ନୂଆଦିଲ୍ଲୀ: ୨୦୧୧-୧୨ ମସିହା ଆର୍ଥିକ ବର୍ଷରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଅଧୁନା ଅଧ୍ୟକ୍ଷ ଥିବା ରାହୁଲ ଗାନ୍ଧି ୧୦୦ କୋଟି ଟଙ୍କା ଆୟ ଉପରେ ଟ୍ୟାକ୍ସ ପୈଠ କରିନାହାନ୍ତି ବୋଲି ଆୟକର ବିଭାଗ ପକ୍ଷରୁ ଜାରି ଏକ ନୋଟିସ୍‌ରେ ଦର୍ଶାଯାଇଛି।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,ନ୍ୟାସନାଲ୍‌ ହେରାଲ୍ଡ ମାମଲାରେ ଆୟକର ବିଭାଗ ପକ୍ଷରୁ ସୋନିଆ ଗାନ୍ଧି ଓ ରାହୁଲ୍‌ ଗାନ୍ଧିଙ୍କର ଆୟର ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷାରୁ ଜଣାପଡ଼ିଛି କି ୨୦୧୧-୧୨ ଆର୍ଥିକ ବର୍ଷରେ ରାହୁଲ୍‌ ଓ ସୋନିଆ ଗାନ୍ଧି ଯଥାକ୍ରମେ ସେ ସୂତ୍ରରୁ ହୋଇଥିବା ୧୫୫ କୋଟି ଓ ୧୫୫.୪ କୋଟି ଟଙ୍କାର ଆୟ ଦର୍ଶାଇ ନାହାନ୍ତି।

ରାହୁଲ ଗାନ୍ଧି ସେ ବର୍ଷ ୬୮.୧୨ କୋଟି ଟଙ୍କାର ରିଟର୍ଣ୍ଣ ଦାଖଲ କରିଥିବାବେଳେ ତାଙ୍କର ଦଳୀୟ ସହଯୋଗୀ ଓସ୍କାର ପର୍ଣ୍ଣାଣ୍ଡେଜ୍‌ଙ୍କ ୪୮.୯୩ କୋଟିର ରିଟର୍ଣ୍ଣ ଦାଖଲ  କରିଥିବା ଆୟକର ବିଭାଗ ସୂତ୍ରରୁ ଜଣାଯାଇଛି।

publive-image
ଏଥିପୂର୍ବରୁ ସୋନିଆ ଗାନ୍ଧିଙ୍କ ପକ୍ଷରୁ ପି.ଚିଦାମ୍ବରମ୍‌ ସୁପ୍ରିମ କୋର୍ଟରେ ଏକ ଅପିଲ କରି ଆୟକର ବିଭାଗ ପକ୍ଷରୁ ପୁଣି ଥରେ ଆରମ୍ଭ କରାଯାଇଥିବା କର ପୁର୍ନଆକଳନକୁ ବିରୋଧ କରିଥିଲେ। ସେ ଅଭିଯୋଗ କରିଥିଲେ କି ସୋନିଆ ଗାନ୍ଧିଙ୍କ ଉପରେ ତ୍ରୁଟିଯୁକ୍ତ ଭାବେ ୪୪ କୋଟି ଟଙ୍କାର ଆୟ ଉପରେ କର ଲଦି ଦିଆଯାଇଛି।

ଜଷ୍ଟିସ ଏ.କେ.ସିକ୍ରିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାଜର ହୋଇ ପି.ଚିଦାମ୍ବରମ୍‌ ସୋନିଆ ଗାନ୍ଧିଙ୍କ ପକ୍ଷ ରଖି ଯୁକ୍ତି ବାଢ଼ିଥିଲେ କି କର ଆକଳନ କରୁଥିବା ଅଧିକାରୀ ୧୪୧ କୋଟି ଟଙ୍କାର ଆୟ ଉପରେ କର ଦିଆଯାଇ ନ ଥିବା ଦର୍ଶାଇଛନ୍ତି। ମାତ୍ର ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଥିଲେ ଚିଦାମ୍ବରମ୍‌। କାରଣ ସୋନିଆ ଗାନ୍ଧି ତାଙ୍କ ରିଟର୍ଣ୍ଣ ଦାଖଲ ବେଳେ ଏପରି ଆୟ ବିଷୟରେ ଆଦୌ ଉଲ୍ଲେଖ କରିନାହାନ୍ତି।