ଚାକିରି ଆବେଦନରେ ତଥ୍ୟ ଲୁଚାଇବା ଠିକ୍‌ ନୁହେଁ: ସୁପ୍ରିମକୋର୍ଟ

ଅଧିକ ଶିକ୍ଷିତ ଥାଇ ପିଅନ ଚାକିରି ହରାଇବେ

ନୂଆଦିଲ୍ଲୀ: ଅଧିକ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ କମ୍‌ ବୋଲି ଦର୍ଶାଇ ଚାକିରି କରିବା ଠିକ୍‌ କାର୍ଯ୍ୟ ନୁହେଁ। ଏଥିରୁ ସମ୍ପୃକ୍ତ ବ୍ୟକ୍ତିଙ୍କର ଚରିତ୍ରର ଆଭାସ ମିଳୁଛି। ଆବେଦନରେ ସେ ମିଛ କହିଥିଲେ। ଏଭଳି ବ୍ୟକ୍ତି ଚାକିରିର ହକ୍‌ଦାର ନୁହନ୍ତି ବୋଲି ସୁପ୍ରିମକୋର୍ଟ ଏକ ରାୟରେ ସ୍ପଷ୍ଟ କରିଛନ୍ତି। ଫଳରେ, ଶିକ୍ଷାଗତ ଯୋଗ୍ୟତା ଲୁଚାଇଥିବା ବ୍ୟକ୍ତିଙ୍କୁ ଚାକିରି ହରାଇବାର ବାଟ ପରିଷ୍କାର ହୋଇଯାଇଛି। ଏହି ବ୍ୟକ୍ତି ହେଉଛନ୍ତି ଓଡ଼ିଶାର ଅନିତ ଦାସ। ୨୦୧୬ ମସିହାରେ ଅନିତ ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କର ପିଅନ ପଦ ନିମନ୍ତେ ଆବେଦନ କରିଥିଲେ। ଦ୍ବାଦଶ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିଲେ ଏହି ପଦ ପାଇଁ ଆବେଦନ କରିପାରିପାରିବେ ବୋଲି କୁହାଯାଇଥିଲା। ଏଥିସହିତ, ବିଏ ଡିଗ୍ରୀଧାରୀ ଏହି ପଦ ନିମେନ୍ତ ଆବେଦନ କରିପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା। ମାତ୍ର, ଅନିତ ଗ୍ରାଜୁଏଟ୍‌ ହେବା ସତ୍ତ୍ବେ ପିଅନ ପଦ ନିମେନ୍ତ ଆବେଦନ କରିଥିଲେ। ଆବେଦନରେ କିମ୍ବା ବାଓଡାଟାରେ ସେ ଗ୍ରାଜୁଏଟ୍‌ ଥିବା ଉଲ୍ଲେଖ କରି ନ ଥିଲେ। ବ୍ୟାଙ୍କ ଦ୍ୱାରା ୧୦ମ ଓ ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କର ଯେଉଁ ତାଲିକା ପ୍ରସ୍ତୁତ କରାଗଲା, ସେଥିରେ ଅନିତଙ୍କ ନାମ ରହିଥିଲା। ଅନିତଙ୍କ ଘର ବାଲେଶ୍ବର। ଏହାପରେ ବ୍ୟାଙ୍କ ଦ୍ୱାରା ତାଙ୍କୁ ନିଯୁକ୍ତି ପତ୍ର ମଧ୍ୟ ଜାରି କରିଦିଆଗଲା। ନିଯୁକ୍ତି ପତ୍ର ଜାରି କରିବା ପରେ ଅନିତଙ୍କୁ ମୂଳ ପ୍ରମାଣପତ୍ରଗୁଡ଼ିକ ସହ ବ୍ୟାଙ୍କକୁ ଆସିବା ପାଇଁ କୁହାଗଲା। ବ୍ୟାଙ୍କର ଅଧିକାରୀମାନଙ୍କୁ ଅନିତ ଦଶମ ଓ ଦ୍ୱାଦଶର ସାର୍ଟିଫିକେଟ୍ ଓ ମାର୍କ ଦେଖାଇବାବେଳେ ବିଏ ପାସ୍ ଡିଗ୍ରୀ ପ୍ରମାଣପତ୍ର ମଧ୍ୟ ଦେଖାଇଦେଲେ। ୨୦୧୪ରେ ଅନିତ ବିଏ ଡିଗ୍ରୀ ହାସଲ କରିଥିଲେ । ବ୍ୟାଙ୍କ ଦ୍ୱାରା ଅନିତଙ୍କ ବିଏ ଡିଗ୍ରୀ ପିଅନ ଚାକିରି ପାଇଁ ଅଯୋଗ୍ୟ ବୋଲି କୁହାଗଲା।

ଏହାପରେ ଅନିତ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ହାଇକୋର୍ଟର ଜଣିକିଆ ବେଞ୍ଚ ଆହ୍ଲାବାଦ ହାଇକୋର୍ଟର ଗୋଟିଏ ରାୟର ଦୃଷ୍ଟାନ୍ତ ଦେଇ ଓଭର କ୍ୱାଲିଫାଇଏଡ୍ ବ୍ୟକ୍ତିଙ୍କୁ ଚାକିରିରୁ ବଞ୍ଚିତ କରାଯାଇପାରିବ ନାହିଁ ଜଣାଇ ତାଙ୍କୁ ବ୍ୟାଙ୍କରେ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କ ଦ୍ୱାରା ହାଇକୋର୍ଟରେ ଜଣିକିଆ ବେଞ୍ଚର ଆଦେଶକୁ ଡିଭିଜନ ବେଞ୍ଚରେ ଚାଲେଞ୍ଜ କରାଗଲା। କିନ୍ତୁ ଡିଭିଜନ ବେଞ୍ଚ୍‌ ଆଦେଦନକୁ ଖାରଜ କରିଦେଇଥିଲେ। ଏହାପରେ ବ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଅପିଲ୍‌ କରାଯାଇଥିଲା। ସୁପ୍ରିମକୋର୍ଟର ବିଚାରପତି ଅଶୋକ ଭୂଷଣ, ବିଚାରପତି ଆର ସୁଭାଷ ରେଡ୍ଡି ଓ ବିଚାରପତି ମୁକେଶ ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ସ୍ପଷ୍ଟ କରିଥିଲେ ଯେ, ଗୋଟିଏ ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା କ’ଣ ହେବ କୋର୍ଟ ତାହା ଧାର୍ଯ୍ୟ କରିପାରିବ ନାହିଁ। ଆବେଦନରେ ସେ ମିଛ କହିଥିଲେ ଓ ଏଭଳି ବ୍ୟକ୍ତି ଚାକିରିର ହକ୍‌ଦାର ନୁହନ୍ତି ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ସମ୍ପୃକ୍ତ ବ୍ୟକ୍ତି ଚାକିରି ହରାଇବା ଆପାତତଃ ପରିଷ୍କାର ହୋଇଯାଇଛି।

ସମ୍ବନ୍ଧିତ ଖବର