ୱାସିଂଟନ: ୟୁକ୍ରେନ୍ ଉପରେ ରୁଷ୍ର ପ୍ରଚଣ୍ଡ ଆକ୍ରମଣ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରାଯିବା ମାମଲାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଆମେରିକା ଏବେ ବାରମ୍ବାର ଯୁଦ୍ଧ ଅପରାଧୀ ଭାବେ ଦର୍ଶାଉଛି। ପୁଟିନ୍ଙ୍କୁ ଯୁଦ୍ଧ ଅପରାଧୀଭାବେ ଦର୍ଶାଇ ୟୁଏସ୍ କଂଗ୍ରେସରେ ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ବିଭିନ୍ନ ବୟାନରେ ପୁଟିନ୍ଙ୍କୁ ଯୁଦ୍ଧ ଅପରାଧୀ ବୋଲି କହୁଥିବା ଦେଖାଯାଇଛି। ଅନ୍ତର୍ଜାତୀୟ ଅପରାଧିକ ଅଦାଲତରେ ଦୁଇ ସପ୍ତାହ ତଳେ ରାଷ୍ଟ୍ରପତି ପୁଟିନ ଓ ତାଙ୍କ ଅଧିକାରୀଙ୍କୁ ଯୁଦ୍ଧ ଅପରାଧୀ ଭାବେ ଦର୍ଶାଇବା ପାଇଁ ଆବେଦନ ହୋଇଥିଲା ଏବଂ ଅଦାଲତ ଏ ବାବଦରେ ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି। ତେବେ ରାଷ୍ଟ୍ରପତି ପୁଟିନ୍ କିମ୍ବା ତାଙ୍କର କୌଣସି ଅଧିକାରୀଙ୍କୁ ଯୁଦ୍ଧ ଅପରାଧୀ ଭାବେ ସାବ୍ୟସ୍ତ କରିବା ଏତେ ସହଜ ନୁହେଁ। ଯଦି ରୁଷ୍ ଏହି ଯୁଦ୍ଧରେ ପରାଜିତ ହେବନାହିଁ ତା’ହେଲେ ରୁଷ୍କୁ ଏଭଳି ଅପରାଧରେ ଦଣ୍ଡିତ କରିବା ସମ୍ଭବ ହେବନାହିଁ।
ଯୁଦ୍ଧ ଅପରାଧ କ’ଣ? ରୁଷ୍ ବିରୋଧରେ ବିଚାରଣ କିଭଳି ହେବ?
ଆନ୍ତର୍ଜାତୀୟ ଅପରାଧିକ କୋର୍ଟ ଦ୍ବାରା ଯୁଦ୍ଧ ଅପରାଧର ଯେଉଁ ସଂଜ୍ଞା ଦର୍ଶାଯାଇଛି ତାହା ବ୍ୟାପକ ଅଟେ । ଏଥିରେ ବେପରୁଆ ଭାବେ ହତ୍ୟା, ନିର୍ଯାତନା, ବଳାତ୍କାର, ଗଣଦୁଷ୍କର୍ମ, ଶାରୀରିକ ଦଣ୍ଡ, ବନ୍ଧକ ଗ୍ରହଣ, ବେଆଇନ ଦେଶାନ୍ତର, ଅନାହାରକୁ ଅସ୍ତ୍ର ଭାବରେ ବ୍ୟବହାର କରିବା ଏବଂ ଆତ୍ମସମର୍ପଣ କରିଥିବା ସୈନିକଙ୍କୁ ହତ୍ୟା କରିବା ଆଦି ଅନ୍ତର୍ଭୁକ୍ତ। ଯୁଦ୍ଧ ଅପରାଧରେ ରାସାୟନିକ ଏବଂ ଜୈବ ଅସ୍ତ୍ର ବ୍ୟବହାର ମଧ୍ୟ ଅନ୍ତର୍ଭୁକ୍ତ । ରୁଷ୍ ଯଦି ଏଭଳି ଅଭିଯୋଗକୁ ଗ୍ରହଣ କରିବ ନାହିଁ କି ତଦନ୍ତ ଓ ବିଚାରଣା ପ୍ରକ୍ରିୟାରେ ସାମିଲ ହେବନାହିଁ ତା’ହେଲେ ରୁଷ୍କୁ ଦୋଷୀ ସାବ୍ୟସ୍ତ କରିବା ଓ ଦଣ୍ଡିତ କରିବା ସମ୍ଭବ ହେବନାହିଁ। ରୁଷ୍ ଏବେ ଅନ୍ତର୍ଜାତୀୟ ଅପରାଧିକ ଅଦାଲତକୁ ମାନ୍ୟତା ଦେଉନାହିଁ। ନେଦରଲାଣ୍ଡ୍ର ଦ ହେଗ୍ ସ୍ଥିତ ଏହି ଅଦାଲତକୁ କୌଣସି ଅଭିଯୁକ୍ତଙ୍କୁ ରୁଷ୍ ପଠାଇବ ନାହିଁ। ତେଣୁ ବାଇଡେନ୍ଙ୍କ ଅଭିଯୋଗ କେବଳ ଉପରଠାଉରିଆ ହୋଇ ରହିଯିବ ବୋଲି ଯୁଦ୍ଧନୀତି ବିଶେଷଜ୍ଞମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/ghddhdhgdghgh4659874685465.jpg)