ଆୟକର ରିଟର୍ଣ୍ଣ ଦାଖଲ ତାରିଖ ଅକ୍ଟୋବର ୩୧କୁ ବୃଦ୍ଧି; ଟିଡିଏସ୍‌ରେ ୨୫% ରିହାତି

ନୂଆଦିଲ୍ଲୀ: କରୋନା ପରବର୍ତ୍ତୀ ସମୟରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଦେଶବାସୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ‘ଆତ୍ମନିର୍ଭର ଭାରତ ମିଶନ’ ଅଧୀନରେ ୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜ୍‌ର ରୂପରେଖ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଆଜି ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ଏହି ଆର୍ଥିକ ପ୍ୟାକେଜ୍‌ର ଲାଭ ଯେପରି ଦେଶର ସବୁବର୍ଗର ଜନତା ପାଇପାରିବେ ସେଥିନେଇ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ସରକାର। ଫଳରେ ଦେଶର ଟିକସଦାତାମାନଙ୍କୁ ରିହାତି ପ୍ରଦାନ କରି ସେମାନଙ୍କର କରୋନା ପରବର୍ତ୍ତୀ ଚାପକୁ ହ୍ରାସ କରିବାକୁ ଚେଷ୍ଟା କରିଛନ୍ତି ସରକାର। ଏହି କ୍ରମରେ:

– ଯେଉଁ ଅଣ-ବେତନଭୋଗୀ କର୍ମଚାରୀମାନେ ଆୟକର ରିଟର୍ଣ୍ଣ ଦାଖଲ କରୁ ନଥିଲେ ଅଥଚ ସେମାନଙ୍କ ଆୟରୁ ଟିଡିଏସ୍‌ କଟୁଥିଲା; ସେପରି ବ୍ୟକ୍ତିମାନଙ୍କ ପାଇଁ ଟିଡିଏସ୍‌ରେ ୨୫ ପ୍ରତିଶତର ରିହାତି ଏହି ପ୍ୟାକେଜ୍‌ରେ ଘୋଷଣା କରାଯାଇଛି।
– ଆସନ୍ତାକାଲି (ମେ ୧୪)ଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ୫୦ ହଜାର କୋଟିର ଲାଭ ଦେଶର ଅଣ- ବେତନଭୋଗୀ କର୍ମଚାରୀମାନଙ୍କୁ ମିଳିପାରିବ।
– ସେହିପରି ଯେଉଁ ଅଣ- କର୍ପୋରେଟ ବ୍ୟବସାୟୀ, ବ୍ୟକ୍ତିବିଶେଷ, ଦାତବ୍ୟ ଅନୁଷ୍ଠାନ, ପ୍ରୋପ୍ରାଇଟରସିପ୍‌ ଓ ପାର୍ଟନରସିପ୍‌ ବ୍ୟବସାୟ ପ୍ରତିଷ୍ଠାନ, କୋ- ପରେଟିଭ୍‌ ଅନୁଷ୍ଠାନର ରିଟର୍ଣ୍ଣ ବାବଦ ଫେରସ୍ତ ଆୟକର ବିଭାଗ ପକ୍ଷରୁ ମିଳିବାକୁ ଅଛି, ସେମାନଙ୍କୁ ଅବିଳମ୍ବେ ରିଟର୍ଣ୍ଣ ବାବଦ ଦେୟ ଫେରସ୍ତ କରାଯିବ।
– ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆୟକର ଦାଖଲର ଶେଷ ତାରିଖକୁ ଜୁଲାଇ ୩୧, ୨୦୨୦ ପରିବର୍ତ୍ତେ ଅକ୍ଟୋବର ୩୧, ୨୦୨୦- ନଭେମ୍ବର ୩୦, ୨୦୨୦କୁ ଘୁଞ୍ଚାଇ ଦିଆଯାଇଛି।
– ଟ୍ୟାକ୍ସ ଅଡିଟର ତାରିଖ ସେପ୍ଟେମ୍ବର ୩୦, ୨୦୨୦ରୁ ଅକ୍ଟୋବର ୩୧, ୨୦୨୦କୁ ଘୁଞ୍ଚାଇ ଦିଆ ଯାଇଛି।
– ‘ବିବାଦ ସେ ବିଶ୍ୱାସ’ ଯୋଜନାର ଅବଧିକୁ ଡିସେମ୍ବର ୩୧, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ଟିକସ ଦାଖଲ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କୁ ଡିସେମ୍ବର ୩୧, ୨୦୨୦ ପର୍ଯ୍ୟନ୍ତ କୌଣସି ପ୍ରକାରର ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର