ନୂଆଦିଲ୍ଲୀ: ରେମଣ୍ଡ ଅଧ୍ୟକ୍ଷ ଗୌତମ ସିଂଘାନିଆ ପତ୍ନୀ ନୱାଜ ମୋଦୀଙ୍କଠାରୁ ଅଲଗା ହେବା ପରେ ତାଙ୍କ ପରିବାର ଭିତରେ ରହିଥିବା ଝଗଡ଼ା ପୁଣି ଥରେ ସାମ୍ନାକୁ ଆସିଛି। କିଛି ବର୍ଷ ପୂର୍ବେ ସେ ବାପା ବିଜୟପତ୍ ସିଂଘାନିଆଙ୍କ ସହ ଝଗଡ଼ା କରିଥିଲେ। ଗୌତମଙ୍କ ବିବାହ ବିଚ୍ଛେଦ ପରେ ପୁଣି ଥରେ ସାମ୍ନାକୁ ଆସିଛନ୍ତି ବିଜୟପତ୍। ପୁଅକୁ ସବୁ ସମ୍ପତ୍ତି ଦେବା ସବୁଠୁ ବଡ଼ ଭୁଲ ଥିଲା। ସନ୍ତାନମାନଙ୍କ ନାମରେ ସବୁ ସମ୍ପତ୍ତି କରିବା ପୂର୍ବରୁ ପିତାମାତା ବହୁତ ଭାବିବା ଦରକାର ବୋଲି ସେ କହିଛନ୍ତି। ମୁଁ ରାସ୍ତା କଡ଼କୁ ଆସିଗଲେ ଗୌତମ ଦେଖି ଖୁସି ହେବ ବୋଲି ସେ କହିଛନ୍ତି।
ସମ୍ପତ୍ତି ଦେବା ବେଳେ ଗୌତମ କହିଥିଲା ମୋତେ ବ୍ୟବସାୟର କିଛି ଅଂଶ ଦେବ। କିନ୍ତୁ ପରେ ସେ ନିଜ କଥାରୁ ଓହରିଯାଇଥିଲା। ମୋ ପାଖରେ ଅଳ୍ପ କିଛି ସମ୍ପତ୍ତି ରହିଯାଇଥିଲା। ସେହି ଟଙ୍କାରେ ଏବେ ମୁଁ ଚଳୁଛି ବୋଲି ବିଜୟପତ୍ କହିଛନ୍ତି। ଜଣେ ଯଦି ନିଜ ବାପାକୁ ଓ ପତ୍ନୀକୁ ଏଭଳି ଘରୁ ବାହାର କରିପାରୁଛି ସେ କିଭଳି ଲୋକ ମୁଁ ବୁଝିପାରୁନି ବୋଲି ସେ ବିଜୟପତ୍ କହିଛନ୍ତି। ୨୦୧୫ରେ ବିଜୟପତ୍ ନିଜର ସବୁ ସମ୍ପତ୍ତି ପୁଅ ଗୌତମ ନାମରେ କରିଥିଲେ। ୨୦୧୭ରେ ଜେକ ହାଉସ୍ରୁ ନିଜ ବାପାଙ୍କୁ ଗୌତମ ବାହାର କରିଦେଇଥିଲେ।
ବିବାହ ବିଚ୍ଛେଦକୁ ନେଇ ଗୌତମ ଓ ନୱାଜଙ୍କ ଭିତରେ ଚାଲିଥିବା ଝଗଡ଼ାରେ ବୋହୂ ନୱାଜକୁ ସମର୍ଥନ କରିବେ ବୋଲି ବିଜୟପତ୍ କହିଛନ୍ତି। ପୁଅକୁ କୌଣସି ସମର୍ଥନ ଦେବିନାହିଁ ବୋଲି ସେ ରୋକ୍ଠୋକ୍ ଶୁଣାଇଛନ୍ତି। ଗୌତମଙ୍କଠାରୁ ଅଲଗା ହେବା ଲାଗି ଭରଣପୋଷଣରେ ନୱାଜ ୮୭୦୦ କୋଟି ଟଙ୍କା ମାଗିଛନ୍ତି ଯାହା ଗୌତମଙ୍କ ସମ୍ପତ୍ତିର ୭୫ ପ୍ରତିଶତ।