁ ଏଥିରୁ ବଞ୍ଚିତ କରା ନଯାଉ। କୋଭାକ୍ସିନର ଦ୍ବିତୀୟ ଡୋଜ୍ ନେବାର ତିନିମାସ ପରେ କୋଭିସିଲ୍‌ଡ ଟିକା ନେବାକୁ ଅନୁମତି ଦିଆଯାଉ। କାରଣ ଜରୁରୀ ବ୍ୟବହାର ତାଲିକାରେ ସାମିଲ ପାଇଁ ଭାରତ ବାୟୋଟେକ ଗତ ୫ ମାସ ହେଲା ସମର୍ଥ ହୋଇନାହିଁ।

ସମ୍ବନ୍ଧିତ ଖବର