ଗୁଜୁରାଟ ବିଧାନସଭା ନିର୍ବାଚନ : ଇସୁଦାନ ଗଡ଼ଭୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କଲେ କେଜ୍ରିୱାଲ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆମ୍ ଆଦମୀ ପାର୍ଟି ତାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆମ ଆଦମୀ ପାର୍ଟି ଗୁଜୁରାଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଇସୁଦାନ ଗଡ଼ଭୀଙ୍କୁ ଚୟନ କରିଛି । ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ନାମ ଆଜି ଘୋଷଣା କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଗୁଜରାଟର ଲୋକମାନେ ସେମାନଙ୍କର ମୁଖ୍ୟମନ୍ତ୍ରୀ ବାଛିଛନ୍ତି।  ଆପ୍ କ୍ଷମତାକୁ ଆସିଲେ  ମୁଖ୍ୟମନ୍ତ୍ରୀ କାହାକୁ କରାଯିବା ଉଚିତ ସେନେଇ ଲୋକଙ୍କ ପରାମର୍ଶ ଲୋଡିଥିଲୁ । ଆମକୁ ୧୬ ଲକ୍ଷ ୪୮ ହଜାର ଲୋକଙ୍କ ପରାମର୍ଶ ମିଳିଥିବା ବେଳେ ଏଥିରୁ ୭୩ ପ୍ରତିଶତ ଲୋକ ଇସୁଦାନ ଗଡ଼ଭୀ ସେମାନଙ୍କର ପସନ୍ଦ ବୋଲି ପରାମର୍ଶ ଦେଇଥିଲେ | ଏହାକୁ ଭିତ୍ତି କରି ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା।

ସୂଚନା ଥାଉ କି ୧୦ ଜାନୁୟାରୀ ୧୯୮୨ରେ ଗୁଜୁରାଟର ପିପଲିଆରେ ଜନ୍ମଗ୍ରହଣ କରିଥିବା ଇସୁଦାନ ଗଡ଼ଭୀ ବୃତ୍ତିରେ ଜଣେ ସାମ୍ବାଦିକ ହୋଇଥିବା ବେଳେ ଗତବର୍ଷ ସେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ | ସେ ୧୪ ଜୁନ୍ ୨୦୨୧ ରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ଗଡ଼ଭୀ ଖାମ୍ବଲିଆ, ଜାମନଗର ଓ ଅହମଦାବାଦରେ ଅଧ୍ୟୟନ କରିଛନ୍ତି। ସେ ଜଣେ କମର୍ସ ଗ୍ରାଜୁଏଟ ଏବଂ ଗୁଜରାଟ ବିଦ୍ୟାପୀଠ, ଅହମଦାବାଦରୁ ୨୦୦୫ରେ ଜର୍ଣ୍ଣାଲିଜିମ୍ ଓ ମାସ୍ କମ୍ୟୁନିକେସନରେ ମାଷ୍ଟର ଡିଗ୍ରି କରିଛନ୍ତି।

ଟ୍ରେନି ସାମ୍ବାଦିକରୁ ସେ ଖୁବ୍‌ ଶୀଘ୍ର ମାତ୍ର ୩୨ ବର୍ଷ ବୟସରେ ଭିଟିଭି ନ୍ୟୁଜ୍‌ର ଏଡିଟର ହୋଇପାରିଥିଲେ । ୨୦୨୧ ଜୁନ୍ ପହିଲାରେ ସେ ତାଙ୍କ ଟିଭି ଚାକିରି ଛାଡ଼ି ଜୁନ୍ ୧୪ରେ ଆପ୍‌ରେ ଯୋଗ ଦେଇଥିଲେ । ତେବେ ବିଜେପି ଓ କଂଗ୍ରେସରୁ ମଧ୍ୟ ତାଙ୍କୁ ଅଫର ମିଳିଥିଲା। ତେବେ ଇସୁଦାନ ଗଡ଼ଭୀଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡରେ ରାଜ୍ୟ ସଭାପତି ଗୋପାଳ ଇଟାଲିଆଙ୍କ ନାମ ମଧ୍ୟ ଆଗରେ ଥିଲା। କିନ୍ତୁ ଶେଷରେ ଗାଧ୍ବୀଙ୍କ ନାମ ଘୋଷଣା କରାଯାଇଛି |

ସମ୍ବନ୍ଧିତ ଖବର