ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂହଙ୍କ ଚିଠି ମୋ ଅନ୍ତରକୁ ସ୍ପର୍ଶ କରିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂହଙ୍କ ଚିଠି ମୋ ଅନ୍ତରକୁ ସ୍ପର୍ଶ କରିଛି ବୋଲି ଆଜି ‘ମନ୍‌କି ବାତ୍‌’ର ୮୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ତାମିଲନାଡୁରୁ କୁନୁର୍‌ ହେଲିକପ୍ଟର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ‘ସିଡିଏସ୍‌’ ବିପିନ ରାୱତ୍‌ ଏବଂ ଗ୍ରୁପ୍‌ କ୍ୟାପ୍ଟେନ୍‌ ବରୁଣ ସିଂହଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ମରଣ କରିବା ବେଳେ  ପ୍ରଧାନମନ୍ତ୍ରୀ ଉପରୋକ୍ତ କଥା କହିଛନ୍ତି। ଗ୍ରୁପ୍‌ କ୍ୟାପ୍ଟେନ୍‌ ବରୁଣ ସିଂହଙ୍କୁ ଅଭିବାଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ତାଙ୍କ ସ୍କୁଲ୍‌ ଚିଠି କଥା ସ୍ମରଣ କରିଥିଲେ। ପ୍ରଧାନମନ୍ତ୍ରୀ କହିଲେ, ମୃତ୍ୟୁ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଥିବା ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂହଙ୍କୁ୨୦୨୧ ଅଗଷ୍ଟରେ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ନିଜର ଉତ୍ପତ୍ତିସ୍ଥଳ ଏବଂ ଶିକ୍ଷାକୁ ପାସୋରି ନ  ଥିବା ବରୁଣ ତାଙ୍କ ସ୍କୁଲ୍‌ ଅଧ୍ୟକ୍ଷଙ୍କ ନିକଟକୁ ପତ୍ରଟି ଲେଖିଥିଲେ। ସେଥିରେ ସେ ନିଜ ବିଫଳତା ଏବଂ ହୀନମନ୍ୟତା କଥା ମଧ୍ୟ ଉଲ୍ଲେଖ କରିଥିଲେ।

ଏହି ପ୍ରସଙ୍ଗ ଆରମ୍ଭ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିବା ଉକ୍ତି ଉଦ୍ଧାର କରିଥିଲେ। ଶ୍ରୀକୃଷ୍ଣ କହିଥିଲେ, ‘ନଭଃ ସ୍ପ୍ରିଶମ୍‌ ଦୀପ୍ତମ୍‌’ ଅର୍ଥାତ୍ ସଗର୍ବ ଆକାଶ ସ୍ପର୍ଶ କର। ଏହା ଭାରତୀୟ ବାୟୁସେନାର ନୀତି ବାକ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

‘ମନ୍‌କି ବାତ୍‌’ ମୁଁ ସରକାରଙ୍କ କୃତ୍ବିତ୍ବର ପ୍ରସାର କରୁନାହିଁ, ଯାହା ଅନାୟାସରେ କରି ହୁଅନ୍ତା। କିନ୍ତୁ, ଏଥିରେ ମୁଁ ସବା ତଳସ୍ତରରେ ଥିବା ପରିବର୍ତ୍ତନକାରୀଙ୍କ ସମ୍ମିଳିତ ଉଦ୍ୟମ କଥା କହୁଛି। ଏଭଳି ଲୋକଙ୍କ କଥା କହିଲେ ଖୁବ୍‌ ଭଲ ଲାଗେ; ଗଭୀର ପ୍ରେରଣା ମିଳେ। ଏଭଳି ଲୋକଙ୍କ ଉଦ୍ୟମ ବୃତ୍ତାନ୍ତ ଯୋଗୁଁ ‘ମନ୍‌କି ବାତ୍‌’ ସୁନ୍ଦର ଉଦ୍ୟାନ ଭଳି ପୂରି ଉଠିଛି। ସେଥିରୁ କେଉଁ ପାଖୁଡ଼ାଟି ତୋଳି ମୁଁ ଆପଣମାନଙ୍କୁ ଭେଟି ଦେବି ସେପାଇଁ ମୁଁ ପ୍ରତିମାସରେ ଚେଷ୍ଟା କରେ।

କୋଭିଡ୍‌-୧୯ ମହାମାରୀ ବାତାବରଣରେ ସମଗ୍ର ଭାରତ ଗୋଟାଏ ପରିବାର ଭଳି ଏକଜୁଟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ‘ମନ୍‌କି ବାତ୍‌’ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦେଶବାସୀଙ୍କୁ ପ୍ରଶଂସା କରିଥିଲେ। ଓମିକ୍ରନ୍‌ଜନିତ ଆତଙ୍କ ସମ୍ପର୍କରେ ସତର୍କ କରାଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, କୋଭିଡ୍‌-୧୯ର ନୂଆ ଭେରିଏଣ୍ଟ୍‌ ‘ଓମିକ୍ରନ୍‌’ ଭାରତରେ ପ୍ରବେଶ କରୁଥିବାରୁ ଆମେ ଅଧିକ ସତର୍କ ରହିବାକୁ ପଡ଼ିବ ଏବଂ ସଦାସର୍ବଦା କୋଭିଡ୍-୧୯ ସଂଯମ ମାନିବାକୁ ପଡ଼ିବ। ନବ ବର୍ଷ ପ୍ରବେଶ ପ୍ରସ୍ତୁତି ବେଳେ କରୋନାଭାଇରସ୍‌ ମୁକାବିଲାକୁ ବହୁଗୁଣ କରିବା ଲାଗି ଆମକୁ ଶପଥ ନେବାକୁ ପଡ଼ିବ।

Image Courtesy of Mint

ସମ୍ପ୍ରତି ସ୍ମାର୍ଟ ଫୋନ୍‌ ଦେଖା ବଢ଼ି ଚାଲିଥିବା ଯୁଗରେ ପୁସ୍ତକ ପଠନକୁ ଜନପ୍ରିୟ କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଚାଲନ୍ତୁ ପଠନକୁ ଅଧିକ ଜନପ୍ରିୟ କରିବା। ଚଳିତ ବର୍ଷ କି, କି, ବହି ପଢ଼ିଛନ୍ତି ତାହା ଜଣାଇବାକୁ ଅନୁରୋଧ। ଏମିତି କରି ଆପଣମାନେ ଅନ୍ୟମାନଙ୍କୁ ୨୦୨୨ ପାଇଁ ପଠନ ତାଲିକା ପ୍ରସ୍ତୁତ କରିବାରେ ସହାୟକ ହୋଇପାରିବେ।

ସାମ୍ପ୍ରତିକ ସମୟରେ ଭାରତୀୟ ସଂସ୍କୃତି ବିଷୟରେ ଅଧିକ ଜାଣିବାକୁ କ‌ୌତୂହଳ ବଢ଼ିଛି। ବିଭିନ୍ନ ଦେଶର ଲୋକେ କେବଳ ଭାରତୀୟ ସଂସ୍କୃତି ଜାଣିବାକୁ କୌତୂହଳୀ ନୁହନ୍ତି, ବରଂ ଏହାର ପ୍ରସାରରେ ସହାୟତା କରୁଛନ୍ତି।

‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜନେ୍‌ସ୍‌’ ଓ ‘ଆଓଟି’ ବଳରେ ନିର୍ମଳ ଜଳ ପାଇଁ ସର୍ଭେ ଏବଂ ଚିହ୍ନଟ କରିବାରେ ଜନସାଧରଣଙ୍କୁ ସହାୟକ ହେଉଥିବା ‘ସାଫ୍‌-ୱାଟର୍‌’କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଜନସାଧାଣଙ୍କୁ ଶୁଦ୍ଧ ଜଳ ପିଆଇ ପାରୁଥିବାରୁ ସେ ଆନନ୍ଦିତ ହୋଇଛନ୍ତି।

ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ପରବର୍ତ୍ତୀ ‘ମନ୍‌କି ବାତ୍‌’ ୨୦୨୨ରେ ପ୍ରସାରଣ କରାଯିବ। ଚାଲନ୍ତୁ, ନୂଆ ନୂଆ ଜିନିଷ ଉଦ୍‌ଭାବନ କରିବା। ସବୁବେଳେ ଆମ ଦେଶ ଓ ଦେଶବାସୀ ଭାଇମାନଙ୍କୁ ସଶକ୍ତ କରିବା କଥା ଚିନ୍ତା କରିବା।

ସମ୍ବନ୍ଧିତ ଖବର