୧.୧୬ ଲକ୍ଷ ଲୋକଙ୍କୁ ଆୟକର ବିଭାଗ ନୋଟିସ୍‌

ବିମୁଦ୍ରାୟନ ପରେ ପୁରୁଣା ନୋଟ୍‌ରେ ୨୫ ଲକ୍ଷରୁ ଅଧିକ ଟଙ୍କା ଜମା କରିଥିଲେ

ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବରରେ ହୋଇଥିବା ବିମୁଦ୍ରାୟନ ପରେ ବ୍ୟାଙ୍କରେ ୨୫ ଲକ୍ଷରୁ ଅଧିକ ଟଙ୍କା ଜମା ରଖିଥିବା ପ୍ରାୟ ୧ ଲକ୍ଷ ୧୬ ହଜାର ଲୋକଙ୍କ ନିକଟକୁ ଆୟକର ନୋଟିସ ପଠାଯାଇଛି । ଏହି ଲୋକମାନେ ଟଙ୍କା ଜମା ରଖିଥିବା ସତ୍ତ୍ୱେ ଧାର୍ଯ୍ୟ ତାରିଖ ମଧ୍ୟରେ ରିଟର୍ଣ୍ଣ ଫାଇଲ କରିପାରି ନ ଥିଲେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରା ।

କେବଳ ଏତିକି ନୁହେଁ, ବିପୁଳ ପରିମାଣର ଟଙ୍କା ଜମା କରି ଆୟକର ରିଟର୍ଣ୍ଣ ଫାଇଲ କରିଥିବା କିଛି ଲୋକଙ୍କ କାରବାର ଉପରେ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି । ଆୟକର ବିଭାଗ ପକ୍ଷରୁ ବିମୁଦ୍ରାୟନ ପରେ ଅଢେଇ ଲକ୍ଷ ବା ଅଧିକ ମୂଲ୍ୟର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଜମା କରିଥିବା ପ୍ରାୟ ୧୮ ଲକ୍ଷ ଲୋକଙ୍କ କାରବାର ଯାଞ୍ଚ କରାଯାଇଥିଲା । ଏମାନଙ୍କୁ ମୁଖ୍ୟତଃ ଦୁଇଟି ବର୍ଗରେ ବିଭକ୍ତ କରାଯାଇଥିଲା- ଯେଉଁମାନେ ୨୫ ଲକ୍ଷ ବା ଅଧିକ ମୂଲ୍ୟର ପୁରୁଣା ଟଙ୍କା ଜମା କରିଥିଲେ ଓ ଯେଉଁମାନେ ୧୦ରୁ ୨୫ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟର ପୁରୁଣା ଟଙ୍କା ଜମା କରିଥିଲେ । ଏହି ଯାଞ୍ଚରୁ ଜଣାପଡିଥିଲା ଯେ ପ୍ରାୟ ୧ ଲକ୍ଷ ୧୬ ହଜାର ଲୋକ ୨୫ ଲକ୍ଷ ଟଙ୍କା ବା ଅଧିକ ମୂଲ୍ୟର ପୁରୁଣା ନୋଟ ଜମା କରିଥିଲେ ମଧ୍ୟ ରିଟର୍ଣ୍ଣ ଫାଇଲ କରିନଥିଲେ । ସେମାନଙ୍କୁ ୩୦ ଦିନ ମଧ୍ୟରେ ରିଟର୍ଣ୍ଣ ଫାଇଲ ପାଇଁ କୁହାଯାଇଛି ବୋଲି ଚନ୍ଦ୍ରା କହିଛନ୍ତି ।

ଅନ୍ୟପକ୍ଷରେ ପ୍ରାୟ ୨ ଲକ୍ଷ ୪୦ ହଜାର ଲୋକ ୧୦ରୁ ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ପୁରୁଣା ନୋଟରେ କରିଥିଲେ ମଧ୍ୟ ରିଟର୍ଣ୍ଣ ଫାଇଲ କରିନାହାନ୍ତି । ସେମାନଙ୍କୁ ୨ୟ ପର୍ଯ୍ୟାୟରେ ନୋଟିସ ପଠାଯିବ ।

ସମ୍ବନ୍ଧିତ ଖବର