ସରକାରଙ୍କ ମିଛ ଧରାପକାଇବା ବୁଦ୍ଧିଜୀବୀଙ୍କ କର୍ତ୍ତବ୍ୟ: ଜଷ୍ଟିସ୍‌ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ବୁଦ୍ଧିଜୀବୀଙ୍କର କର୍ତ୍ତବ୍ୟ ହେଉଛି ସରକାରଙ୍କ ମିଛ ଧରାପକାଇବା ବୋଲି ସୁପ୍ରିମ୍‌କୋର୍ଟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି। ଏକ ଗଣତାନ୍ତ୍ରିକ ଦେଶରେ ସରକାରଙ୍କୁ ଉତ୍ତରଦାୟୀ କରିରଖିବା ଏବଂ ମିଥ୍ୟାବାଦ ଓ ମିଛ କାହାଣୀର ପ୍ରସାରକୁ ରୋକିବା ଆବଶ୍ୟକ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି।

ଆଜି ‘ଜଷ୍ଟିସ୍ ଏମ୍‌.ସି. ଚଗଲା ସ୍ମାରକୀ ବକ୍ତୃତା’ ଅବସରରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ ଯେ, ସରକାର ସାମାଜିକ, ରାଜନୈତିକ, ଅର୍ଥନୈତିକ, ସାମ୍ପ୍ରତିକ ଏପରି କି ସ୍ବାସ୍ଥ୍ୟସେବା ବିଷୟରେ ଯେତେବେଳେ ଯାହା କହୁଛନ୍ତି, ସେଗୁଡ଼ିକୁ ସମ୍ପୂର୍ଣ୍ଣ ସତ ମାନି ତା’ ଉପରେ ଅତିନିର୍ଭର କରିବା ଅନୁଚିତ। କୋଭିଡ୍‌-୧୯ ସମ୍ବନ୍ଧିତ ତଥ୍ୟକୁ ସେ ଉଦାହରଣ ଭାବେ ନେଇଥିଲେ। କେବଳ ଭାରତ ନୁହେଁ, ଅନେକ ଦେଶ କୋଭିଡ୍‌-୧୯ ତଥ୍ୟରେ ଏପଟ ସେପଟ କରିଥିବା ଓ ବାସ୍ତବ ତଥ୍ୟ ଦେଇ ନ ଥିବା ସେ ପ୍ରକାଶ କରିଥିଲେ। ଦିନକୁ ଦିନ ଗଣମାଧ୍ୟମରେ ବି ମିଛ ଖବର ସଂଖ୍ୟା ବଢ଼ିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିଡ୍-୧୯ ମହାମାରୀ ସଙ୍ଗରେ ଏହାକୁ ଇନ୍‌ଫୋଡେମିକ୍ (ମହାମାରୀ ପରି ମିଥ୍ୟା ଖବରର ପ୍ରସାର) ବୋଲି କହିଛି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ ମଧ୍ୟ ଏକ ‘ସତ୍ୟ-ପର’ (ପୋଷ୍ଟ-ଟ୍ରୁଥ୍) ଜଗତ ବିଷୟରେ କହିଛନ୍ତି, ଯେଉଁଥିରେ ‘ଆମ ସତ୍ୟ’ ଓ ‘ଆପଣଙ୍କ ସତ୍ୟ’ ଭିତରେ ପ୍ରତିଯୋଗିତା ହେବ ଏବଂ ଆପଣାର ବୋଧ ଭିତରେ ଗ୍ରହଣୀୟ ହେଉନଥିବା ‘ସତ୍ୟ’କୁ ଉପେକ୍ଷା କରିବାର ପ୍ରବଣତା ଆସିବ।

ସମ୍ବନ୍ଧିତ ଖବର