ଟିକସ ଫାଙ୍କି ନେଇ ଜୟା ଟିଭି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ

ଚେନ୍ନାଇ: ଟିକସ ଫାଙ୍କି ନେଇ ତାମିଲନାଡୁର ଆଞ୍ଚଳିକ ଟିଭି ଚାନେଲ ଜୟା ଟିଭିର ଚେନାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏତଦ୍‌ବ୍ୟତୀତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟ ଲଲିତାଙ୍କ କୋଦଣ୍ଡ ଇଷ୍ଟେଟ୍‌, ଜେଲରେ ଥିବା ଏଆଇଏଡିଏମକେର ବିବାଦୀୟ ନେତ୍ରୀ ଭି କେ ଶଶୀକଳା ଓ ତାଙ୍କ ସମର୍ଥକଙ୍କ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଛି।
ସେହିପରି ଶଶୀକଳାଙ୍କ ସ୍ୱାମୀ ଏମ ନଟରାଜନଙ୍କ ତାଞ୍ଜାଭୁରସ୍ଥିତ ବାସଭବନରେ ମଧ୍ୟ ଆୟକର ଚଢ଼ାଉ କରାଯାଇଛି। ଦଳରୁ ବହିଷ୍କୃତ ଏଆଇଏଡିଏମକେ ନେତା ଟିଟିଭି ଦିନାକରନଙ୍କ ମନ୍ନାଇନଗର, ଶଶୀକଳାଙ୍କ ଭାଇ ଦିବାକରନଙ୍କ ସୁନ୍ଦରାକୋଟ୍ଟାଇ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତାମିଲନାଡୁର ମୋଟ୍‌ ୮୦ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଆୟକର ବିଭାଗର ୧୦ ଜଣ ଅଧିକାରୀ ଜୟାଟିଭି କାର୍ଯ୍ୟାଳୟ ଓ ଏଆଇଏଡିଏମକେ ମୁଖପତ୍ର ଡ. ନମାଧୁ ଏମଜିଆରରେ ମଧ୍ୟ ଚଢ଼ାଉ କରିଛନ୍ତି।
ସୂଚନାଯୋଗ୍ୟ ଯେ ଯଦିଓ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଦ୍ୱାରା ଜୟା ଟିଭି ପ୍ରତିଷ୍ଠା କରାଯାଇଥିଲା ମାତ୍ର ଜୟା ଟିଭି ଓ ଜାଜ୍‌ ସିନେମାକୁ ଏବେ ଶଶୀକଳାଙ୍କୁ ପୁତୁରା ବିବେକ ଜୟରମନ ନିୟନ୍ତ୍ରଣ କରୁଛନ୍ତି। ତେଣୁ ଶ୍ରୀ ଜୟକୁମାରଙ୍କ ଘରେ ମଧ୍ୟ ଆୟକର ଚଢ଼ାଉ କରାଯାଇଛି।

ସମ୍ବନ୍ଧିତ ଖବର