ଧାରା ୩୭୦ ଉଚ୍ଛେଦକୁ ଦୁଇବର୍ଷ ପୂରିଲା, ଜମ୍ମୁ କାଶ୍ମୀରରେ ଲାଗୁ ହୋଇଛି ୮୯୦ କେନ୍ଦ୍ରୀୟ ଆଇନ

ଲଦାଖରେ ଗୋଟିଏ ବି ହୋଇନି

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ଆଜି ଦୁଇବର୍ଷ ପୂରଣ ହୋଇଛି। ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ସଂସଦରେ ଏହି ଆଇନ ଗୃହୀତ କରାଇଥିଲେ। ଜମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ସେଥିରୁ ଗୋଟିଏ ହେଲା ଜମ୍ମୁ କାଶ୍ମୀର ଏବଂ ଅନ୍ୟଟି ହେଲା ଲଦାଖ। ଗତ ଦୁଇ ବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ଦିନଠାରୁ ଆଜିସୁଦ୍ଧା ସେଠାରେ ୮୯୦ଟି କେନ୍ଦ୍ରୀୟ ଆଇନ ଲାଗୁ କରାଯାଇଛି। ଏଥିସହିତ ୧୩୦ଟି ରାଜ୍ୟ ଆଇନରେ କିଛିଟା ପରିବର୍ତ୍ତନ କରାଯାଇ ତାହାକୁ କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ଅନ୍ୟପକ୍ଷରେ ଲଦାଖ ପାଇଁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ‌ଗୋଟିଏ ହେଲେ କେନ୍ଦ୍ରୀୟ ଆଇନ ଲାଗୁ କରିନାହାନ୍ତି। କିମ୍ବା ‌ସେତେବେଳର ଜମ୍ମୁ କାଶ୍ମୀର ଆଇନରେ ସଂଶୋଧନ କରି ତାହାକୁ କାର୍ଯ୍ୟକାରୀ କରିନାହାନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୭୬ ପୃଷ୍ଠାର ଏକ ପୁସ୍ତିକାରେ ଏହା କୁହାଯାଇଛି। ଉକ୍ତ ପୁସ୍ତିକାର ନାମ ‘ଜମ୍ମୁ ଆଣ୍ଡ୍ କାଶ୍ମୀର ମାର୍ଚ୍ଚିଂ ଟୁ ଏ ନ୍ୟୁ ଏରା’ ରଖାଯାଇଛି। ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ, ଗୋଟିଏ ପତାକା, ଗୋଟିଏ ବଜାର ଅଧୀନରେ ଜମ୍ମୁ କାଶ୍ମୀରରେ ୮୯୦ଟି କେନ୍ଦ୍ରୀୟ ଆଇନ ଲାଗୁ କରାଯାଇଛି। ଏଥିରେ ଦୁର୍ବଳ ବର୍ଗଙ୍କ ଅଧିକାର ଆଇନ, ଶିଶୁ ଏବଂ ବରିଷ୍ଠ ନାଗରିକଙ୍କ ଅଧିକାର, ଉତ୍ତମ ଶାସନ ଆଇନ, ନୂଆ ଜମି ଆଇନ, ବସବାସ ଆଇନ ଆଦି ଅନ୍ତର୍ଭୁକ୍ତ ରହିଛି। ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଏବଂ ଧାରା ୩୫ ଏ ଉଚ୍ଛେଦ ସହିତ ଉକ୍ତ ରାଜ୍ୟକୁ ଭାଗକରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା। ଏହାପରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀର ପାଇଁ ଯୁଗ୍ମ ତାଲିକାରେ କେନ୍ଦ୍ରୟ ଆଇନ ଲାଗୁ କରିବା ପାଇଁ ଦୁଇଟି ଗେଜେଟ୍ ବିଜ୍ଞପ୍ତି ଜାରି କରିଥିଲେ ମଧ୍ୟ ଲଦାଖ ପାଇଁ ଗୋଟିଏ ହେଲେ ବିଜ୍ଞପ୍ତି ଜାରି ‌କରାଯାଇ ନାହିଁ।

କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ପ୍ରଶାସନ ଲଦାଖରେ ବସବାସ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ କୌଣସି ସଂଜ୍ଞା ନିର୍ଦ୍ଧାରଣ ନକରି ଲଦାଖବାସୀଙ୍କ ଠାରୁ ଚାକିରି ପାଇଁ ଆବେଦନ ଆହ୍ବାନ କରିଛନ୍ତି। ଲଦାଖ ବାସିନ୍ଦା କିଏ ତାହା ଆମେ ଜାଣୁନା। ୨୦୧୯ ଅଗଷ୍ଟ ୫ ଠାରୁ ଆମର କୌଣସି ଆଇନ ନାହିଁ ବୋଲି କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟର ସହ ଅଧ୍ୟକ୍ଷ ଅସଗାର ଅଲ୍ଲୀ କରବାଲି କହିଛନ୍ତି। କିଛି ‌ବିଶେଷଜ୍ଞ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ସରକାର ଏ ନେଇ ଅତ୍ୟନ୍ତ ସମ୍ବେଦନଶୀଳ ଅଛନ୍ତି। ଚୀନର ପ୍ରତିକ୍ରିୟାକୁ ମଧ୍ୟ ସରକାର ଗମ୍ଭୀରତାର ସହ ବିଚାରକୁ ନେଉଛନ୍ତି। ସେଥିପାଇଁ ଲଦାଖ ନିମନ୍ତେ ବର୍ତ୍ତମାନ ସୁଦ୍ଧା କୌଣସି କେନ୍ଦ୍ରୀୟ ଆଇନ ଲାଗୁ କରାଯାଇ ନାହିଁ।

ସମ୍ବନ୍ଧିତ ଖବର