ନୂଆଦିଲ୍ଲୀ: ଏକ ଅଦାଲତ ଅବମାନନା ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିବା ସତ୍ତ୍ବେ ଏହି ମାମଲାରେ ଆଲ୍ଲାହାବାଦ ହାଇକୋର୍ଟ ଉତ୍ତରପ୍ରଦେଶର ବରିଷ୍ଠ ସରକାରୀ ଅଧିକାରୀଙ୍କୁ ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେବା ଘଟଣାରେ ଆଜି ସର୍ବୋଚ୍ଚ ଅଦାଲତ କ୍ଷୋଭ ପ୍ରକାଶ କରିଛନ୍ତି। ଅପରପକ୍ଷେ, ଏପରି ଅଯଥା ଓ ଅନାବଶ୍ୟକ କ୍ଷମତା ପ୍ରଦର୍ଶନ ଦ୍ବାରା ସାଧାରଣ ଲୋକଙ୍କର ନ୍ୟାୟପାଳିକା ଉପରେ ରହିଥିବା ବିଶ୍ବାସ ଓ ଭରସାକୁ କେବେ ଦୂରେଇ ଦିଆଯାଇ ପାରିବ ନାହିଁ ବୋଲି ଜଷ୍ଟିସ୍ ସଞ୍ଜୟ କିଷାନ କୌଲ୍ ଓ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଉତ୍ତରପ୍ରଦେଶର ସଂପୃକ୍ତ ବରିଷ୍ଠ ଅଧିକାରୀଙ୍କୁ ହାଜର ହେବା ଲାଗି ଆଲ୍ଲାହାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ଦୃଷ୍ଟିକୁ ଆଣିଥିଲେ। ତେବେ ଏପରି ଅଧିକାରୀମାନଙ୍କୁ ସାମାନ୍ୟ କଥାରେ ଅଦାଲତକୁ ଟାଣିବା ଅଭ୍ୟାସରୁ ବିରତ ରହିବାକୁ ସୁପ୍ରିମକୋର୍ଟ ପୂର୍ବରୁ ଅନେକ ଥର ନିଜର ରାୟ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି। କାରଣ ପଦବି ଯେତେ ଉଚ୍ଚତର ହେବ, କ୍ଷମତାକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ମଧ୍ୟ ସେତେ ଅଧିକ ହେବ। ସୁତରାଂ ଏପରି ଛୋଟ କଥାରେ ବରିଷ୍ଠ ଅଧିକାରୀଙ୍କୁ ଅଦାଲତକୁ ଦଉଡ଼ାଇବା ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/supreme-1.jpg)