ଇତିହାସରେ ପ୍ରଥମ: ଆଇଆଇଟି କାନ୍‌ପୁର ୧୬ଛାତ୍ରଙ୍କୁ ୩ବର୍ଷ ଲାଗି ନିଲମ୍ବିତ କଲା

କାନ୍‌ପୁର: ରାଗିଙ୍ଗ ମହଙ୍ଗା ପଡ଼ିଛି। ଦେଶର ଶୀର୍ଷ ବୈଷୟିକ ଶିକ୍ଷାନୁଷ୍ଠାନ ଆଇଆଇଟି (କାନ୍‌ପୁର) କନିଷ୍ଠ ଛାତ୍ରଙ୍କୁ ର‍୍ୟାଗିଙ୍ଗ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ୧୬ଜଣ ବରିଷ୍ଠ ଛାତ୍ରଙ୍କୁ ୩ବର୍ଷ ଲାଗି ସସ୍‌ପେଣ୍ଡ କରିଛି। ଏଥିସହ ସମାନ ଅଭିଯୋଗରେ ଆଉ ୬ଜଣଙ୍କୁ ୧ବର୍ଷ ପାଇଁ ସମାନ ଦଣ୍ଡ ଦିଆଯାଇଛି।

ଉଲ୍ଲେଖନୀୟ କଥା ହେଲା, ଆଇଆଇଟି କର୍ତ୍ତୁପକ୍ଷ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଶିକ୍ଷାନୁଷ୍ଠାନର ଇତିହାସରେ ପ୍ରଥମ।

ଆଇଆଇଟି (କାନ୍‌ପୁର)ର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ସିନେଟ ଏହି ନିଷ୍ପତ୍ତି ନେଇଛି। ସୋମବାର ଏ ନେଇ ହୋଇଥିବା ସିନେଟ୍‌ ବୈଠକରେ ଆଇଆଇଟିର ତୃତୀୟ ବର୍ଷର ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। କନିଷ୍ଠ ଛାତ୍ରମାନଙ୍କୁ ରାଗିଙ୍ଗ ନାମରେ ଉଲଗ୍ନ କରିବା ଏବଂ ଅଶାଳୀନ ଆଚରଣ କରିବାକୁ ବାଧ୍ୟ କରିବା ଇତ୍ୟାଦି ପ୍ରମାଣିତ ହେବାପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଆଇଆଇଟି। ଏହି ଘଟଣାବଳୀ ମୋବାଇଲ ଫୋନ୍‌ରେ ରେକର୍ଡ ହୋଇ ସୋସିଆଲ ମିଡିଆରେ ପ୍ରସାରିତ ହେବାପରେ ସିନେଟ୍ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ଲାଗି ବାଧ୍ୟ ହୋଇଛି।

ଆଇଆଇଟି (କାନ୍‌ପୁର)ର ଉପ-ନିର୍ଦ୍ଦେଶକ ଡ. ମନୀନ୍ଦ୍ର ଅଗ୍ରଓ୍ଵାଲ କହିଛନ୍ତି ଯେ, ରାଗିଙ୍ଗ ମାମଲାରେ ୧୬ଜଣ ଛାତ୍ରଙ୍କୁ ୩ ବର୍ଷ ଲାଗି ଏକ୍ସପେଲ କରାଯାଇଥିବା ବେଳେ ବାକି ୬ଜଣଙ୍କୁ ବର୍ଷେ ଲାଗି ଏକ୍ସପେଲ୍ କରାଯାଇଛି। ଯେଉଁମାନଙ୍କ ବିରୋଧରେ ଗୁରୁତର ଅପରାଧ ପ୍ରମାଣିତ ହୋଇଛି, ସେମାନଙ୍କୁ ଦଣ୍ଡିତ କରାଯାଇଛି।

ସମ୍ବନ୍ଧିତ ଖବର