ଆଇଟି ମନ୍ତ୍ରୀଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ଘଣ୍ଟାଏ ବନ୍ଦ

ନୂଆଦିଲ୍ଲୀ : କେନ୍ଦ୍ର ଆଇଟି ଏବଂ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଟ୍ବିଟର ଆକାଉଣ୍ଟ ଆଜି ସକାଳେ ଘଣ୍ଟାଏ ପାଇଁ ବନ୍ଦ କରିଦିଆଯାଇଥିଲା। ନିଜେ ରବି ଶଙ୍କର ପ୍ରସାଦ ପ୍ରଥମେ ଏହି ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଟେଲିଭିଜନ ବିତର୍କରେ ସେ ଭାଗନେଇ କହିଥିବା ବିଷୟବସ୍ତୁକୁ ପୋଷ୍ଟ କରି ସ୍ବତ୍ବାଧିକାର ଆଇନକୁ ଉଲ୍ଲଂଘନ କରିଥିବା ଅଭିଯୋଗ ପରେ ଟ୍ବିଟର ଏଭଳି ପଦକ୍ଷେପ ଗ୍ରହଣ କରିଛି ବୋଲି କହିଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ପାଖାପାଖି ଘଣ୍ଟାଏ କାଳ ଟ୍ବିଟର ମୋ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ଡିଜିଟାଲ ମିଲେନିୟମ କପିରାଇଟ୍ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଟ୍ବିଟର ଏଭଳି ପଦକ୍ଷେପ ନେଇଥିବା ମନ୍ତ୍ରୀ କହିଛନ୍ତି। କିନ୍ତୁ ପରେ ମୋ ଆକାଉଣ୍ଟ ବ୍ୟବହାର କରିବା ଲାଗି ଅନୁମତି ଦେଇଛନ୍ତି। ଟ୍ବିଟରର ଏହି ପଦକ୍ଷେପ ଆଇଟି (ଇଣ୍ଟରମିଡିଆରି ଗାଇଡଲାଇନ୍ସ ଆଣ୍ଡ୍ ଡିଜିଟାଲ ମିଡିଆ ଏଥିକ୍ସ)ର ଖୋଲା ଉଲ୍ଲଂଘନ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେମାନେ ମୋତେ ଟ୍ବିଟର ବ୍ୟବହାର ପାଇଁ ଅନୁମତି ଦେବା ପୂର୍ବରୁ ଯେଉଁ ନୋଟିସ ଦେବା କଥା ତାହା ଦେଇନାହାନ୍ତି ବୋଲି କେନ୍ଦମନ୍ତ୍ରୀ ଅଭିଯୋଗ କରିଛନ୍ତି। ତେବେ ଆକାଉଣ୍ଟ ବନ୍ଦ କରିବାର କିଛି ସମୟ ପରେ ରବି ଶଙ୍କରକୁ ଟ୍ବିଟର ତାଙ୍କ ଆକାଉଣ୍ଟ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ଅନୁମତି ଦେଇଥିବା ‌ସଂକ୍ରାନ୍ତ ପୋଷ୍ଟରେ ଆଇଟି ମନ୍ତ୍ରୀଙ୍କୁ ସତର୍କ ମଧ୍ୟ କରାଇ ଦିଆଯାଇଛି। ଯଦି ସେ କରିଥିବା ପୋଷ୍ଟ ବିରୋଧରେ ଅଧିକ କିଛି ନୋଟିସ କମ୍ପାନିକୁ ଆସେ ତାହେଲେ ତାଙ୍କ ଆକାଉଣ୍ଟକୁ ପୁଣି ବନ୍ଦ କରିଦିଆଯିବ ଏବଂ ସମ୍ଭବତଃ ସ୍ଥଗିତ କରିଦିଆଯିବ। ଏହାକୁ ଏଡ଼ାଇବା ପାଇଁ ସେ କମ୍ପାନିର କପିରାଇଟ୍ ନୀତିକୁ ଉଲ୍ଲଂଘନ କରିବା ଭଳି କୌଣସି ବିଷୟ ପୋଷ୍ଟ ନକରନ୍ତୁ। ଯେଉଁ ପୋଷ୍ଟ କରିବାକୁ ଆପଣଙ୍କୁ ସ୍ବୀକୃତି ନାହିଁ ସେଗୁଡ଼ିକୁ ହଟାଇ ନେବାକୁ ଟ୍ବିଟର କେନ୍ଦ୍ରମନ୍ତ୍ରୀଙ୍କୁ ଅନୁମତି ଦେବା ସମୟରେ କହିଛି।

କମ୍ପାନିକୁ ରବି ଶଙ୍କର ସମାଲୋଚନା କରି ଏହା ମଧ୍ୟ କହିଛନ୍ତି ଯେ ଇଣ୍ଟରମିଡିଆରି ଗାଇଡ଼ଲାଇନକୁ ମାନିବାକୁ ଟ୍ବିଟର କାହିଁକି ମନାକରୁଛି ତାହା ଏଥିରୁ ସ୍ପଷ୍ଟ ହୋଇଯାଇଛି। ଯଦି ଟ୍ବିଟର ନିୟମକୁ ପାଳନ କରିବ ତାହେଲେ ମନଇଚ୍ଛା କୌଣସି ବ୍ୟକ୍ତିକୁ ଏହାର ପ୍ଲାଟଫର୍ମକୁ ବ୍ୟବହାର ବନ୍ଦ କରିବା ପାଇଁ ମନା କରି ପାରିବ ନାହିଁ। ସେ କପିରାଇଟ ନିୟମ ଉଲ୍ଲଂଘନ କରିନାହାନ୍ତି ବୋଲି ଦର୍ଶାଇବାକୁ ଯାଇ କହିଛନ୍ତି, ଗତ କିଛିବର୍ଷ ହେଲା ସାମାଜିକ ଗଣମାଧ୍ୟରେ ପ୍ରସାର ହୋଇଥିବା ମୋ ସାକ୍ଷାତକାରର ନ୍ୟୁଜକ୍ଲିପ୍ ସଂପର୍କରେ କୌଣସି ଟେଲିଭିଜନ ଚ୍ୟାନେଲ କିମ୍ବା କୌଣସି ଉପସ୍ଥାପକ ଅଭିଯୋଗ କରିନାହାନ୍ତି। ଟ୍ବିଟରର ଏଭଳି କାର୍ଯ୍ୟ ପ୍ରମାଣିତ କରୁଛି ଯେ ସେମାନେ ବାକ୍ ସ୍ବାଧୀନତାକୁ ଗୁରୁତ୍ବ ଦିଅନ୍ତି ନାହିଁ ବରଂ ସେମାନଙ୍କ ନିଜ ‌ଏଜେଣ୍ଡା କାର୍ଯ୍ୟକାରୀ କରିବା ପାଇଁ ଆଗ୍ରହୀ। ତେଣୁ ଯେଉଁ ପ୍ଲାଟଫର୍ମ ହୁଅନ୍ତୁ ନା କାହିଁକି ସମସ୍ତଙ୍କୁ ନୂଆ ଆଇଟି ନିୟମ ପାଳନ କରିବାକୁ ହେବ। ଏଥିରେ ସାଲିସର କୌଣସି ସୁଯୋଗ ନାହିଁବୋଲି ସେ କହିଛନ୍ତି।

ତେବେ ଏହି ଘଟଣା ପରେ ଟ୍ବିଟର ଏବଂ ଭାରତ ସରକାରଙ୍କ ମଧ୍ୟରେ ଗତ କିଛିମାସ ହେଲା ଚାଲିଆସିଥିବା ବିବାଦ ଆଉ ପାଦେ ଆଗକୁ ବଢ଼ିଛି। ସରକାର ‌ସାମାଜିକ ଗଣମାଧ୍ୟମ ଗୁଡ଼ିକ ପାଇଁ ନୂଆ ଆଇଟି ନିୟମ କରିଛନ୍ତି। ସେଥିରେ ଭାରତରେ ନିୟମ ପରିପାଳନକୁ ନିଶ୍ଚିତ କରିବା ନିମନ୍ତେ ଅଧିକାରୀ ନିଯୁକ୍ତି ଏବଂ ଅନ୍ୟାନ୍ୟ ସର୍ତ୍ତ ରଖାଯାଇଛି। ନୂଆ ଆଇନ ଫଳରେ ଟ୍ବିଟର ମାଧ୍ୟମରେ ଲୋକମାନେ କରୁଥିବା ପୋଷ୍ଟ ପାଇଁ କମ୍ପାନି ନିଜକୁ ଦୋଷମୁକ୍ତ ବୋଲି ଦାବି କରିପାରିବ ନାହିଁ। କିନ୍ତୁ ଟ୍ବିଟର ବର୍ତ୍ତମାନ ସୁଦ୍ଧା ଏହି ନିୟମକୁ ପାଳନ କରିନାହିଁ।

ମୋ ଆକାଉଣ୍ଟ ବି ବନ୍ଦ କରିଥିଲା ଟ୍ବିଟର୍‌
ନୂଆଦିଲ୍ଲୀ :କେନ୍ଦ୍ର ଆଇଟି ଓ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଟ୍ବିଟର ଆକାଉଣ୍ଟ ବ୍ୟବହାର ପାଇଁ ଆଜି ପ୍ରାୟ ଘଣ୍ଟାଏ କାଳ ମିଳି ନଥିଲା। ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ତଥା ଆଇଟି ସଂକ୍ରାନ୍ତ ସଂସଦୀୟ କମିଟିର ଅଧ୍ୟକ୍ଷ ଶଶୀ ଥରୁର। ଟ୍ବିଟର ଠାରୁ ସେ ମଧ୍ୟ ସମାନ ଧରଣର କାର୍ଯ୍ୟାନୁଷ୍ଠାନ ଭୋଗିଥିଲେ ବୋଲି ଥରୁର କହିଛନ୍ତି। ରାସପୁଟିନ ସଂଗୀତରେ ନୃତ୍ୟ ପ୍ରଦର୍ଶନର ଏକ ଭିଡିଓ ସେ ପୋଷ୍ଟ କରିଥିଲେ। ଏହା କପିରାଇଟର ଉଲ୍ଲଂଘନ କରୁଥିବାରୁ ତାଙ୍କ ଆକାଉଣ୍ଟକୁ ଟ୍ବିଟର ବନ୍ଦ କରି‌ଥିଲା। ଇଣ୍ଟରନ୍ୟାସନାଲ ଫେ‌ଡେରେସନ ଅଫ୍ ଦି ‌ଫୋନୋଗ୍ରାଫିକ ଇଣ୍ଡଷ୍ଟ୍ରି (ଆଇଏଫପିଆଇ) ପକ୍ଷରୁ କରାଯାଇଥିବା ଅଭିଯୋଗ ଭିତ୍ତିରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତେବେ ତାଙ୍କର ଏବଂ ପ୍ରସାଦଙ୍କ ଆକାଉଣ୍ଟକୁ ବନ୍ଦ କରାଯିବା ଯିବା ସଂପର୍କରେ ସେ ସଂସଦୀୟ କମିଟି ଅଧ୍ୟକ୍ଷ ଭାବେ ଟ୍ବିଟରକୁ ପ୍ରଶ୍ନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର