ପୁରୁଷଙ୍କ ପାଇଁ ପାରିବାରିକ ହିଂସା ଆଇନ ନ ରହିବା ଦୁର୍ଭାଗ୍ୟଜନକ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ସ୍ବାମୀ ବିରୋଧରେ ଜଣେ ପତ୍ନୀ ଆଣିଥିବା ମିଥ୍ୟା ଅଭିଯୋଗରୁ ମୁକୁଳିବା ସକାଶେ ପୁରୁଷଙ୍କ ପାଇଁ ସେଭଳି କୌଣସି ପାରିବାରିକ ହିଂସା ଆଇନ ନରହିବା ଦୁର୍ଭାଗ୍ୟଜନକ ବୋଲି ଆଜି ଏକ ମାମଲାର ଶୁଣାଣି ବେଳେ ମାଡ୍ରାସ ହାଇକୋର୍ଟ ଟିପ୍ପଣୀ କରିଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ରାଜ୍ୟର ଜନୈକ ପ୍ରାଣୀ ଚିକିତ୍ସକ ଡା. ପି. ଶଶିକୁମାରଙ୍କ ବିରୋଧରେ ତାଙ୍କ ପତ୍ନୀ ୨୦୧୫ରେ ସଲେମ ସ୍ଥିତ ମହିଳା ଅଦାଲତରେ ପାରିବାରିକ ହିଂସା ଅଭିଯୋଗ ଆଣିବା ସହ ତାଙ୍କଠାରୁ ବିବାହ ବିଚ୍ଛେଦ ଲୋଡ଼ିଥିଲେ। ତେବେ ଏହି ବିବାହ ବିଚ୍ଛେଦ ମାମଲାର ରାୟ ଆସିବାର ଚାରି ଦିନ ପୂର୍ବରୁ ଡା. ଶଶିକୁମାର ମଧ୍ୟ ଅଦାଲତରେ ନିଜ ପତ୍ନୀଙ୍କ ନିଷ୍ଠୁରତା ଦର୍ଶାଇ ଅନୁରୂପ ବିବାହ ବିଚ୍ଛେଦ ଲୋଡ଼ିଥିଲେ।

ମାତ୍ର ବିବାହ ବିଚ୍ଛେଦ ପୂର୍ବରୁ ତାଙ୍କ ପତ୍ନୀ ତାଙ୍କ ବିରୋଧରେ ଆଣିଥିବା ପାରିବାରିକ ହିଂସା ଅଭିଯୋଗକୁ ଭିତ୍ତି ରାଜ୍ୟ ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ ଡା. ଶଶିକୁମାରଙ୍କୁ ଚାକିରିରୁ ବହିଷ୍କାର ଆଦେଶ ଜାରି କରିଛନ୍ତି। ତେବେ ଏହା ବିରୋଧରେ ସେ ହାଇକୋର୍ଟରେ ଶରଣ ଯାଇଥିଲେ। ଅପରପକ୍ଷେ, ମାମଲାର ଘଟଣାକ୍ରମରୁ ଡା. ଶଶିକୁମାରଙ୍କ ପତ୍ନୀ ସେମାନଙ୍କର ବିବାହ ବିଚ୍ଛେଦ ନିର୍ଦ୍ଦେଶ ଆଶଙ୍କା କରି ଅଯଥାରେ ହଇରାଣ କରିବାକୁ ତାଙ୍କ ବିରୋଧରେ ଏପରି ଘରୋଇ ହିଂସା ଅଭିଯୋଗ ଆଣିଥିଲେ ବୋଲି ମାମଲାର ଶୁଣାଣି ବେଳେ ଜଷ୍ଟିସ ଏସ୍‌ ବୈଦ୍ୟନାଥଙ୍କ ଖଣ୍ଡପୀଠ ହୃଦୟଙ୍ଗମ କରିଥିଲେ।

ଏ ପରିପ୍ରେକ୍ଷୀରେ ଉଭୟ ପତି ଏବଂ ପତ୍ନୀ ନିଜର ଅହଂକାର ଓ ଅସହିଷ୍ଣୁତାକୁ ପାଦର ଜୋତା ସମ ଘର ଭିତରେ ପଶିବା ଆଗରୁ ବାହାରେ ଛାଡ଼ିଦେଇଯିବା ଉଚିତ ବୋଲି ପରାମର୍ଶ କରିଥିଲେ। ସେହିପରି ଦୁର୍ଭାଗ୍ୟର କଥା, ଦେଶରେ ପୁରୁଷମାନଙ୍କ ପାଇଁ ସେଭଳି କୌଣସି ଘରୋଇ ହିଂସା ଆଇନ ନାହିଁ ଯାହା ବଳରେ ସେମାନେ ମଧ୍ୟ ପତ୍ନୀଙ୍କ ଠାରୁ ଅନୁରୂପ ସୁରକ୍ଷା ପାଇପାରିବେ ବୋଲି ଖଣ୍ଡପୀଠ ଟିପ୍ପଣୀ କରିବା ସହ ୧୫ ଦିନ ଭିତରେ ଡା. ଶଶିକୁମାରଙ୍କୁ ପୁନଃନିଯୁକ୍ତି ଦେବା ପାଇଁ ପଶୁ ସମ୍ପଦ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ କରିଥିଲେ।

ସମ୍ବନ୍ଧିତ ଖବର